ବର୍ଷା ଯୋଗୁଁ ମ୍ୟାଚ୍ ଆରମ୍ଭରେ ବିଳମ୍ବ, ଜାଣନ୍ତୁ ରବିବାର କେମିତି ରହିବ ଏଜବାଷ୍ଟନର ପାଣିପାଗ

Published By : Prameya-News7 Bureau | July 06, 2025 IST

ଏଜବାଷ୍ଟନ: ବର୍ଷା କାରଣରୁ ଏଜବାଷ୍ଟନରେ ଖେଳା ଯାଉଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ଵିତୀୟ ଟେଷ୍ଟର ଅନ୍ତିମ ତଥା ପଞ୍ଚମ ଦିନର ଖେଳ ଆରମ୍ଭ ହୋଇ ପାରିନି। ଦ୍ଵିତୀୟ ଟେଷ୍ଟ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଭାରତୀୟ ଦଳ ଇଂଲଣ୍ଡର ଦ୍ଵିତୀୟ ଇନିଂସରେ ୩ ଓ୍ଵିକେଟ୍ ଅକ୍ତିକାର କରି ସାରିଛି। ତଥାପି ଭାରତୀୟ ଦଳକୁ ଶେଷ ଦିନରେ ମ୍ୟାଚ୍ ଜିତିବା ମୁସ୍କିଲ ହୋଇପାରେ। ପୂର୍ବତନ କ୍ରିକେଟ୍‌ରଙ୍କ କହିବା କଥା ଭାରତୀୟ ଦଳ ଇନିଂସ ଘୋଷଣାରେ ବହୁତ ବିଳମ୍ବ କରିଛି। ଏହି କାରଣରୁ ହିଁ ଭାରତୀୟ ବୋଲରଙ୍କୁ ଇଂଲଣ୍ଡକୁ ଅଲଆଉଟ୍ କରିବା ପାଇଁ ପର୍ଯ୍ୟାପ୍ତ ସମୟ ମିଳିବ ନାହିଁ। କାରଣ ରବିବାର ବର୍ଷା କାରଣରୁ ଖେଳ ଆରମ୍ଭ ହୋଇ ପାରିନି।

ରବିବାର ବର୍ମିଂହାମରେ ବର୍ଷା ନେଇ ପୂର୍ବାନୁମାନ କରାଯାଇଥିଲା। ଆଉ ବର୍ଷା ହେବାରୁ ମ୍ୟାଚ୍ ଆରମ୍ଭ ହୋଇ ପାରିନି। ସ୍ଥାନୀୟ ସମୟ ଅନୁସାରେ ରବିବାର ବର୍ଷା ଅଟକି ଅଟକି ହୋଇପାରେ। ବର୍ଷା ଜୋରରେ ନ ହେଲେ ବି ମଝିରେ ମଝିରେ ଖେଳ ବାଧାପ୍ରାପ୍ତ ହୋଇପାରେ। ରବିବାର ସକାଳେ ବର୍ଷା ହେଉଥିବା ବେଳେ ଶନିବାର ରାତିରେ ପ୍ରବଳ ବର୍ଷା ହୋଇଥିଲା। 

ପଞ୍ଚମ ଦିନରେ ବର୍ଷା ପାଗ ଯୋଗୁଁ ଦିନର ତାପମାତ୍ରା ୨୦ ଡିଗ୍ରୀ ସେଲସିୟସ ତଳକୁ ରହିଛି। ଆକାଶରେ କଳା ବାଦଲ ଛାଇ ରହିଛି। ବର୍ଷା ଛାଡ଼ିଲେ ପିଚ୍ ଭାରତୀୟ ଦ୍ରୁତ ବୋଲରଙ୍କୁ ବେଶ ସୁହାଇବ। ଯଦି ଦ୍ରୁତ ବୋଲର ପରିସ୍ଥିତିର ଫାଇଦା ଉଠାଇବାରେ ସଫଳ ହୁଅନ୍ତି ତେବେ ଭାରତ ମ୍ୟାଚ୍ ଜିତିବାରେ ସଫଳ ହେବ। ସ୍ଥାନୀୟ ସମୟ ଅନୁସାରେ ବର୍ମିଂହାମରେ ଅପରାହ୍ଣ ୨ଟାରେ ବର୍ଷା ହେବାର ସମ୍ଭାବନା ୩୦ ରୁ ୫୦  ପ୍ରତିଶତ ରହିଛି। 

ଭାରତ ଦ୍ଵିତୀୟ ଇନିଂସରେ ୪୨୭/୫ରେ ପାଲି ସମାପ୍ତି ଘୋଷଣା ପରେ ଇଂଲଣ୍ଡକୁ ମିଳିଛି ୬୦୮ ରନର ବିଶାଳ ବିଜୟ ଲକ୍ଷ୍ୟ। ଜବାବରେ ଇଂଲଣ୍ଡ ଦ୍ଵିତୀୟ ଇନିଂସରେ ୩ ଓ୍ଵିକେଟ୍ ହରାଇ ୭୨ ରନ କରିଛି। କ୍ରିଜରେ ଓଲି ପପ୍ ୨୪ ରନ ଓ ହାରି ବ୍ରୁକ ୧୫ ରନ କରି  ଅପରାଜିତ ଅଛନ୍ତି। ଶେଷ ଦିନରେ ଇଂଲଣ୍ଡକୁ ଜିତିବା ପାଇଁ ୫୩୬ ରନ ଦରକାର ଯାହା ଅସମ୍ଭବ ଲାଗୁଛି। ଭାରତକୁ ସିରିଜ୍ ବରାବର କରିବା ପାଇଁ ଦରକାର ୭ ଓ୍ଵିକେଟ୍। ଏହା ପୂର୍ବରୁ ଚତୁର୍ଥ ଦିନରେ ଭାରତର ଦ୍ଵିତୀୟ ଇନିଂସରେ ଅଧିନାୟକ ଶୁଭମନ ଗିଲ୍ ୧୬୧ ରନର ଶତକୀୟ ଇନିଂସ ଖେଳିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.