ପୁଣି ତିଆରି ହେବ ଅପରେସନ ସିନ୍ଦୂରରେ ଧ୍ୱଂସ୍ତ ଜୈସ ମୁଖ୍ୟାଳୟ! ଝୁଲା ପତେଇ ଭିକ ମାଗୁଛି ମାସୁଦ ଅଜହର

Published By : Prameya-News7 Bureau | August 06, 2025 IST

ଇସ୍ଲାମାବାଦ ୬।୮: ଅପରେସନ ସିନ୍ଦୂରରେ ପାକିସ୍ତାନର ଧ୍ୱଂସ୍ତ ଆତଙ୍କବାଦୀ ଗଡ଼ ଏବେ ପୁନର୍ଜୀବିତ ହେଉଛି। ଅର୍ଥାତ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ଥିବା ବାହବଲପୁର ମସଜିଦ୍ କୁ ପୁଣି ତିଆରି କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଭାରତୀୟ ସେନା ପହଲଗାମ ଘଟଣାକୁ ନେଇ ୬ ଓ ୭ ମେ ରାତିରେ ଅପରେସନ ସିନ୍ଦୂର ଚଳାଇ ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ୯ଟି ଆଡ୍ଡାକୁ ଧ୍ୱଂସ୍ତ କରିଥିଲା। 

ଏଥିରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଟାର୍ଗେଟ୍ ଥିଲା ବାହାବଲପୁରସ୍ଥିତ ଶୁଭାନ ଆଲ୍ଲାହ ମସଜିଦ୍। ୧୫ ଏକର ଭୂମି ଉପରେ ନିର୍ମିତ ଜୈସ-ଏ-ମହମ୍ମଦର ଏହା ଆତଙ୍କବାଦୀ ପ୍ରଶିକ୍ଷଣ କେନ୍ଦ୍ର ଥିଲା। ଖବର ଅନୁସାରେ ଜୈସ ମୁଖିଆ ମାସୁଦ ଅଜହର ଏହି ମସଜିଦ ସମେତ ଆତଙ୍କୀ ପ୍ରଶିକ୍ଷଣ ଶିବିରକୁ ପୁଣି ନିର୍ମାଣ କରିବା ପାଇଁ ଏବେ ଅନଲାଇନ ଅଭିଯାନ ହାତକୁ ନେଇଛି। ଏଥିରେ ସାରା ବିଶ୍ୱରୁ ସେ ଅନୁଦାନ ସଂଗ୍ରହ କରିବା ପାଇଁ ଯୋଜନା କରିଥିବା ବେଳେ ସୋସିଆଲ ମିଡିଆ ପୋଷ୍ଟ ସେୟାର କରାଯାଉଛି। 

ଏଥିରେ ବାହବଲପୁରସ୍ଥିତ ଶୁଭାନ ଆଲ୍ଲାହ ମସଜିଦର ନିର୍ମାଣ ପୁଣି ଆରମ୍ଭ ହେବାକୁ ଯାଉଥିବା ସୂଚିତ କରାଯାଇଥିବା ବେଳେ ସୋସିଆଲ ମିଡିଆ ପୋଷ୍ଟରେ ହାତଖୋଲା ଦାନ କରିବାକୁ ଅନୁରୋଧ କରାଯାଇଛି। ଏଥିରେ କିଏ କେତେ ଦେଉଛି ଯେମିତି ଅନ୍ୟ କାହାକୁ ଜଣା ନପଡେ ସେ ବାବଦେ ସତର୍କ କରାଯାଇଛି। ଏଥିରେ ଅଜହରର ବାର୍ତ୍ତା ମଧ୍ୟ ରହିଛି ସେ ଲେଖିଛି ଯେ ‘ଯେଉଁ ଦିବାନାମାନେ ‘ଜେହାଦ’ ଲାଗି ଆକୁଳ ଅଛନ୍ତି ସେମାନଙ୍କ ଲାଗି ଏକ ନୂଆ ରାସ୍ତା ଖୋଲିବ’। 

ଏଥିରୁ ସ୍ପଷ୍ଟ ଅନୁମାନ କରାଯାଉଛି ଯେ ପାକିସ୍ତାନରେ ଆତଙ୍କ ଗତିବିଦ୍ଧି ଦ୍ୱିତୀୟବାର ସଙ୍ଗଠିତ ହେଉଛି। ପିଓକେର ବାହବଲପୁରରେ ଥିବା ଏହି ଆତଙ୍କବାଦୀ ପ୍ରଶିକ୍ଷଣ କେନ୍ଦ୍ର ପୁଲବାମା ଭଳି ଆକ୍ରମଣର ଯୋଜନା ଅତୀତରେ କରିଥିଲା। ଲସ୍କର-ଏ-ତୌୟବା ଓ ହିଜବୁଲ ମୁଜହିଦ୍ଦିନ ସହ ମଧ୍ୟ ଏହାର ନିବିଡ ସମ୍ପର୍କ ରହିଛି। ଅପରେସନ ସିନ୍ଦୂରରେ ଏହାକୁ ସମ୍ପୂର୍ଣ୍ଣ ଧ୍ୱଂସ୍ତ କରିଦିଆଯାଇଥିଲା। ଭାରତର କଡ଼ା କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ଜୈସ ଦ୍ୱିତୀୟ ବାର ସଙ୍ଗଠିତ ହେବା ନା କେବଳ ଚିନ୍ତାର ବିଷୟ ବରଂ ଅନ୍ତର୍ଜାତୀୟ ସୁରକ୍ଷା ଏଜେନ୍ସୀଙ୍କ ଲାଗି ସତର୍କ ଘଣ୍ଟି ବୋଲି କୁହାଯାଉଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.