ଭୁବନେଶ୍ୱର : ଅପେରା ସୂର୍ଯ୍ୟ ମନ୍ଦିର ଓ ସିଂହବାହିନୀ ମାଲିକଙ୍କୁ ଅଗ୍ରୀମ ଟଙ୍କା ଫେରାଇଲେ ଅଭିନେତା ପୀୟୂଷ ତ୍ରିପାଠୀ । ଅଭିନେତା ଓ ମାଲିକଙ୍କୁ ନେଇ ଜାରି ବିବାଦ ଭିତରେ ଶୁକ୍ରବାର ଯାତ୍ରା ମାଲିକ ମହାସଂଘର ବୈଠକ ବସିଥିଲା । ପୀୟୂଷ ମଧ୍ୟରେ ଏଥିରେ ସାମିଲ ହୋଇଥିଲେ । ବୈଠକ ଶେଷ ହେବା ପରେ ଗଣମାଧ୍ୟମ ସାମନାରେ ପୀୟୂଷ ବୟାନ ଦେଇଥିବା ବେଳେ ଅନେକ କଥା ଅସ୍ପଷ୍ଟ ରଖି ମାଲିକଙ୍କ ଉପରେ ଛାଡ଼ି ଦେଇଛନ୍ତି ।
ପୀୟୂଷ ପ୍ରତିକ୍ରିୟା ରଖି କହିଛନ୍ତି, 'ଅପେରା ସୂର୍ଯ୍ୟ ମନ୍ଦିର ଓ ସିଂହବାହିନୀ ମାଲିକଙ୍କୁ ଅଗ୍ରୀମ ଟଙ୍କା ଫେରାଇଛି । ଛୋଟ କଥାରୁ ବିବାଦ ହେଲା, ଆଶା କରୁଛି ଏହାର ଅନ୍ତ ହେଲା । ସ୍ବାସ୍ଥ୍ୟଗତ ଓ ପାରିବାରିକ ସମସ୍ୟା ରହିଛି । ତେବେ ଗାଡ଼ି ମୋ ପାଖରେ ରହିବ, EMI ମୁଁ ଦେବି । ଆସନ୍ତା ବର୍ଷ ଅଭିନୟ କରିବି କି ନାହିଁ ତାର ନିଷ୍ପତ୍ତି ମାଲିକ ସଂଘ ନେବ ।'
ପୀୟୂଷ କହିଛନ୍ତି, 'ଛୋଟିଆ କଥାଟି ବହୁତ ବଡ଼ ହୋଇଗଲା । ଯାହାର ସମାଧାନ ହୋଇପାରିଲା ନାହିଁ । ଯେଉଁଥି ପାଇଁ ମାଲିକ ମହାସଂଘ ଆଜି ବୈଠକ କରିଛି । କେବଳ ମୋ ପ୍ରସଙ୍ଗ ଉପରେ ଆଲୋଚନା ହେଲା । ସବୁ ବିବାଦର ସମାଧାନ ପାଇଁ ଉଭୟ ମାଲିକଙ୍କୁ ସେମାନଙ୍କ ଟଙ୍କା ଦିଆଯାଇଛି । ଟଙ୍କା ଫେରାଇ ମୁଁ ଏବେ ମୁକ୍ତ, ମୁଁ ଏବେ ଘରେ ଅଛି । ଏହାସହ ଗାଡ଼ିର ଡାଉନ୍ ପେମେଣ୍ଟ ଓ କିସ୍ତି ମୁଁ ଦେବି ।'
ତେବେ ଆସନ୍ତା ୨୦୨୫-୨୬ରେ ଅଭିୟନ କରିବା ପ୍ରଶ୍ନର ଉତ୍ତର ସେ ମାଲିକଙ୍କ ଉପରେ ଛାଡ଼ିଛନ୍ତି । ପୀୟୂଷ କହିଛନ୍ତି, 'ଅଭିନୟ କରିବା କଥା ମାଲିକମାନେ ବିଚାର କରୁଛନ୍ତି । ମୋର ସ୍ୱାସ୍ଥ୍ୟଗତ ସମସ୍ୟା ଓ ପାରିବାରିକ ସମସ୍ୟା ପାଇଁ ମୁଁ ଘରେ ରହୁଛି ।' ତେବେ ବ୍ୟାନ୍ କରାଯାଇଥିବା ପ୍ରଶ୍ନକୁ ସେ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି । ପୀୟୂଷ ପରୋକ୍ଷର ଭୂଲ କରିଥିବା ସ୍ୱୀକାର କରିବା ସହ ଏହା ତାର ଦଣ୍ଡ ବୋଲି ମଧ୍ୟ କହିଛନ୍ତି ।