ଭୁଲ୍‌ରେ ହୋଇଗଲା ଦମ୍ପତିଙ୍କ ଛାଡ଼ପତ୍ର, ନିଷ୍ପତ୍ତି ବଦଳାଇବାକୁ ଜଜ୍ କଲେ ମନା

Published By : Prameya-News7 Bureau | April 18, 2024 IST

ମୁମ୍ଵାଇ ୧୮।୦୪: ଛାଡ଼ପତ୍ର ସଂପର୍କିତ ଆଇନଗତ ପ୍ରକ୍ରିୟା ସାରା ବିଶ୍ୱରେ  ଅଲଗା ଅଲଗା ହୋଇଥାଏ । କିଛି ଦେଶରେ ସହଜରେ  ଛାଡ଼ପତ୍ର ମିଳିଯାଉଥିବାବେଳେ ଭାରତ ସମେତ କିଛି  ଦେଶରେ ଏଥିଲାଗି ଦୀର୍ଘ ଦିନ ସମୟ ଲାଗିଥାଏ ।  ତେବେ ନିକଟରେ ବ୍ରିଟେନ୍‌ରୁ ଏକ ଅଜବ ମାମଲା ସାମ୍ନାକୁ  ଆସିଛି । ସେଠାରେ ଏକ କୋର୍ଟ ଭୁଲ୍‌ରେ ଜଣେ ଦମ୍ପତିଙ୍କ  ଛାଡ଼ପତ୍ରକୁ ଅନୁମୋଦନ କରିଛନ୍ତି । 

 ମିଷ୍ଟର ଆଣ୍ଡ ମିସେସ୍‌ ୱିଲିୟମ୍ସ ନାମରେ ପରିଚିତ ଦମ୍ପତିଙ୍କ ବିବାହକୁ ୨୧ ବର୍ଷ   ହୋଇସାରିଥିଲା । ଦୁହେଁ ଛାଡ଼ପତ୍ର ନେବାକୁ ଚାହୁଁଥିଲେ । କିନ୍ତୁ ତା’ ପୂର୍ବରୁ ଆର୍ଥିକ  ବ୍ୟାପାର ନେଇ ସେମାନଙ୍କ ମଧ୍ୟରେ ବୁଝାମଣା ଚାଲିଥିଲା । ଇତିମଧ୍ୟରେ  ମିସେସ୍‌ ୱିଲିୟମ୍‌ସଙ୍କ ପ୍ରତିନିଧିତ୍ୱ କରୁଥିବା ଲଣ୍ଡନର ଏକ ନାମୀଦାମୀ ଲ’ ଫାର୍ମ  ବରଦାଗ୍‌ ପକ୍ଷରୁ ଭୁଲ୍‌ରେ ଏହି ଦମ୍ପତିଙ୍କ ଲାଗି ଚୂଡ଼ାନ୍ତ ଛାଡ଼ପତ୍ର ରାୟ ଦେବାକୁ  ଏକ ପରିବାର କୋର୍ଟରେ ଆବେଦନ କରାଗଲା । କମ୍ପାନି  ପକ୍ଷରୁ ଅନ୍ୟ ଜଣେ ଗ୍ରାହକଙ୍କ ଚୂଡ଼ାନ୍ତ ଛାଡ଼ପତ୍ର ଲାଗି  ଆବେଦନ କରିବାକୁ ଥିବାବେଳେ ଅନଲାଇନ୍‌ ପୋର୍ଟାଲରେ  ସେଠାକାର ଜଣେ କ୍ଲର୍କ ଭୁଲ୍‌ରେ ଏହି ଦମ୍ପତିଙ୍କ ନାମକୁ  ଉଲ୍ଲେଖ କରିଥିଲେ । 

ଏହାପରେ ମାତ୍ର ୨୧ ମିନିଟ୍‌ ମଧ୍ୟରେ  ୱିଲିୟମ୍ସ ଦମ୍ପତିଙ୍କ ଛାଡ଼ପତ୍ରକୁ ପରିବାର କୋର୍ଟରୁ ମଞ୍ଜୁରି  ମିଳିଗଲା । ୨ ଦିନ ପରେ ଏ ସଂପର୍କରେ ଜଣାପଡି଼ବାରୁ ତାକୁ ରଦ୍ଦ କରିବାକୁ  ପରିବାର କୋର୍ଟଙ୍କ ଦ୍ୱାରସ୍ଥ ହେଲା ଲ’ ଫାର୍ମ । ସେଥିରେ ଜଣେ କ୍ଲର୍କଙ୍କ ଭୁଲ୍‌ର ଦଣ୍ଡ  କାହିଁକି ଦମ୍ପତି ଭୋଗିବେ ବୋଲି ଯୁକ୍ତି ଦର୍ଶାଯାଇଥିଲା । ଏଥିସହ ଦମ୍ପତି ଛାଡ଼ପତ୍ର  ଲାଗି ମାନସିକ ଭାବେ ପ୍ରସ୍ତୁତ ନ ଥିବା ବି କୁହାଯାଇଥିଲା । ତେବେ ବିଚାରପତି  ରାୟକୁ ପରିବର୍ତ୍ତନ କରିବାକୁ ମନା କରିଛନ୍ତି । କୋର୍ଟଙ୍କ ରାୟ ଉପରେ ଜନତାଙ୍କର   ବିଶ୍ୱାସ ଅତୁଟ ରହିବା ଅଧିକ ଜରୁରି ବୋଲି ବିଚାରପତି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.