କଟକ: ହାତରେ ଆଉ ମାତ୍ର ତିନି ଦିନ। ଆରମ୍ଭ ହେବ ବାଣିଜ୍ୟର ମହାକୁମ୍ଭ କଟକ ଐତିହାସିକ ବାଲିଯାତ୍ରା। ଏମିତିରେ ଚଳଚଞ୍ଚଳ ହୋଇଉଠିଛି ବାଲିଯାତ୍ରା ପଡ଼ିଆ। ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଲାଣି ପ୍ରସ୍ତୁତି । ଗୋଟିଏ ପଟେ ପ୍ରଶାସନର ପ୍ରସ୍ତୁତି ଅନ୍ୟପଟେ ବ୍ୟବସାୟୀମାନେ ଦୋକାନ ଖୋଲିବା ପାଇଁ ଟେଣ୍ଟ୍ ନିର୍ମାଣରେ ଲାଗିପଡ଼ିଛନ୍ତି।
ତେବେ ବାଲିଯାତ୍ରା ପ୍ରସ୍ତୁତି କାର୍ଯ୍ୟକୁ ସନ୍ଧ୍ୟା ସମୟରେ ବୁଲି ଦେଖିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି ଉନ୍ନୟନ କମିଶନ ଅନୁ ଗର୍ଗ। ତାଙ୍କ ସହ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସଚିବ, ପୋଲିସ କମିଶନର, କଟକ ଜିଲ୍ଲାପାଳଙ୍କ ସମେତ ଅନ୍ୟ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ।
ଚଳିତ ବର୍ଷ ବାଲିଯାତ୍ରାରେ ଏସିଆ ମହାଦେଶର ଅନେକ ଦେଶର ରାଜଦୂତଙ୍କୁ ନିମନ୍ତ୍ରଣ କରାଯାଇଛି। ଏମିତିକି ୭ ବିଦେଶୀ ଗ୍ରୁପ୍ ଗୁଡ଼ିକ ମଧ୍ୟ ବାଲିଯାତ୍ରା ପଡ଼ିଆରେ ନିଜର କଳା ପ୍ରଦର୍ଶନ କରିବେ। ବାଲିଯାତ୍ରାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିବାକୁ ଥିବା ବେଳେ ଅନ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେହିଭଳି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଆସିବା ନେଇ ମଧ୍ୟ ସମ୍ଭାବନା ରହିଛି । ବାଲିଯାତ୍ରା ମଞ୍ଚରେ ଦେଶର ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳିବା ସହ ଓଡ଼ିଆ ଅସ୍ମିତାର ଝଲକ ମଧ୍ୟ ଦେଖିବାକୁ ପାଇବେ ଦର୍ଶକ ବୋଲି କହିଛନ୍ତି ଅନୁ ଗର୍ଗ।