ଚାର୍ଜ କମ୍ ନକଲେ ଯାତ୍ରାପାର୍ଟିକୁ ନେବେନି ବୋଲି କହିଲେଣି ଯାତ୍ରା କମିଟି, ସେପଟେ ମାଲିକ କହୁଛନ୍ତି ପ୍ରଥମେ ନିଜେ ନାଟକ ଦେଖନ୍ତୁ ଓ ପରେ ବୁକିଂ କରନ୍ତୁ

Published By : Prameya-News7 Bureau | July 12, 2025 IST

ଭଦ୍ରକ ୧୨।୭: ଆଗାମୀ ଯାତ୍ରା ସିଜିନ୍ ପାଇଁ ଯାତ୍ରା ପାର୍ଟି ଗୁଡିକ ଆରମ୍ଭ କରିସାରିଲେଣି ପ୍ରସ୍ତୁତି । ଅନେକ ଯାତ୍ରା ପାର୍ଟି ଆଖଡ଼ା ପରେ ଫାଇନାଲ ରିହର୍ସଲ ସାରିଲେଣି । ଆଉ କିଛି ଦିନରେ ମୈଦାନକୁ ଓହ୍ଲାଇବେ । କିନ୍ତୁ ଏସବୁ ଭିତରେ କେଁ ବାହାର କଲେଣି ଯାତ୍ରା କମିଟି । ନାଟକ ପରିବେଷଣ ପାଇଁ ଲାଗୁଥିବା ଚାର୍ଜ କମ୍ କରିବାକୁ ଦାବି କଲେଣି କମିଟି । ନହେଲେ ଯାତ୍ରାପାର୍ଟିକୁ ନେବେନି ବୋଲି ରୋକ୍‌ ଠୋକ୍‌ ଶୁଣେଇଲେଣି କମିଟି । 

ଯାତ୍ରାରେ ବିବାଦ ନିତିଦିନିଆ ହୋଇଗଲାଣି । କଳାକାରଙ୍କ ଠାରୁ ଆରମ୍ଭ ହୋଇଥିବା ବିବାଦ ମାଷ୍ଟର ଯାଏଁ ପହଞ୍ଚି ସାରିଲାଣି । ଏବେ ଏସବୁରେ ଏଣ୍ଟ୍ରି ମାରିଛନ୍ତି ଯାତ୍ରା କମିଟି । କମିଟିର କହିବା କଥା ଯାତ୍ରା ଆଳରେ ପାର୍ଟି ମାଲିକ ଡିମାଣ୍ଡ କରୁଛନ୍ତି ଅଧିକ ଟଙ୍କା । ରାତିକୁ ୬୦ ହଜାର ଟଙ୍କାରେ ଯାତ୍ରା କରୁଥିବା କମିଟି ଏବେ ପ୍ରାୟ ୩ ଲକ୍ଷ ଟଙ୍କାରେ ବୁକିଂ କରୁଛନ୍ତି । ଅନେକ ସମୟରେ କମିଟି ମଧ୍ୟ କ୍ଷତି ସହୁଛି ଓ ଦର୍ଶକ ମଧ୍ୟ ଚଢ଼ା ରେଟ୍‌ରେ ଟିକେଟ୍ କିଣୁଛନ୍ତି । ତେଣେ ଯାତ୍ରା ମାଲିକ ଓ ପରିଚାଳକ କହୁଛନ୍ତି ବଡ ହୋଟେଲରେ ମିଳୁଥିବା ସ୍ଵାଦ କ’ଣ ଗାଁ ମୁଣ୍ଡ ଚା’ ଦୋକାନରେ ମିଳିବ । 

ଯାତ୍ରା ପାର୍ଟି ଅନେକ କମିଟି ଦ୍ବାରା ନାଟକ ପରିବେଷଣ କରିଥାନ୍ତି । ଏଥିପାଇଁ ସେମାନେ ଟଙ୍କା ମଧ୍ୟ ନେଇଥାନ୍ତି । କେତେକ କ୍ଷେତ୍ରରେ ରାତିକ ପାଇଁ ଟଙ୍କା ନେଇଥାନ୍ତି । ଆଉ କେତେକ କ୍ଷେତ୍ରରେ ଟିକେଟ ବିକ୍ରି ଅନୁଯାୟୀ ପର୍ସେଣ୍ଟେଜ୍ ଆକାରରେ ଟଙ୍କା ନିଅନ୍ତି । କିନ୍ତୁ ଏବେ ପ୍ରତିଯୋଗିତା ପାଇଁ ଯାତ୍ରାପାର୍ଟି ଅଧିକ ଅର୍ଥ ମାଗୁଛନ୍ତି । ଅଧିକ ଟଙ୍କା ଦେଇ ନାମୀଦାମୀ କଳାକାର ଆଣିବା, ବଡ ଲେଖକଙ୍କ ନାଟକ ସହ ନାମୀ ନିର୍ଦ୍ଦେଶକ, ଯାତ୍ରାରେ ଲାଇଟ୍ ଓ ସାଉଣ୍ଡ ପାଇଁ ଅତ୍ୟଧିକ ଖର୍ଚ୍ଚ ମଧ୍ୟ ଅନ୍ୟ ଏକ କାରଣ ହୋଇଛି । ଏସବୁ ଭିତରେ ଯାତ୍ରା ପ୍ରଯୋଜକ କହିଛନ୍ତି ଚଳିତ ସିଜିନ୍‌ରେ ପାର୍ଟି ଭଲ ନାଟକ ନକଲେ ଟଙ୍କା ଫେରାଇଦେବେ । କମିଟି ଗୁଡ଼ିକ ପ୍ରଥମେ ନିଜେ ନାଟକ ଦେଖନ୍ତୁ ଓ ପରେ ପାର୍ଟି ଚାର୍ଜ ଦେଖି ବୁକିଂ କରନ୍ତୁ ।


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.