ଟ୍ରାଫିକ ଇଣ୍ଡେକ୍ସରେ ମେକ୍ସିକୋ ସିଟି ପଛକୁ ବେଙ୍ଗାଲୁରୁ ବିଶ୍ୱର ଦ୍ୱିତୀୟ ସହର, ଭାରତରେ ହ୍ରାସ ହେଉଛି ବାହନ ବେଗ

NEWS7
the-car-floated-in-the-naktipali-river-the-driver-is-missing

ବେଙ୍ଗାଲୁରୁ ୨୨।୧: ଭାରତର ସୂଚନା ଓ ପ୍ରଯୁକ୍ତି କେନ୍ଦ୍ର ବେଙ୍ଗାଲୁରୁ ୨୦୨୫ ମସିହାରେ ବିଶ୍ୱର ଦ୍ୱିତୀୟ ସର୍ବାଧିକ ଯାତାୟତ ଭିଡର ସହର ଥିଲା। ଏଠାରେ ଯାତାୟାତ ଭିଡର ସ୍ତର ୭୪.୪% ରହିଛି। ଏହି ସୂଚନା ନେଦରଲ୍ୟାଣ୍ଡସ୍ଥିତ ଲୋକେସନ ଟେକ୍ନୋଲଜି କମ୍ପାନୀ ‘ଟମଟମ’ ତଥ୍ୟରୁ ଜଣାପଡିଛି। ରିପୋର୍ଟରେ ୨୦୨୫ର ଟମଟମ ଟ୍ରାଫିକ ଇଣ୍ଡେକ୍ସ ମେକ୍ସିକୋ ସିଟିକୁ ଶୀର୍ଷ ସ୍ଥାନରେ ରଖିଛି। ଏହା ପଛକୁ ବେଙ୍ଗାଲୁରୁ ଓ ତା ପଛକୁ ଆୟରଲ୍ୟାଣ୍ଡର ଡବଲିନ ସହର ରହିଛି।

ଏହି ସୂଚକାଙ୍କ ସାରା ବିଶ୍ୱରେ ସହରାଞ୍ଚଳର ମୂଲ୍ୟାୟନ ସହିତ ହାରାହାରି ଯାତ୍ରା ସମୟ ଓ ଯାତାୟତ ଭିଡର ସ୍ତର ନିରୁପଣ କରିଥାଏ। ସେହି ଅନୁସାରେ ପିଛିଲା ବର୍ଷ ତୁଳନାରେ ବେଙ୍ଗାଲୁରୁରେ ହାରାହାରି ଯାତାୟାତ ଭିଡର ସ୍ତର ୧.୭% ବଢି ଯାଇଛି। ଏହି ସମୟରେ ଚାଳକମାନେ ହାରାହାରି ୪.୨ କିଲୋମିଟରର ଦୂରତାକୁ ୧୫ ମିନିଟରେ ପାରି ହୋଇଥିବା ବେଳେ ୧୦ କିଲୋମିଟର ଦୂରତା ଅତିକ୍ରମ କରିବାକୁ ସେମାନଙ୍କୁ ୩୬ ମିନିଟ୍ ୯ ସେକେଣ୍ଡ ସମୟ ଲାଗିଛି।

ରିପୋର୍ଟରେ କୁହାଯାଇଛି ଯେ ବ୍ୟସ୍ତତମ ସମୟରେ ବାହନଙ୍କ ହାରାହାରି ବେଗ ହ୍ରାସ ହୋଇ ଘଣ୍ଟାପ୍ରତି ୧୩.୯ କିଲୋମିଟର ରହୁଛି। ଏହା ଛଡା ୧୭ ମେ ୨୦୨୫କୁ ସହରର ସବୁଠୁ ଖରାପ ଯାତ୍ରା ଦିବସ ବୋଲି କୁହାଯାଇଛି। ଏହି ଦିନ ଯାତାୟାତ ଭିଡର ସ୍ତର ୧୦୧%କୁ ପହଞ୍ଚି ଯାଇଥିଲା। ଏହି ଦିନ ସନ୍ଧ୍ୟାରେ ଯାତାୟାତ ଭିଡ ୧୮୩%କୁ ପହଞ୍ଚିଥିଲା। ଏଣୁ ୧୫ ମିନିଟ୍ ରେ ମାତ୍ର ୨.୫ କିଲୋମିଟର ଦୂରତା ଅତିକ୍ରମ ହୋଇ ପାରିଥିଲା। ବେଙ୍ଗାଲୁରୁ ଛଡା ଅନ୍ୟ ୬ ଭାରତୀୟ ସହର ବିଶ୍ୱସ୍ତରର ଶୀର୍ଷ ୩୫ ନଗରରେ ସାମିଲ ଅଛନ୍ତି।

ଏଥିରେ ପୁଣେ ୭୧.୧% ଯାତାୟାତ ଭିଡ ସହିତ ବିଶ୍ୱ ସ୍ତରରେ ପଞ୍ଚମ ସ୍ଥାନରେ ଥିବା ବେଳେ ଏହା ପଛକୁ ୬୩.୨% ସହିତ ମୁମ୍ବାଇ ୧୮ତମ ସ୍ଥାନରେ ରହିଛି। ନୂଆଦିଲ୍ଲୀ ୬୦.୨% ସହିତ ୨୩ତମ ସ୍ଥାନରେ ଥିବା ବେଳେ ୫୮.୯% ସହିତ କୋଲକାତା ୨୯ତମ ସ୍ଥାନରେ ରହିଛି। ୫୮.୭% ସହିତ ଜୟପୁର ୩୦ତମ ସ୍ଥାନରେ ଥିବା ବେଳେ ଏହି ସମାନ ହାର ସହିତ ଚେନ୍ନାଇ ସହର ମଧ୍ୟ ୩୦ତମ ସ୍ଥାନରେ ରହିଛି।