LIVE TV

ମୋର ଭୁଲ୍ ଇମେଜ୍ ଦେଖାଇଛନ୍ତି ... ; ଶାହରୁଖ ଖାନଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ସମୀର ୱାଙ୍ଖେଡେ

NEWS7
-

ମୁମ୍ୱାଇ – ପୂର୍ବତନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଅଧିକାରୀ ସମୀର ୱାଙ୍ଖେଡେ ଆର୍ଯ୍ୟନ ଖାନ ଡ୍ରଗ୍ସ ମାମଲା ସଂପର୍କିତ ୱେବ୍‌ ସିରିଜ 'ଦ ବ୍ୟାଡ୍‌ ବୟେଜ୍‌ ଅଫ୍‌ ବଲିଉଡ୍‌’ରେ ନିଜର ଇମେଜ୍‌କୁ ନେଇ ନେଟଫ୍ଲିକ୍ସ , ଶାହରୁଖ ଖାନ ଓ ସିରିଜର ନିର୍ମାତଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମୋକଦ୍ଦମା ଦାଏର କରିଛନ୍ତି। ୱାଙ୍ଖେଡେ ଶାହରୁଖ ଖାନ, ତାଙ୍କର ପତ୍ନୀ ଗୌରୀ ଖାନଙ୍କ କମ୍ପାନୀ ରେଡ୍‌ ଚିଲିଜ୍ ଏଣ୍ଟରଟେନମେଣ୍ଟ ଓ ଅନ୍ୟ ପକ୍ଷରୁ ୨କୋଟି ଟଙ୍କାର ଜୋରିମନା ମାଗିଛନ୍ତି,ଯାହାକୁ ସେ କ୍ୟାନସର ପୀଡ଼ିତଙ୍କ ଚିକିତ୍ସା ପାଇଁ ଟାଟା ମେମୋରିଆଲ କ୍ୟାନ୍ସର ହସ୍ପିଟାଲକୁ ଦାନ କରିବା କଥା କହିଛନ୍ତି।

ୱାଙ୍ଖେଡେଙ୍କ ଏକ ଅଫିସିଆଲି ବିବୃତ୍ତିରେ କୁହାଯାଇଛି ଯେ, ସେ ଦିଲ୍ଲୀ ହାଇକୋର୍ଟରେ ମାନହାନି କେସ୍‌ ରୁଜୁ କରିଛନ୍ତି। ଏଥିରେ ଶାହରୁଖ ଖାନ ଓ ଗୌରୀ ଖାନଙ୍କ ମାଲିକାନାର ରେଡ୍‌ ଚିଲିଜ୍ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ , ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ ଓ ଅନ୍ୟମାନଙ୍କ ବିରୋଧରେ ସ୍ଥାୟୀ ଓ ଅନିବାର୍ଯ୍ୟ ନିଷେଧାଜ୍ଞା, ଘୋଷଣାତ୍ମକ ଆଶ୍ୱସ୍ତି ଓ ଜୋରିମନା ଦାବି କରିଛନ୍ତି। ଏହି ମୋକଦ୍ଦମା ରେଡ୍‌ ଚିଲିଜ୍‌ ଦ୍ୱାରା ନିର୍ମିତ ଓ ନେଟଫ୍ଲିକ୍ସରେ ଦ ବ୍ୟାଡ୍‌ ବଏଜ୍‌ ଅଫ୍‌ ବଲିଉଡ୍‌ ନାମକ ଟେଲିଭିଜନ ସିରିଜର ଏକ ପାର୍ଟ ଭାବେ ପ୍ରସାରିତ ,ମିଥ୍ୟା ଓ ମାନହାନିକାରକ ଭିଡ଼ିଓରୁ ଉତ୍ପନ୍ନ କ୍ଷତିର କାରଣରୁ ଦାଏର କରାଯାଇଛି।

ବିବୃତ୍ତି ଅନୁସାରେ , ଏହି ସିରିଜ ନିଶା ବିରୁଦ୍ଧରେ କାର୍ଯ୍ୟ କରୁଥିବା ପ୍ରବର୍ତ୍ତନ ଏଜେନ୍ସିଙ୍କ ଭ୍ରମାତ୍ମକ ଓ ଭୁଲ୍‌ ଇମେଜ୍‌ ପ୍ରସ୍ତୁତ କରୁଛି, ଯେଉଁଥିରେ ଆଇନ୍‌ ପ୍ରବର୍ତ୍ତନ ସଂସ୍ଥା ଗୁଡ଼ିକ ଉପରେ ଲୋକଙ୍କର ବିଶ୍ୱାସ ଦୁର୍ବଳ ହୋଇଥାଏ। ବିବୃତ୍ତିରେ କୁହାଯାଇଛି ଯେ , ‘ଦ ବ୍ୟାଡ୍ସ ଅଫ୍‌ ବଲିଉଡ୍‌’ ସିରିଜ ପାଇଁ ଏପିସୋଡ୍‌ରେ ସମୀର ୱାନଖେଡେଙ୍କ ଦ୍ୱାରା ପ୍ରେରିତ ଏକ ଚରିତ୍ର ବଲିଉଡ୍ ପାର୍ଟିର ବାହାରେ ପହଞ୍ଚୁଛି ଏବଂ ଯେଉଁ ଲୋକମାନେ ଡ୍ରଗ୍ସ ସେବନ କରୁଛନ୍ତି ସେମାନଙ୍କୁ ଖୋଜୁଛି।

ନିଜର ବିବୃତ୍ତିରେ ୱାଙ୍ଖେଡେ ଅଭିଯୋଗ କରିଛନ୍ତି ଯେ, ‘ ଦ ବ୍ୟାଡ୍ସ ଅଫ୍‌ ବଲିଉଡ୍‌ ’କୁ ଜାଣିଶୁଣି ତାଙ୍କ ଛବିକୁ ପକ୍ଷପାତି ଢଙ୍ଗରେ ମଳିନ କରିବା ଉଦ୍ଦେଶ୍ୟରେ କରାଯାଇଛି ଏବଂ ପ୍ରଦର୍ଶିତ କରାଯାଇଛି। ମିଡ଼ିଆକୁ ଦିଆ ଯାଇଥିବା ବୟାନରେ ସେ କହିଛନ୍ତି ଯେ, ବିଶେଷ ଭାବେ ସେତେବେଳେ ଯେବେ ସମୀର ୱାଙ୍ଖେଡେ ଓ ଆର୍ଯ୍ୟନ ଖାନଙ୍କ ସହ ସମ୍ୱନ୍ଧିତ ମାମଲା ବମ୍ୱେ ହାଇକୋର୍ଟ ଓ ମୁମ୍ୱାଇର ଏନଡିପିଏସ ବିଶେଷ ନ୍ୟାୟାଳୟରେ ବିଚାରାଧୀନ ଅଛି।

ବିବୃତ୍ତିରେ ୱାଙ୍ଖେଡେ ଆହୁରି କହିଛନ୍ତି ଯେ ଏହା ବ୍ୟତୀତ ସିରିଜରେ ଏକ ଚରିତ୍ରକୁ ଅଶୋଭନୀୟ ଇଙ୍ଗିତ କରି ଦର୍ଶାଯାଇଛି, ବିଶେଷକରି ଯେବେ ସେ ‘ସତ୍ୟମେବ ଜୟତେ ’ର ନାରା ଲଗେଇ (ଯାହା ରାଷ୍ଟ୍ରୀୟ ପ୍ରତୀକର ଅଂଶ ) ମିଡ଼ିଲ ଫିଙ୍ଗର ଦେଖାଉଛି। ଏହି କାର୍ଯ୍ୟ ରାଷ୍ଟ୍ରୀୟ ସମ୍ମାନ ଅପମାନ ନିବାରଣ ଅଧିନିୟମ, ୧୯୭୧ର ପ୍ରାବଧାନର ଗୁରୁତର ଉଲ୍ଲଙ୍ଘନ , ଯେଉଁଥି ପାଇଁ ଆଇନଗତ ଦଣ୍ଡର ପ୍ରାବଧାନ ରହିଛି।

ବିବୃତ୍ତିରେ ଏହା ମଧ୍ୟ କୁହାଯାଇଛି ଯେ, ସିରିଜର ସାମଗ୍ରୀ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ ଓ ଭାରତୀୟ ଦଣ୍ଡ ସଂହିତା (ବିଏନଏସ)ର ଅନେକ ପ୍ରାବଧାନର ଉଲ୍ଲଙ୍ଘନ କରିଥାଏ, କାରଣ ଏହା ଅଶ୍ଳୀଳ ଓ ଆପତ୍ତିଜନକ ସାମଗ୍ରୀର ମାଧ୍ୟମରେ ରାଷ୍ଟ୍ରୀୟ ଭାବନାକୁ ଆଘାତ ଦେବାକୁ ପ୍ରୟାସ କରିଥାଏ।