ଆସନ୍ତାକାଲି ସକାଳ ୯ଟା ୩୦ର ରଥଟଣା ହେବ, ବିଳମ୍ବ ନେଇ କାରଣ କହିଲେ ଆଇନ ମନ୍ତ୍ରୀ

Published By : Prameya-News7 Bureau | June 27, 2025 IST

ପୁରୀ: ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଆଜି ବଡ଼ଦାଣ୍ଡରେ ଗଡ଼ିଛି ତିନି ରଥ। ତେବେ କୌଣସି ବି ରଥ ଶରଧାବାଲିରେ ପହଞ୍ଚି ପାରି ନାହିଁ। ତେଣୁ ଆସନ୍ତାକାଲି ସକାଳ ୯ଟା ୩୦ର ରଥ ଟଣା ହେବ ଏବଂ ଏହାର ସିଧା ପ୍ରସାରଣ ବି ହେବ। ଏ ନେଇ ଶୁକ୍ରବାର ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। 

ସେ କହିଛନ୍ତି, ଯେଉଁମାନେ ଦର୍ଶନ କରି ପାରି ନାହାନ୍ତି, ସେମାନେ କାଲି ଦର୍ଶନ କରି ପାରିବେ। ଅବକାଶ ନୀତି ପରେ ରଥଟଣା ହେବ। ସମୟ ନିର୍ଘଣ୍ଟ ଅନୁସାରେ ପହଣ୍ଡି ସରିବା ସହ ୪ଟା ସୁଦ୍ଧା ସବୁ ରୀତିନୀତି ସଂପନ୍ନ ହୋଇଥିଲା। ଏପରିକି ୪ଟା ସୁଦ୍ଧା ରଥଟଣା ବି ଆରମ୍ଭ ହୋଇଥିଲା। କିନ୍ତୁ ମହାପ୍ରଭୁ ବଳଭଦ୍ରଙ୍କ ରଥ ମୋଡ଼ ବଦଳିବା କାରଣରୁ ରଥଟଣା ବିଳମ୍ବ ହୋଇଥିଲା। ପାଗ ଭଲ ହୋଇଥିବାରୁ ବିପୁଳ ପରିମାଣରେ ଭକ୍ତଙ୍କ ସମାଗମ ହୋଇଛି। ପାଖାପାଖି ଆଶାଠୁ ଦେଢ ଗୁଣ ଅଧିକ ଭକ୍ତ ଆସିଛନ୍ତି। ଯାହା ଗତ ବର୍ଷ ଅପେକ୍ଷା ବହୁତ ଅଧିକ। ତେବେ ରଥଟଣା ବିଳମ୍ବ ଘଟିବାରୁ ନନ୍ଦିଘୋଷ ରଥକୁ କେବଳ ବିଧି ମୁତାବକ କିଛି ପାଦ ଟଣା ଯାଇଛି। ଆସନ୍ତାକାଲି ସକାଳେ ପୁଣି ଥରେ ରଥଟଣା ହେବ। ଏଥର ରଥଯାତ୍ରା ଅଘଟଣଶୂନ୍ୟ ରହିଛି। 

କାହିଁକି ରାତି ୭ଟା ୪୫ରେ ନନ୍ଦିଘୋଷ ରଥ ଟଣାଗଲା। ଏହାର ଉତ୍ତରରେ ଆଇନ ମନ୍ତ୍ରୀ କହିଛନ୍ତି,  ଏଥିରେ ନୂଆ କଥା କିଛି ନୁହେଁ। ଏମିତି ଅନେକ ଥର ସୂର୍ଯ୍ୟାସ୍ତ ପରେ ବି ଲାଇଟ୍ ଲଗାଯାଇ ରଥଟଣା ହୋଇଛି। ରଥଯାତ୍ରା ଦିନ ରଥ  ଗଡ଼ିବାର ଯେଉଁ ବିଧି ରହିଛି ସେହି ପ୍ରକ୍ରିୟାର ପାଳନ କରାଯାଇଛି। ଆସନ୍ତାକାଲି ସକାଳେ ପୁଣି ରଥଟଣା ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି। 


ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବଦିନାତ୍ମକ ରଥଯାତ୍ରାର ପ୍ରଥମ ଦିନରେ ରଥା ଟଣା ସରିଛି। ଶୁକ୍ରବାର ଅପରାହ୍ନ ସାଢ଼େ ୪ରେ ରଥଟଣା ଆରମ୍ଭ ହୋଇଥିଲା। ବଡ଼ ଠାକୁର ବଳଭଦ୍ରଙ୍କ ରଥକୁ ପ୍ରଥମେ ଭିଡ଼ି ନେଇଥିଲେ ଭକ୍ତ। ଏହା ପରେ ମା’ ସୁଭଦ୍ରାଙ୍କ ରଥକୁ ଟାଣିଥିଲେ ଭକ୍ତ। ଶେଷରେ ଶ୍ରୀଜଗନ୍ନାଥଙ୍କ ରଥ ଟଣା ହୋଇଥିଲା।ତେବେ ପ୍ରଥମ ଦିନର ରଥ ଟଣା ପରେ ବଳଭଦ୍ରଙ୍କ ତାଳଧ୍ବଜ ରଥ ବଳଗଣ୍ଡି ଛକରେ ଅଟକିଛି। ସେହିଭଳି ମରିଚିକୋଟ ଟାଉନ ଥାନା ନିକଟରେ ଅଟକିଲା ମା’ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଅଳ୍ପ ବାଟ ଟଣା ଗଡ଼ି ସିଂହଦ୍ବାର ନିକଟରେ ହିଁ ଅଟକିଛି ନନ୍ଦିଘୋଷ ରଥ। ଶନିବାର ସକାଳ ସାଢ଼େ ୯ଟାରୁ ପୁଣି ରଥ ଟଣା ହେବ। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.