ରାଜ୍ୟରେ ବଦଳିବ ପାଗ, ୪ ରୁ ୬ ଡିଗ୍ରୀ ବଢିପାରେ ତାପମାତ୍ରା

Published By : Prameya-News7 Bureau | March 24, 2025 IST

ଭୁବନେଶ୍ୱର ୨୪।୦୩ : ବଦଳିବ ପାଗ । ସୋମବାର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ବର୍ଷା ସହିତ ବିଜୁଳି ଓ ଘଡ଼ଘଡ଼ି ବି ହୋଇପାରେ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଜଗତ୍‌ସିଂହପୁରରେ ବର୍ଷା  ହୋଇପାରେ । ଆସନ୍ତା ମଙ୍ଗଳବାରଠାରୁ ତାତି କ୍ରମଶଃ ଉପରମୁହାଁ ହେବ। ୪ରୁ ୫ ଦିନରେ ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ରାତି ତାପମାତ୍ରା ବି ୨ରୁ ୩ ଡିଗ୍ରୀ ବଢ଼ିଯିବ।

ତେବେ ଗତ ୨୪ ଘଣ୍ଟାରେ ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ୭୧.୨ ମିମି ବର୍ଷା ହୋଇଛି । ନୟାଗଡ଼ରେ ୨୮.୨, କଟକରେ ୨୮,  ଭଦ୍ରକରେ ୨୩, ଗୋପାଳପୁରରେ ୧୬.୫, ଚାନ୍ଦବାଲିରେ ୧୬.୬, କେନ୍ଦ୍ରାପଡ଼ାରେ ୧୬.୪, ବୌଦ୍ଧରେ ୧୬, ଭୁବନେଶ୍ୱରରେ ୧୨.୨, ତାଳଚେରରେ ୧୨, ଖୋର୍ଦ୍ଧାରେ ୧୧ ଓ ଦେବଗଡ଼ରେ ୧୦.୨ ମିମି ବର୍ଷା ରେକର୍ଡ ହୋଇଛି । ରବିବାର ସକାଳରୁ ସନ୍ଧ୍ୟା ଭିତରେ ଅନୁଗୁଳ ଓ ତାଳଚେରରେ କାଁ ଭାଁ ବର୍ଷା ହୋଇଛି । 

ରବିବାର ମାଲକାନଗିରିରେ ଦିନ ତାପମାତ୍ରା ସବୁଠୁ ଅଧିକ  ୩୭.୩ ଡିଗ୍ରୀ ଥିଲା । ରବିବାର ତୁଳନାରେ ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ସାମାନ୍ୟ ବଢ଼ିଛି । ନବରଙ୍ଗପୁରରେ ୩୫.୫ ଭବାନୀପାଟଣାରେ ୩୫, କୋରାପୁଟରେ ୩୪.୮, ବଲାଙ୍ଗୀର ଓ ଝାରସୁଗୁଡ଼ାରେ ୩୪ ଏବଂ ଖୋର୍ଦ୍ଧାରେ ୩୩  ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି। ଆଗକୁ ତାତି ଆହୁରି ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.