ଦୁଇଦିନ ପରେ ରାଜ୍ୟରେ ତାତି ବଢ଼ିବ, ଉପକୂଳ ଓଡ଼ିଶାରେ ୪୪ ଟପିବ ପାରଦ

Published By : Prameya-News7 Bureau | April 18, 2025 IST

ଭୁବନେଶ୍ୱର,୧୮/୦୪:  ଆସନ୍ତା ୨୦ ତାରିଖରୁ ରାଜ୍ୟରେ ତାତି ବଢ଼ିବ । ଉତ୍ତର ପଶ୍ଚିମ ଓ ଦକ୍ଷିଣ  ପଶ୍ଚିମ ଦିଗରୁ ଗରମ ପବନ ବହିବ । ପୁଣି ରାଜ୍ୟକୁ ଆସୁଥିବା ସାମୁଦ୍ରିକ ପବନ ଆଉ ଆସିବନି । ଫଳରେ  ରାଜ୍ୟରେ ତାପମାତ୍ରା ବଢ଼ିଯିବ । ୨୩  ଓ ୨୪ ତାରିଖ ବେଳକୁ ଉପକୂଳ  ଓଡ଼ିଶାରେ ତାତି ୪୪ରୁ ୪୫ ଡିଗ୍ରୀ ଛୁଇଁପାରେ । ପାଣିପାଗ ବିଶେଷଜ୍ଞ ଏଭଳି ପୂର୍ବାନୁମାନ କରିଛନ୍ତି ।

ସୋଆ ଜଳବାୟୁ ଓ ପରିବେଶ  କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ  ଆକଳନ କରି କହିଛନ୍ତି, ଉପକୂଳ ଓଡ଼ିଶାକୁ ଛାଡ଼ି ପଶ୍ଚିମ ଓଡ଼ିଶା ଓ ଅନ୍ୟ ସ୍ଥାନରେ ଶୁକ୍ରବାରଠାରୁ  ତାପମାତ୍ରା ଆହୁରି ବଢ଼ିବ । ଗୁରୁବାରଠୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ  ତାତି ଅଧିକ ରହିଛି । ୨୦ ତାରିଖ ବେଳକୁ ଉପକୂଳରେ ବି ତାତିର  ପ୍ରକୋପ ଦେଖିବାକୁ ମିଳିବ ।  

ଆଞ୍ଚଳିକ ପାଣିପାଗ ବିଜ୍ଞାନ  କେନ୍ଦ୍ର ପୂର୍ବାନୁମାନ କରି କହିଛି,  ଆସନ୍ତା ତିନି ଦିନ ପରେ ଦିନ  ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍‌ ବଢ଼ିଯିବ । ୨୦ ତାରିଖରେ ସୋନପୁର,  ବୌଦ୍ଧ, ବଲାଙ୍ଗୀର, ଟିଟିଲାଗଡ଼,  ଭବାନୀପାଟଣା, ଝାରସୁଗୁଡ଼ା ଓ  ସମ୍ବଲପୁରରେ ତାପମାତ୍ରା୪୨ ଡିଗ୍ରୀ  ରହିବ । ନୂଆପଡ଼ା, ସୁନ୍ଦରଗଡ଼ ଓ  ରାଉରକେଲାରେ ୪୧ ଡିଗ୍ରୀ,  ବରଗଡ଼ ଓ ନବରଙ୍ଗପୁରରେ  ତାପମାତ୍ରା ୪୦ଡିଗ୍ରୀ ଛୁଇଁବ । ୨୧ ତାରିଖରେ ଉପକୂଳର  ଜଗତସିଂହପୁର, ପୁରୀ, ଖୋର୍ଦ୍ଧା,  ନୟାଗଡ଼ ଓ ଢେଙ୍କାନାଳରେ ତାତି  ୪୦ ଡିଗ୍ରୀ ପାଖାପାଖି ରହିବ ।

ତେବେ ଶୁକ୍ରବାର ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦  ଡିଗ୍ରୀ ଉପରେ ରହିବ ବୋଲି ପାଣିପାଗ ବିଭାଗ  ଆକଳନ କରିଛି । ଗୁରୁବାର ଟିଟିଲାଗଡ଼ରେ ୪୦.୫ ଡିଗ୍ରୀ,ଭବାନୀପାଟଣାରେ ୪୦.୪, ଝାରସୁଗୁଡ଼ାରେ ୪୦.୩ ଡିଗ୍ରୀ, ସୋନପୁର, ସମ୍ବଲପୁର ଓ ବୌଦ୍ଧରେ ୩୯.୮, ହୀରାକୁଦରେ ୩୯.୫, ଅନୁଗୁଳରେ ତାପମାତ୍ରା ୩୯.୧ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.