ଗଙ୍ଗାନଗର ୮।୬: ରାଜସ୍ଥାନର ଅଧିକାଂଶ ଅଞ୍ଚଳରେ ଏବେ ଲୁ ବହୁଛି। ଫଳରେ ଦିନର ତାପମାତ୍ରା ବଢିବଢି ଚାଲିଛି। ଏହିକ୍ରମରେ ରବିବାର ଗଙ୍ଗାନଗରରେ ଦିନର ସର୍ବାଧିକ ତାପମାତ୍ରା ୪୭.୪ ଡିଗ୍ରି ସେଲସିୟସକୁ ପହଞ୍ଚିଥିବା ବେଳେ ଜନଜୀବନ ଗୁରୁତର ପ୍ରଭାବିତ ହୋଇଛି। ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଏବେ ଆଉ କିଛିଦିନ ଜାରି ରହିବ ବୋଲି ପାଣିପାଗ ବିଭାଗ ଅଧିକାରୀମାନେ ସତର୍କ କରିଛନ୍ତି।
ବିଭାଗ ଅନୁସାରେ ଗଙ୍ଗା ନଗରରେ ରବିବାର ମଧ୍ୟାହ୍ନ ସୁଦ୍ଧା ତାପମାତ୍ରା ୪୭.୪ ଡିଗ୍ରି ସେଲସିୟସକୁ ପହଞ୍ଚିଥିବା ବେଳେ ବିକାନେରରେ ୪୬, ବାଡମେରରେ ୪୫.୯, ଚୁରୁରେ ୪୫.୬, ଫଲୋଦୀରେ ୪୫.୪, ଜୈସାଲମେରରେ ୪୫.୨ ଓ କୋଟାରେ ୪୫ ଡିଗ୍ରି ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି। ଜୟପୁରସ୍ଥିତ ପାଣିପାଗ କେନ୍ଦ୍ର ଅନୁସାରେ ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ରାଜସ୍ଥାନର ଅଧିକାଂଶ ଅଞ୍ଚଳରେ ପାଗ ସୁଖିଲା ରହିବ।
ଏଥିରେ ପାଣିପାଗ ବିଭାଗ ଉତ୍ତର-ପଶ୍ଚିମ ରାଜସ୍ଥାନର ବିକେନେର ସଂଭାଗରେ ଜୁନ ୧୧ ତାରିଖ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରା ୪୫ରୁ ୪୭ ଡିଗ୍ରି ପର୍ଯ୍ୟନ୍ତ ବଢିବ ବୋଲି ସତର୍କ କରାଇଛନ୍ତି। ଏହି ସମୟରେ ଅନେକ ସ୍ଥାନରେ ଲୁ ବହିବାର ସମ୍ଭାବନା ଥିବାର ମଧ୍ୟ ସୂଚନା ଦିଆଯାଇଛି। ତେବେ ଏହି ସମୟରେ ପାଣିପାଗ ବିଭାଗ ବିକାନେର ସମ୍ଭାଗ ଆଖପାଖ ଅଞ୍ଚଳରେ ୮ରୁ ୧୦ ଜୁନ ମଧ୍ୟରେ ୩୦ରୁ ୪୦ କିଲୋମିଟର ବେଗରେ ଧୂଳି ଝଡର ଆକଳନ କରିଛନ୍ତି।