ତେଲେଙ୍ଗାନା ଔଷଧ କାରଖାନା ବିସ୍ଫୋରଣ ମାମଲା: ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି

Published By : Prameya-News7 Bureau | July 01, 2025 IST

indiatoday

ନୂଆଦିଲ୍ଲୀ: ସୋମବାର ତେଲେଙ୍ଗାନା ସାଙ୍ଗାରେଡ୍ଡି ଜିଲ୍ଲାରେ ଥିବା ଔଷଧ କାରଖାନାରେ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି।  ଉଦ୍ଧାରକାରୀମାନେ ବିସ୍ଫୋରଣ ସ୍ଥାନରୁ ଭଗ୍ନାବଶେଷ ସଫା କରିବା ଜାରି ରଖିଛନ୍ତି। ଜିଲ୍ଲାର ପଶାମିଲାରାମର ସିଗାଚି ଇଣ୍ଡଷ୍ଟ୍ରିଜ୍ ଫାର୍ମା ପ୍ଲାଣ୍ଟରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ପୋରଣ ମୋଟ ମୃତ୍ୟୁ ନେଇ ଜିଲ୍ଲା ଏସ୍‌ପି ପରିତୋଷ ପଙ୍କଜ ମଙ୍ଗଳବାର ସୂଚନା ଦେଇଛନ୍ତି। 

ପିଟିଆଇକୁ ପ୍ରତିକ୍ରିୟା ଦେଇ ଏସ୍‌ପି କହିଛନ୍ତି “ଧ୍ୱଂସାବଶେଷ ତଳୁ ୩୧ ଜଣଙ୍କ ମୃତଦେହ ବାହାର କରାଯାଇଥିଲା। ଏବଂ ଅନ୍ୟ ତିନି ଜଣଙ୍କର ଆହତ ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଉଦ୍ଧାର କାର୍ଯ୍ୟର ଶେଷ ପର୍ଯ୍ୟାୟ ଏପର୍ଯ୍ୟନ୍ତ ଜାରି ରହିଛି”

କରାଖାନର ରିଆକ୍ଟର ଭିତରେ ରାସାୟନିକ ପ୍ରତିକ୍ରିୟା ଯୋଗୁ ଏହି ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି। ସୋମବାର, ଜୁନ୍ ୩୦ ସକାଳ ୮:୧୫ ରୁ ୯:୩୫ ମଧ୍ୟରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲେ ଯେ କାରଖାନାର ଛାତ ଉଡ଼ିଯିବା ସହିତ ଶ୍ରମିକମାନେ କିଛି ଫୁଟ ଅପରକୁ ଉଠି ଛିଟିକି ପଡ଼ିଲେ। 

ଉଦ୍ଧାର ଏବଂ ଅଗ୍ନି ନିର୍ବାପନ କାର୍ଯ୍ୟ ପାଇଁ ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (NDRF), ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (SDF), ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ଏବଂ ପୋଲିସକୁ ନିୟୋଜିତ କରାଯାଇଥିଲା। ନିଆଁ ଲିଭା କାର୍ଯ୍ୟରେ ଦୁଇଟି ରୋବୋଟର ବ୍ୟବହାର ମଧ୍ୟ କରାଯାଇଥିଲା।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେଭନ୍ତ ରେଡ୍ଡୀ ଆଜି ଘଟଣା ସ୍ଥଳ ପରିଦର୍ଶନ କରିବେ ବୋଲି ତେଲେଙ୍ଗାନା ସ୍ୱାସ୍ଥ୍ୟ ମନ୍ତ୍ରୀ ସି ଦାମୋଦର ରାଜନରସିହ୍ମା କହିଛନ୍ତି। ସେପଟେ ସିଗାଚି ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପ୍ଲାଣ୍ଟର କାର୍ଯ୍ୟକୁ ୯୦ ଦିନ ପାଇଁ ସ୍ଥଗିତ ରଖିଛି। ବିସ୍ଫୋରଣର କାରଣ ତଦନ୍ତ କରିବା ରାଜ୍ୟ ସରକାର ଏକ ପାଞ୍ଚ ଜଣିଆ କମିଟି ଗଠନ କରିଛନ୍ତି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ପାଇଁ ଅନୁକମ୍ପା ସହାୟତା ଘୋଷଣା କରିସାରିଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.