ତେଲେଙ୍ଗାନା କେମିକାଲ୍ ଫ୍ୟାକ୍ଟ୍ରି ବିସ୍ଫୋରଣ ଘଟଣା, ରୋଜଗାର ପାଇଁ ଯାଇ ଶବ ହୋଇ ଫେରିଲେ ଓଡ଼ିଆ ଯୁବକ

Published By : Prameya-News7 Bureau | July 01, 2025 IST

ଆଠଗଡ଼: ଘରର ଆର୍ଥିକ ସ୍ଥିତିକୁ  ଦୃଷ୍ଟିରେ ରଖି ରାଜ୍ୟ ବାହାରକୁ ଯାଇଥିଲେ ରୋଜଗାର କରିବାକୁ। ହେଲେ କିଏ ଜାଣିଥିଲା ଫେରିବେ ଶବ ହୋଇ । ତେଲେଙ୍ଗାନା ସାଙ୍ଗାରେଡ୍ଡି ଜିଲ୍ଲା ଅନ୍ତର୍ଗତ ପଶମିଲାରାମ ଶିଳ୍ପାଞ୍ଚଳରେ ଥିବା ରାସାୟନିକ କାରଖାନା ସିଗାଛି ଫାର୍ମା କମ୍ପାନୀରେ ହୋଇଥିବା ବିସ୍ଫୋରଣରେ କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ପାଇକିଆଁରା ଗ୍ରାମରେ ଜଣେ ଯୁବ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ଉକ୍ତ କାରଖାନାରେ  ଦିନ ମଜୁରିଆ ଶ୍ରମିକ ଭାବେ କାର୍ଯ୍ୟକରୁଥିବା ଏହି ଯୁବକ ଜଣଙ୍କ ହେଉଛନ୍ତି ତିଗିରିଆ ପାଇକିଆଁରା ଗ୍ରାମର ମାନସ ଦୁଆରିଙ୍କ  ୨୧ ବର୍ଷୀୟ ପୁଅ ଲଗ୍ନଜିତ ଦୁଆରି । 

ବାପା ମାନସ ଦୁଆରି ଜଣେ ପରିବା ବ୍ୟାବସାୟୀ ହୋଇଥିଲା ବେଳେ ଘରେ ମା ଓ ଗୋଟିଏ ଛୋଟ ଭଉଣୀ ଅଛନ୍ତି। ଘରେ ଟଙ୍କାର ଆବଶ୍ୟକତା ଥିବାରୁ ଲଗ୍ନଜିତ୍ ଘରୁ ଗୋଡ କାଢିଥିଲେ ରୋଜଗାର କରିବା ପାଇଁ । ଉକ୍ତ କମ୍ପାନୀରେ ପୂର୍ବରୁ କାମ କରୁଥିବା ନିଜ ମାମୁଁ ତାଙ୍କ ପାଇଁ ଏହି କମ୍ପାନୀରେ କାମ  ବୁଝି ଦେଇଥିଲେ l ଉକ୍ତ ରାସାୟନିକ କାରଖାନାରେ ସୋମବାର ସକାଳ ପ୍ରାୟ ୮.୧୫ରୁ ୯.୩୦ ମଧ୍ୟରେ ଏହି ବିସ୍ଫୋରଣ ଘଟିଥିଲା। ସେତେବେଳେ କାରଖାନାରେ ପ୍ରାୟ ୧୦୦ ଶ୍ରମିକ କାମ କରୁଥିଲେ । ରିଆକ୍ଟରରେ ସାଙ୍ଘାତିକ ରାସାୟନିକ ପ୍ରତିକ୍ରିୟା ହେବା ଯୋଗୁ ବିସ୍ଫୋରଣ ହୋଇଥ‌ିବା ଜଣାପଡ଼ଛି । ବିସ୍ଫୋରଣ ପରେ କାରଖାନା ପରିସରରେ ନିଆଁ ଲାଗିଯାଇଥିଲା । ଏହି ଘଟଣାରେ  ମୋଟ ୩୮ ଜଣ ମୃତ୍ୟୁ ଘଟିଥିବା ବେଳେ ଲଗ୍ନଜିତ୍ ଏକମାତ୍ର ଓଡ଼ିଆ ବୋଲି ସୂଚନା ମିଳିଛି । 

ତେବେ କମ୍ପାନୀ ତରଫରୁ ଆଜି ଅପରାହ୍ନରେ ତାଙ୍କ ଶବକୁ ଆମ୍ବୁଲାନ୍ସ ଯୋଗେ ନିଜ ଗ୍ରାମକୁ ପଠାଯାଇଥିଲା ବେଳେ ଆସନ୍ତାକାଲି ଅପରାହ୍ନ ବେକକୁ ମରଶରୀର ପାଇକିଆଁରା ଗ୍ରାମରେ ପହଞ୍ଚିବ ବୋଲି ଜଣାପଡିଛି। ତେବେ ଏକ ମାତ୍ର ରୋଜଗାରିଆ ପୁଅର ଅକାଳ ମୃତ୍ୟୁରେ ମାନସଙ୍କ ପୁରା ପରିବାର ଭାଙ୍ଗି ପଡିଥିଲା ବେଳେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.