ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ର ଦ୍ଵିତୀୟ ମୁକାବିଲା ଜୁଲାଇ ୨ରେ ବର୍ମିଂହାମର ଏଜବାଷ୍ଟନରେ ଖେଳାଯିବ। ଲିଡ୍ସରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ପରାଜୟ ଭୋଗିଛି। ଏବେ ସିରିଜ୍ରେ ପ୍ରତ୍ୟାବର୍ତ୍ତନ କରିବାକୁ ହେଲେ ଦ୍ଵିତୀୟ ଟେଷ୍ଟ ଜିତିବା ଜରୁରୀ। ତେବେ ଏହା ସେତେ ସହଜ ନୁହେଁ। କାରଣ ଦଳର ସବୁଠୁ ଗୁରୁତ୍ଵପୂର୍ଣ୍ଣ ବୋଲର ଯଶପ୍ରୀତ ବୁମରାଙ୍କ ଦ୍ଵିତୀୟ ଟେଷ୍ଟ ଖେଳିବା ମୁସ୍କିଲ ଲାଗୁଛି।
ରିପୋର୍ଟ ଅନୁଯାୟୀ କାର୍ଯ୍ୟଚାପକୁ ଦୃଷ୍ଟିରେ ରଖି ବୁମରା ଦ୍ଵିତୀୟ ଟେଷ୍ଟ ମ୍ୟାଚ୍ ଖେଳିବେ ନାହିଁ। ଏହା ନିଶ୍ଚିତ ଭାବେ ଭାରତ ପାଇଁ ବଡ଼ ଝଟକା। କୁହାଯାଉଛି ଇଂଲଣ୍ଡ ଆଜବେଷ୍ଟନରେ ଦ୍ରୁତ ବୋଲରଙ୍କୁ ସୁହାଇଲା ପରି ପିଚ୍ ପ୍ରସ୍ତୁତ କରିପାରେ। ସାଧାରଣତଃ ଏହି ପିଚ୍ରେ ରନ ହୋଇଥାଏ, ମାତ୍ର ଏବେ ବୁମରାଙ୍କ ଅନୁପସ୍ଥିତିର ଫାଇଦା ଉଠାଇ ଇଂଲଣ୍ଡ ପିଚ୍ରେ ଘାସ ଛାଡ଼ିପାରେ। ଫଳରେ ଦ୍ରୁତ ବୋଲରଙ୍କୁ ପିଚ୍ ବେଶ ସୁହାଇପାରେ।
Also read: ଗିରଫ ହେବେ କି ୱେଷ୍ଟଇଣ୍ଡିଜ ବୋଲର ଶାମର ଜୋସେଫ ? ଦୁଷ୍କର୍ମ ଅଭିଯୋଗ ଆଣିଲେ ୧୧ ମହିଳା
ସବୁଠୁ ବଡ଼ ପ୍ରଶ୍ନ ଯଦି ଯଶପ୍ରୀତ ବୁମରା ଖେଳିବେ ନାହିଁ ତାଙ୍କ ସ୍ଥାନରେ କାହାକୁ ସୁଯୋଗ ମିଳିବ ? ଦଳରେ ଆକାଶଦୀପ ଓ ଅର୍ଶଦୀପଙ୍କ ପରି ବୋଲର ଅଛନ୍ତି। ତେବେ ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂଙ୍କୁ ଟେଷ୍ଟ କ୍ରିକେଟ୍ରେ ଡେବ୍ୟୁ କରି ପାରନ୍ତି। ଅର୍ଶଦୀପ ଭାରତ ପାଇଁ ଟେଷ୍ଟ କ୍ରିକେଟ୍ ଖେଳି ନ ଥିଲେ ବି ସେ ଇଂଲଣ୍ଡରେ କାଉଣ୍ଟି କ୍ରିକେଟ୍ ଖେଳି ସାରିଛନ୍ତି।
ଏପରିକି ଏହା ମଧ୍ୟ କୁହାଯାଉଛି ଯେ, ଭାରତୀୟ କ୍ରିକେଟ୍ ଦଳ ଦ୍ଵିତୀୟ ଟେଷ୍ଟ ପାଇଁ ଶାର୍ଦ୍ଦୁଳ ଠାକୁରଙ୍କ ସ୍ଥାନରେ ଓ୍ଵାଶିଂଟନ ସୁନ୍ଦରଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରି ପାରନ୍ତି। ଦଳରେ ଚାଇନାମ୍ୟାନ ସ୍ପିନର କୁଲଦୀପ ଯାଦବଙ୍କ ବି ଅଛନ୍ତି। ମାତ୍ର ସୁନ୍ଦର ଅଫ ସ୍ପିନ ବୋଲିଂ ସହିତ ଭଲ ବ୍ୟାଟିଂ ବି କରି ପାରନ୍ତି। ତେଣୁ ତାଙ୍କର ଖେଳିବାର ଅଧିକ ସମ୍ଭାବନା ରହିଛି।
ଦ୍ଵିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳର ସମ୍ଭାବିତ ଏକାଦଶ
ଯଶସ୍ଵୀ ଜୟସ୍ଵାଲ, କେଏଲ ରାହୁଲ, ସାଇ ସୁଦର୍ଶନ, ଶୁଭମନ ଗିଲ୍(ଅଧିନାୟକ), ଋଷଭ ପନ୍ତ(ଓ୍ଵିକେଟ୍ କିପର), କରୁଣ ନାୟର, ରବୀନ୍ଦ୍ର ଜାଡ଼େଜା, ଶାର୍ଦ୍ଦୁଳ ଠାକୁର/ଓ୍ଵାଶିଂଟନ ସୁନ୍ଦର, ଅର୍ଶଦୀପ ସିଂ/ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ଓ ପ୍ରସିଦ୍ଧ କୃଷ୍ଣ।