ବାଲେଶ୍ଵର: ଭାଇରାଲ ଅଡିଓ କଲକୁ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ ତମସା ମିଶ୍ର । ତୁଳସୀ ଅପେରା ମାଲିକ ଅନନ୍ତ ନାରାୟଣ ଧଳ ଓରଫ୍ ନାଣ୍ଡୁ ବାବୁ ଓ ସୂର୍ଯ୍ୟ ମନ୍ଦିର ମାଲିକ ପ୍ରମୋଦ ସ୍ବାଇଁ ଓରଫ କାଳିଆ ବାବୁଙ୍କ ସହ ହୋଇଥିବା କନଫେରେନ୍ସ କଲ କେମିତି ଭାଇରାଲ ହେଲା ତାକୁ ନେଇ ଆଶ୍ଚର୍ଯ୍ୟ ହୋଇଛନ୍ତି ତମସା । ମିଡିଆ ସାମ୍ନାରେ ଅଭିନେତାଙ୍କ କୁନାଙ୍କ ଫଟୋ ଦେଖାଇ ନାଣ୍ଡୁ ବାବୁ ତାଙ୍କ ସମ୍ପର୍କରେ କହିଥିବା କଥାକୁ ନେଇ ନାଣ୍ଡୁ ବାବୁଙ୍କ ଉପରେ ଖପ୍ପା ହୋଇଛନ୍ତି କୁନା । ସେପଟେ ସୁସ୍ଥ ହେବା ପରେ ପୁଣି ମଞ୍ଚକୁ ଫେରିବେ ବୋଲି କହିଛନ୍ତି ଅଭିନେତ୍ରୀ ନମିତା ଭୁୟାଁ ।
ଫୋନ୍ କଲ୍ରେ ପାର୍ଟି ଭାଙ୍ଗିବାକୁ ହେଉଛି ଷଡ଼ଯନ୍ତ୍ର । ଅନ୍ୟ ପାର୍ଟିରୁ କଳାକାରଙ୍କୁ ଆଣି ନିଜ ପାର୍ଟିରେ ମିଶାଇବାକୁ ଚାଲିଛି ଉଦ୍ୟମ । ଦୁଇ ଯାତ୍ରା ମାଲିକଙ୍କ ଅଡ଼ିଓ କଲ୍ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଥିବା ବେଳେ ଏହା କେମିତି ଭାଇରାଲ୍ ହେଲା ତାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ଫୋନ୍ କଲରେ ଥିବା ଅଭିନେତ୍ରୀ ତମସା ମିଶ୍ର । ତୁଳସୀ ଅପେରା ମାଲିକ ଅନନ୍ତ ନାରାୟଣ ଧଳ ଓରଫ୍ ନାଣ୍ଡୁ ବାବୁ ଓ ସୂର୍ଯ୍ୟ ମନ୍ଦିର ମାଲିକ ପ୍ରମୋଦ ସ୍ବାଇଁ ଓରଫ କାଳିଆ ବାବୁ ଏବଂ ଅଭିନେତ୍ରୀ ତମସା ମିଶ୍ରଙ୍କ ଭିତରେ ହୋଇଥିବା କନଫରେନ୍ସ ଅଡ଼ିଓ କଲ୍ ଯାତ୍ରାରେ ଚାଲିଥିବା ଷଡ଼ଯନ୍ତ୍ରକୁ ପଦାରେ ପକାଇଦେଇଛି । ତେବେ ଏହି ଅଡ଼ିଓ କଲକୁ ନେଇ ନୂଆ ଓ ପୁରୁଣା ପାର୍ଟି ମାଲିକଙ୍କ ଭିତରେ ସୃଷ୍ଟି ହୋଇଛି ଝଡ଼ । ଆଉ ଥିରେ ଟିକେ ନଜର ପକାଇବା ସେହି ଅଡ଼ିଓ କଲ ଉପରେ ।
ତେବେ ଏହି କଲରେ ନାଣ୍ଡୁ ବାବୁଙ୍କ ଠାରୁ ଅଫର ପାଇଥିବା ଅଭିନେତ୍ରୀ ତମସା ମୁହଁ ଖୋଲିଛନ୍ତି । କହିଛନ୍ତି ସେ ଯାତ୍ରା ସିଂହ ବାହିନୀରେ ବର୍ଷକ ପାଇଁ ଅନୁବନ୍ଧିତ ହୋଇଛନ୍ତି । ଆଉ ୭୦ ପ୍ରତିଶତ ଆଡଭାନ୍ସ ନେଇ ସାରିଛନ୍ତି । ଆସନ୍ତା ଜାନୁଆରୀ ୬ ତାରିଖ ଦିନ ସେ କାହିଁକି ପାର୍ଟିରୁ ଆଉଟ ହେବେ ? ନାଣ୍ଡୁ ବାବୁ ତାଙ୍କୁ କାହିଁକି ଏମିତି କହିଲେ ? ସେ ଜାଣି ପାରୁ ନାହାନ୍ତି ବୋଲି ନ୍ୟୁଜ୍ 7 କ୍ୟାମେରା ଆଗରେ କହିଛନ୍ତି । ସେପଟେ ମିଡିଆ ସାମ୍ନାରେ କୁନାଙ୍କ ଫଟୋ ଦେଖାଇ ନାଣ୍ଡୁ ବାବୁ କହିଲେ ଯେ ତାଙ୍କୁ ନରଖିବା ପାଇଁ ମାଲିକ ସଂଘ ନିର୍ଦ୍ଦେଶ ଦେଇଛନ୍ତି । ଏକଥାକୁ ନେଇ ଅଭିନେତା କୁନା ନାଣ୍ଡୁ ବାବୁଙ୍କ ଉପରେ ବର୍ଷିଛନ୍ତି ।
ଯାତ୍ରା ଜଗତର ଏହି ସବୁ ବିବାଦକୁ ନେଇ ନାଟ୍ୟକାର ମନୋଜ ପଣ୍ଡା ଓଁକାର ଅପେରା ପାର୍ଟି ପାଇଁ ଏକ ନାଟକ କରୁଛନ୍ତି । ଯାହାର ନାଁ ରଖିଛନ୍ତି ‘ବଞ୍ଚିବାକୁ ଏଠି ଭୟ ଲାଗୁଛି’ । ଆଉ ତା’ପରର ନାଟକ କରିବେ ରାତି ବାରଟାକୁ ସ୍ବାମୀ ୧୩ଟା । ନାଟକର ଏଭଳି ନାଁକୁ ନେଇ ଜୋର୍ ଧରିଛି ଚର୍ଚ୍ଚା । ସେପଟେ ସୁସ୍ଥ ହେବା ପରେ ପୁଣି ମଞ୍ଚକୁ ଫେରିବେ ଅଭିନେତ୍ରୀ ନମିତା ଭୂୟାଁ । ନ୍ୟୁଜ୍ 7 କ୍ୟାମେରା ଆଗରେ ଏକଥା ସ୍ପଷ୍ଟ କରିଛନ୍ତି ନମିତା ।
ଆସନ୍ତା ଯାତ୍ରା ଋତୁ ପାଇଁ ଜମିଲାଣି ଆଖଡ଼ାଶାଳ । ନିଜ ନିଜ ପାର୍ଟିର ନୂଆ ନାଟକକୁ ନେଇ ଏବେ ଅଭ୍ୟାସରେ ବ୍ୟସ୍ତ କଳାକାର । ଏସବୁ ଭିତରେ କିଛି ଯାତ୍ରାର ସୌଦାଗର ଏବେ ଘୋଡ଼ା ବେପାରରେ ମାତିଛନ୍ତି । କଳେ ବଳେ କୌଶଳେ ଅନ୍ୟ ପାର୍ଟିକୁ ଦୁର୍ବଳ କରିବା ସହ ନିଜେ ସବଳ ହେବାକୁ ଆରମ୍ଭ କରିଦେଇଛନ୍ତି ସଡ଼ଯନ୍ତ୍ର । ଖାଲି ଏତିକି ନୁହେଁ, ଯାତ୍ରାକୁ ନେଇ ନ୍ୟୁଜ୍ 7 କ୍ୟାମେରା ଆହୁରି ଅନେକ ବିସ୍ଫୋରଣ କରିଛନ୍ତି ଅଭିନେତ୍ରୀ ତମସା ମିଶ୍ର । ।