‘ବିଜେପି କର୍ମୀଙ୍କୁ ୧୦ ରୁ ୧୫ ହଜାର କଡ଼ନ ପାସ ଦିଆଯାଇଛି, ରଥଯାତ୍ରାରେ ଚରମ ବିଶୃଙ୍ଖଳାକୁ ଡାକି ଆଣିଛନ୍ତି’

Published By : Prameya-News7 Bureau | June 28, 2025 IST

ଭୁବନେଶ୍ଵର: ରଥଯାତ୍ରାରେ ବିଶୃଙ୍ଖଳା ନେଇ ବିଜେପି ସରକାରକୁ ଟାର୍ଗେଟ କଲା ବିଜେଡ଼ି । ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କ ରଥଯାତ୍ରା ପରିଚାଳନା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ବିଜେପି ସରକାରର ପ୍ରଥମ ରଥଯାତ୍ରାରେ ଯେଉଁ ବିଭ୍ରାଟ ହୋଇଥିଲା ତାହାର ଯେଉଁ ତଦନ୍ତ କରାଯାଇ ଥିଲା ଯଦି ତାର ସଠିକ ପଦକ୍ଷେପ ନିଆ ଯାଇଥାନ୍ତା ତେବେ ଆଜି ଏହି ବିରାଟ ଭୁଲ ହୋଇ ନଥାନ୍ତା।  ଗୋଟିଏ ଭୁଲକୁ ଘୋଡ଼େଇ ବାକୁ ଯାଇ ଅନେକ ଭୁଲ କରିବାରେ ଏହି ସରକାର ସିଦ୍ଧହସ୍ତ । 

ଅରୁଣ କହିଛନ୍ତି, ଗତକାଲି ଜଗନ୍ନାଥଙ୍କ ରଥ ଆଗକୁ ଗଡ଼ିଲା ନାହିଁ ତାର କାରଣ ହେଉଛି ହଜାର ହଜାର କଡ଼ନ ପାସ । ଅଫିସିଆଲି ୬୦୦୦ କହୁଛନ୍ତି କିନ୍ତୁ ଅନଅଫିସିଆଲି ଯାହା ଖବର ଅଛି ୧୦ ରୁ ୧୫ ହଜାର କଡ଼ନ ପାସ ଦେଇଛନ୍ତି କେବଳ ତାଙ୍କ ଦଳର କର୍ମୀ ମାନଙ୍କୁ । ସନ୍ତୁଷ୍ଟି କରଣ ରାଜନୀତି କରିବା ପାଇଁ ତାଙ୍କ ଦଳର କର୍ମୀମାନଙ୍କୁ ଏତେ ସଂଖ୍ୟାରେ କଡ଼ନ ପାସ ଦେଲେ ଯାହାକି ଚରମ ବିଶୃଙ୍ଖଳାକୁ ଡାକି ଆଣିଲା । ଏ ସରକାର ପାଇଁ ତାଙ୍କ କର୍ମୀ ବଡ଼ ହୋଇଗଲେ ଓଡ଼ିଆ ଅସ୍ମିତା ଛୋଟ ହେଇଗଲା । ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଯାତ୍ରା ରେ କଳଙ୍କ ର ଛିଟା ଗତକାଲି ପଡ଼ିଛି । ତେଣୁ ସରକାର ତୁରନ୍ତ ପ୍ରାୟଶ୍ଚିତ କରନ୍ତୁ ।


ଯେଉଁମାନେ ଦାୟୀ ଫଲ୍ସ ପାସ ବାଣ୍ଟିବାରେ ସେମାନଙ୍କୁ କଠିନ ଦଣ୍ଡ ଦିଅନ୍ତୁ । ଯଦି ସେଥିରେ କୌଣସି ମନ୍ତ୍ରୀଙ୍କର ହାତ ଅଛି ତାଙ୍କୁ ତୁରନ୍ତ ବହିଷ୍କାର କରନ୍ତୁ । ଆଇନଶୃଙ୍ଖଳାକୁ ସମ୍ଭାଳି ପାରିବାର ଯେଉଁ ସାମର୍ଥ୍ୟ ନାହିଁ ସେଥିପାଇଁ ଗୃହ ବିଭାଗର ସମସ୍ତେ ଲଜ୍ଜିତ ଅନୁଭବ କରନ୍ତୁ । କୋଟି କୋଟି ଭାବାବେଗ ସହ ଏ ସରକାର ଖେଳିଛନ୍ତି । ସାରା ବିଶ୍ୱରେ ଆଜି ଓଡ଼ିଆ ଅସ୍ମିତା ବାରମ୍ବାର କୁଠାର ଘାତ ହେଉଛି । ଏବେ ତ ଇଏ ସରକାର ଟିକେ ହେଜନ୍ତୁ ଚେତନ୍ତୁ । ଭୁ କୁ ଆଉ ଘୋଡ଼ାନ୍ତୁନି । ଯିଏ ଭୁଲ କରୁଛି ତାକୁ ଶାସ୍ତି ଦିଅନ୍ତୁ। ନ ହେଲେ ନିଜେ ଶାସ୍ତି ପାଇବାକୁ ଆଗଭର ହୁଅନ୍ତୁ  ବୋଲି ଅରୁଣ ସାହୁ କହିଛନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.