ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ବହୁ ପ୍ରତୀକ୍ଷିତ ଟେଷ୍ଟ ସିରିଜ୍ ଆସନ୍ତାକାଲିଠୁ ଆରମ୍ଭ ହେବ। ତେବେ ଏହା ପୂର୍ବରୁ ଭାରତୀୟ ଦଳ ପାଇଁ ଆସିଛି ନିରାଶଜନକ ଖବର। ଦୀର୍ଘ ୮ ବର୍ଷ ପରେ ଟିମ୍ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିଥିବା କରୁଣ ନାୟର ଅଭ୍ୟାସ ସମୟରେ ଆହତ ହୋଇଛନ୍ତି। ପ୍ରସିଦ୍ଧ କୃଷ୍ଣାଙ୍କ ଏକ ବଲ୍ ତାଙ୍କ ପେଟରେ ବାଜିଛି। କିଛି ସମୟ ସେ ବ୍ୟାଟିଂ କରିବା ଜାରି ରଖିଥିଲେ ହେଁ ନିଜକୁ ଫିଟ୍ ଅନୁଭବ କରି ନ ଥିଲେ। ଏହା ପରେ ସେ ଅଭ୍ୟାସ ବନ୍ଦ କରି ଦେଇଥିଲେ ଏବଂ ଫିଜିଓଙ୍କ ସହ କଥା ହୋଇଥିଲେ। ତେବେ କରୁଣ ନାୟରଙ୍କ ଏହି ଆହତ କେତେ ଗମ୍ଭୀର ତାହା ଜଣା ପଡ଼ିନାହିଁ।
Also read: କାହିଁକି ଟେଷ୍ଟ କ୍ୟାପ୍ଟେନ ହେଲେନି, BCCI କ'ଣ କହିଥିଲା; ପ୍ରଥମ ଥର ମୁହଁ ଖୋଲିଲେ ବୁମରା
ଇଂଲଣ୍ଡ ଗସ୍ତରେ ଏହି ବ୍ୟାଟର ଦମଦାର ଫର୍ମରେ ଅଛନ୍ତି। ସେ ଅଭ୍ୟାସ ମ୍ୟାଚରେ ୨୫୯ ରନ କରି ସଭିଙ୍କୁ ପ୍ରଭାବିତ କରିଛନ୍ତି। କରୁଣ ନାୟର ଭାରତ ପାଇଁ ଶେଷ ଟେଷ୍ଟ ମ୍ୟାଚ୍ ୨୦୧୭ରେ ଖେଳିଥିଲେ। ୮ ବର୍ଷ ପରେ ସେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଚୂଡ଼ାନ୍ତ ଏକାଦଶରେ ସେ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି। ହେଲେ ମ୍ୟାଚ୍ ପୂର୍ବରୁ ଏହି ଆଘାତ ସମସ୍ୟା ତାଙ୍କ ସହ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି।
ଯଦି କରୁଣ ନାୟର ଫିଟ୍ ଘୋଷିତ ନ ହୁଅନ୍ତି ତେବେ ଚୂଡ଼ାନ୍ତ ଏକାଦଶରେ ତାଙ୍କ ସ୍ଥାନ ଅନ୍ୟ କୌଣସି ଖେଳାଳି ନେଇ ପାରନ୍ତି। ଏମିତି ସ୍ଥିତିରେ ଅଭିମନ୍ୟୁ ଈଶ୍ଵରନଙ୍କ ନାଁ ସର୍ବାଗ୍ରେ ରହିଛି। ଈଶ୍ଵରନ ଦୀର୍ଘ ସମୟ ଧରି ଭାରତୀୟ ଏ ଦଳ ଓ ଘରୋଇ କ୍ରିକେଟରେ ପ୍ରଭାବଶାଳୀ ପ୍ରଦର୍ଶନ କରି ଆସିଛନ୍ତି। ତେବେ ମ୍ୟାଚ୍ ଦିନ ଟସ୍ ପୂର୍ବରୁ ଏହି ନିଷ୍ପତ୍ତି ନେବାକୁ ପଡିବ ଯେ, କାହାକୁ ଦଳରେ ସ୍ଥାନ ମିଳିବ। ଅନ୍ୟପଟେ ଇଂଲଣ୍ଡ ପ୍ରଥମ ଟେଷ୍ଟ ମୁକାବିଲା ପାଇଁ ଦଳ ଘୋଷଣା କରି ସାରିଛି।