କାହିଁକି ଟେଷ୍ଟ କ୍ୟାପ୍ଟେନ ହେଲେନି, BCCI କ'ଣ କହିଥିଲା; ପ୍ରଥମ ଥର ମୁହଁ ଖୋଲିଲେ ବୁମରା

Published By : Prameya-News7 Bureau | June 17, 2025 IST

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଫାଷ୍ଟ ବୋଲର ଜଶପ୍ରୀତ ବୁମରା କ୍ୟାପ୍ଟେନ ନହେବା ଉପରେ ଶେଷରେ ମୁହଁ ଖୋଲିଛନ୍ତି । ୱାର୍କଲୋଡକୁ ଦେଖି ଇଂଲଣ୍ଡ ଗସ୍ତ ବେଳେ କ୍ୟାପ୍ଟେନ ହେବା ପ୍ରସ୍ତାବକୁ ନିଜେ ମନା କରିଥିଲେ ବୋଲି ବୁମରା କହିଛନ୍ତି । ସେ ମନା କରିବା ପରେ ହିଁ ବିସିସିଆଇ ଷ୍ଟାର୍ ବ୍ୟାଟର ଶୁଭମନ ଗିଲଙ୍କୁ ନୂଆ କ୍ୟାପ୍ଟେନ ନିଯୁକ୍ତ କରିଥିଲା । ଜୁନ୍ ୨୦ରୁ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ କ୍ୟାପ୍ଟେନ ନହେବା ନିଷ୍ପତ୍ତି ଉପରେ ନିଜ ପ୍ରତିକ୍ରିୟା ଦେଇଛନ୍ତି । ରୋହିତ୍ ଶର୍ମାଙ୍କ ଅବସର ପରେ ବୁମରା କ୍ୟାପ୍ଟେନ ହେବା ପାଇଁ ସବୁଠୁ ବଡ଼ ଦାବିଦାର ଥିଲେ, କାରଣ ସେ ଦଳର ଉପଅଧିନାୟକ ଥିଲେ ।

୩୧ ବର୍ଷୀୟ ବୁମରା ସ୍କାଇ ସ୍କୋର୍ଟ୍ସକୁ କହିଛନ୍ତି, 'ରୋହିତ୍ ଓ ବିରାଟଙ୍କ ଅବସର ପୂର୍ବରୁ ମୁଁ ବିସିସିଆଇ ସହ ପାଞ୍ଚ ଟେଷ୍ଟ ମ୍ୟାଚ୍ ସିରିଜରେ ନିଜର ୱାର୍କଲୋଡ୍ ଉପରେ କଥା ହୋଇଥିଲି । ମୋ ପିଠିର ଚିକିତ୍ସା କରିଥିବା ସର୍ଜନଙ୍କ ସହ କଥା ହୋଇଥିଲି । ସତର୍କ ହୋଇ କାମ କରିବା ପାଇଁ ସେ ମୋତେ ପରାମର୍ଶ ଦେଇଥିଲେ । ତେଣୁ ମୁଁ ନେତୃତ୍ୱ ନେବାକୁ ଚାହୁଁନି ବୋଲି ବିସିସିଆଇକୁ ଜଣାଇଥିଲି ।'

ବୁମରା କହିଛନ୍ତି, 'ହଁ, କ୍ୟାପ୍ଟେନ୍ସି ପାଇଁ ବିସିସିଆଇ ମୋ ସହ କଥା ହୋଇଥିଲା । କିନ୍ତୁ ଏହା ଟିମ୍ ପାଇଁ ଉଚିତ ହେବନି ବୋଲି ମୁଁ କହିଥିଲି । ପାଞ୍ଚ ମ୍ୟାଚ୍ ଟେଷ୍ଟ ସିରିଜରେ ତିନି ମ୍ୟାଚ୍‌ରେ ଜଣେ କ୍ୟାପ୍ଟେନ ଓ ବଳକା ଦୁଇ ମ୍ୟାଚ ପାଇଁ ଅନ୍ୟ ଜଣେ, ଏହା ଠିକ୍ ନୁହେଁ । ଆଉ ମୁଁ ସବୁବେଳେ ଟିମ୍‌କୁ ଆଗରେ ରଖେ ।' ଉଲ୍ଲେଖଯୋଗ୍ୟ ଯେ ଅଷ୍ଟ୍ରେଲିଆ ଗସ୍ତରେ ପଞ୍ଚମ ଟେଷ୍ଟରେ ବୁମରା ଆହତ ହୋଇଥିଲେ । ପିଠିରେ ଆଘାତ କାରଣରୁ ଆଇସିସି ଚାମ୍ପିଅନ୍ସ ଟ୍ରଫି ଖେଳିପାରି ନଥିଲେ । ପ୍ରାୟ ତିନି ମାସ ପରେ ଆଇପିଏଲ୍ ୨୦୨୫ ଜରିଆରେ ସେ ମୈଦାନକୁ ଫେରିଥିଲେ । ଆଇପିଏଲ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ ପାଇଁ ୧୨ ମ୍ୟାଚ୍‌ରେ ୧୮ ୱିକେଟ୍ ନେଇଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.