ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା, ଅମ୍ରିତ ମଣ୍ଡଳଙ୍କୁ ପିଟି ପିଟି ମାରିଦେଲେ

NEWS7
team-india-delhi-test-match

ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହିଂସାର ଆଉ ଏକ ମାମଲା ସାମ୍ନାକୁ ଆସିଛି । ଦୀପୁ ଚନ୍ଦ୍ର ଦାସଙ୍କ ପରେ ଏବେ ଅମ୍ରିତ ମଣ୍ଡଳ ଓରଫ ସମ୍ରାଟଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ଅମ୍ରିତଙ୍କ ବୟସ ମାତ୍ର ୨୯ ବର୍ଷ ଥିଲା । ଏହି ଘଟଣା ରାଜବାରୀ ଜିଲ୍ଲାରେ ଘଟିଛି । ପୋଲିସ କହିଛି ଯେ ସ୍ଥାନୀୟ ବାସିନ୍ଦା ଅମ୍ରିତ ମଣ୍ଡଳଙ୍କ ଉପରେ ଦାଦାବଟି ଆଦାୟ ଅଭିଯୋଗ କରିଥିଲେ, ଏହାପରେ ଭିଡ଼ ହିଂସାରେ ପରିଣତ ହୋଇଥିଲା।

ପୋଲିସ ରେକର୍ଡରେ ଅମୃତ ମଣ୍ଡଳଙ୍କୁ ସମ୍ରାଟ ବାହିନୀ ନାମକ ଏକ ସ୍ଥାନୀୟ ଗ୍ୟାଙ୍ଗର ନେତା ଭାବରେ ତାଲିକାଭୁକ୍ତ କରାଯାଇଛି । ମଙ୍ଗଳବାର ଚିଟାଗଙ୍ଗ ନିକଟସ୍ଥ ରାଉଜାନ ଅଞ୍ଚଳରେ ଏକ ହିନ୍ଦୁ ପରିବାରର ଘରକୁ ନିଆଁ ଲଗାଇ ଦିଆଯାଇଥିଲା । ଗତ ଏକ ସପ୍ତାହ ମଧ୍ୟରେ ଏହି ଅଞ୍ଚଳରେ ଅନେକ ହିନ୍ଦୁ ଘର ପୋଡ଼ି ଦିଆଯାଇଛି । ପାଞ୍ଚ ଦିନ ମଧ୍ୟରେ ରାଉଜାନ ଅଞ୍ଚଳରେ ସାତଟି ହିନ୍ଦୁ ପରିବାରର ଘର ପୋଡ଼ି ଦିଆଯାଇଛି । ପୋଲିସ ଏପର୍ଯ୍ୟନ୍ତ ପାଞ୍ଚ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି ।

​​​​​​​

ଗତ ସପ୍ତାହରେ ମୈମନସିଂ ସହରରେ ୨୮ ବର୍ଷୀୟ ହିନ୍ଦୁ ଦୀପୁ ଚନ୍ଦ୍ର ଦାସଙ୍କୁ ମୁସଲିମ ଭିଡ଼ ପିଟି ପିଟି ହତ୍ୟା କରିଥିଲା । ଏହି ଘଟଣା ଦେଶବ୍ୟାପୀ ପ୍ରତିବାଦର କାରଣ ହୋଇଥିଲା । ମୃତକଙ୍କ ସ୍ତ୍ରୀ, ପିଲା ଏବଂ ବାପାମାଆଙ୍କ ଯତ୍ନ ନେବେ ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ କହିଛନ୍ତି । ଏହି ମାମଲାରେ ପୋଲିସ ଏପର୍ଯ୍ୟନ୍ତ ୧୨ ଜଣଙ୍କୁ ଗିରଫ କରିଛି।

ହିଂସା ଏବଂ ପୋଡ଼ାଜଳା ଘଟଣା ବାଂଲାଦେଶରେ ଭୟର ବାତାବରଣ ସୃଷ୍ଟି କରିଛି । ଡିସେମ୍ବର ୧୨ରେ ଇନକିଲାବ ମଞ୍ଚ ନେତା ସରିଫ ଓସମାନ ହାଦିଙ୍କୁ ଢାକାରେ ଗୁଳି କରାଯାଇଥିଲା । ସିଙ୍ଗାପୁରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହି ସନ୍ଧ୍ୟାରେ, ଉତ୍ତ୍ୟକ୍ତ ଲୋକମାନେ ଡେଲି ଷ୍ଟାର ଏବଂ ପ୍ରଥମୋ ଆଲୋ ଅଫିସରେ ନିଆଁ ଲଗାଇ ଦେଇଥିଲେ ।