ବିଶାଖାପଟନାମ: ଆନ୍ଧ୍ର ପ୍ରଦେଶର ବିଶାଖାପଟନମ ମେୟାର ଜି.ହରି ଭେଙ୍କଟ କୁମାରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଏପ୍ରିଲ୍ ୧୯ ଭୋଟ୍ ହେବ । ଏହା ପୂର୍ବରୁ ଶାସକ ଟିଡିପି ଓ ବିରୋଧୀ ୱାଇଏସଆରସିପି ନିଜ ନିଜ କର୍ପୋରେଟ୍ରଙ୍କୁ ବିଦେଶ ପଠାଇ ରିସର୍ଟ ରାଜନୀତିକୁ ଇଣ୍ଟରନ୍ୟାସନାଲ୍ କରାଇଛନ୍ତି । ଟିଡିପି ନିଜ କର୍ପୋରେଟ୍ରଙ୍କୁ ମ୍ୟାଲେସିଆ ପଠାଇଥିବା ବେଳେ ୱାଇଏସଆରସିପି ନିଜ କର୍ପୋରେଟରଙ୍କୁ ଶ୍ରୀଲଙ୍କା ପଠାଇଛି । ଭୋଟିଂରେ ଘୋଡ଼ା ବେପାର ଆଶଂକାରେ ଦୁଇ ଦଳ ନିଜ ନିଜ କର୍ପୋରେଟ୍ରଙ୍କୁ ବିଦେଶ ପଠାଇଛନ୍ତି ।
ଜଗନ ମୋହନ ରେଡ୍ଡିଙ୍କ ୱାଇଏସଆରସିପି ପାଖରେ ବର୍ତ୍ତମାନ ଗ୍ରେଟର ବିଶାଖାପଟନମ୍ ମ୍ୟୁନିସିପାଲଟି କର୍ପୋରେସନ ଅଛି । ଭେଙ୍କଟ କୁମାରୀଙ୍କ ବ୍ୟତୀତ ଡେପୁଟୀ ମେୟର ଜେ.ଶ୍ରୀଧର ଓ ସତୀଶ ମଧ୍ୟ ୱାଇଏସଆରସିପିରୁ ଆସନ୍ତି । ଗତ ବର୍ଷ ରାଜ୍ୟରେ କ୍ଷମତା ପରିବର୍ତ୍ତନ ହେବା ପରେ ଜଗନଙ୍କ ପାର୍ଟି ବ୍ୟାକଫୁଟରେ ଅଛି । ଦଳର ଅନେକ ଛୋଟ ଓ ବଡ଼ ନେତା ପାର୍ଟି ଛାଡ଼ି ଟିଡିପିରେ ସାମିଲ ହେଉଛନ୍ତି । ଏହାରି ଭିତରେ ବିଶାଖାପାଟନମ ମେୟରଙ୍କ ବିରୋଧରେ ଟିଡିପିର ୨୨ କର୍ପୋରେଟର ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ।
ମତଦାନ ତାରିଖ ପାଖେଇ ଆସିବା ସହ ଦୁଇ ଗୋଷ୍ଠୀ ନିଜ କର୍ପୋରେଟରଙ୍କୁ ଘୋଡ଼ା ବେପାର ଓ କ୍ରସ୍ ଭୋଟିଂରୁ ଦୂରେଇ ରଖିବା ପାଇଁ ବିଦେଶ ପଠାଇଛନ୍ତି । ଜିଭିଏମସିରେ ମୋଟ ୯୮ କର୍ପୋରେଟର ଅଛନ୍ତି । ଏଥିରୁ ୱାଇଏସଆରସିପି ପାଖରେ ୫୯ ଓ ଟିଡିପି ପାଖରେ ୨୯ କର୍ପୋରେଟର ଅଛନ୍ତି । ଟିଡିପିର ସହଯୋଗୀ ଜନସେନା ପାଖରେ ୩, ବିଜେପି, ସିପିଆଇ ଓ ସିପିଆଇଏମର ଜଣେ ଜଣେ କର୍ପୋରେଟର ଅଛନ୍ତି । ଗୋଟିଏ ୱାର୍ଡ ଖାଲି ଥିବାରୁ ବର୍ତ୍ତମାନ ୯୭ କର୍ପୋରେଟ୍ର ଓ ୧୪ ଏକ୍ସ-ଅଫିସିଓ ସଦସ୍ୟ (ସାଂସଦ ଓ ବିଧାୟକ) ଭୋଟିଂରେ ଭାଗ ନେବେ । ରାଜ୍ୟରେ ଟିଡିପି ସରକାର ଆସିବା ପରଠୁ ୱାଇଏସଆରସିପିର ପ୍ରାୟ ୨୫ କର୍ପୋରେଟ୍ର ଟିଡିପିକୁ ସମର୍ଥନ ଜଣାଇସାରିଛନ୍ତି । ଏବେ ଟିଡିପି ନିଜ ପାଖରେ ୭୪ କର୍ପୋରେଟରଙ୍କ ସମର୍ଥନ ଥିବା ଦାବି କରୁଛି, କିନ୍ତୁ ଅନାସ୍ଥା ପ୍ରସ୍ତାବ ଜିତିବା ପାଇଁ ୭୦ ଭୋଟ୍ ଦରକାର ପଡ଼ିବ ।
ଭାରତୀୟ ରାଜନୀତିରେ ରିସର୍ଟ ରାଜନୀତି ନୂଆ କଥା ନୁହେଁ । ଗୁରୁତ୍ୱପୂର୍ଣ୍ଣ ଭୋଟିଂ ପୂର୍ବରୁ ପାର୍ଟିଗୁଡ଼ିକ ନିଜ ବିଧାୟକ କିମ୍ୱା କର୍ପୋରେଟରଙ୍କୁ ବିପକ୍ଷ ଦଳର ପହଞ୍ଚଠାରୁ ଦୂରରେ ରଖିବା ପାଇଁ ଅନ୍ୟ ରାଜ୍ୟର ରିସର୍ଟ କିମ୍ୱା ହୋଟେଲରେ ରଖନ୍ତି । କିନ୍ତୁ ଆନ୍ଧ୍ର ପ୍ରଦେଶର ରିସର୍ଟ ପଲିଟିକ୍ସ ଇଣ୍ଟରନ୍ୟାସନାଲ୍ ହୋଇଛି ।