ନୂଆଦିଲ୍ଲୀ: ଭାରତର ସର୍ବବୃହତ ଆଇଟି ସେବା ସଂସ୍ଥା, ଟାଟା କନସଲଟାନ୍ସି ସର୍ଭିସେସ୍ (TCS), ଏହାର କର୍ମଚାରୀ ସଂଖ୍ୟାରେ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। କମ୍ପାନୀ ଏହାର କର୍ମଚାରୀ ସଂକ୍ୟାରୁ ପ୍ରାୟ ୨ ପ୍ରତିଶତ ଛଟେଇ କରିବ। ଆଗାମୀ ବର୍ଷ ମଧ୍ୟରେ ପ୍ରାୟତଃ ମଧ୍ୟମ ଏବଂ ବରିଷ୍ଠ ସ୍ତରରେ ଥିବା ୧୨ ହଜାରରୁ ଅଧିକ କର୍ମଚାରୀଙ୍କୁ ଖମ୍ପାନୀ ଛଟେଇ କରିବ ବୋଲି କହିଛି।
ଜାତୀୟ ଗଣମାଧ୍ୟମ ମନିକଣ୍ଟ୍ରୋଲକୁ ଇଣ୍ଟରଭ୍ୟୁ ଦେବା ବେଳେ ଏହି ସୂଚନା ଦେଇଛନ୍ତି ଟିସିଏସ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କେ. କୃତିବାସନ୍। ଦ୍ରୁତ ଟେକ୍ନୋଲୋଜୀ ପରିବର୍ତ୍ତନର ମୁକାବିଲାରେ ଟିସିଏସ୍କୁ ଅଧିକ ସ୍ମାର୍ଟ ଓ ଭବିଷ୍ୟତକୁ ଆଖି ଆଗରେ ରଖି କାମ କରିବାକୁ ପଡ଼ିବ। କମ୍ପାନୀର ବ୍ୟାପକ ରଣନୀତିରେ ଏହା ଅଂଶ ବୋଲି କୃତିବାସନ କହିଛନ୍ତି।
ତେବେ କମ୍ପାନୀ କାହିଁକି କର୍ମଚାରୀ ସଂଖ୍ୟା ହ୍ରାସ କରିବାକୁ ଚାହୁଁଚି ବୋଲି ପଚାରା ଯିବାରୁ କୃତୀବାସନ କହିଛନ୍ତି ଶିଳ୍ପର ପରିବର୍ତ୍ତନ ହେଉଛି। କାମ କରିବାର ଉପାୟ ବଦଳୁଛି, ଏବଂ ପ୍ରତ୍ୟେକ କମ୍ପାନୀ ନିଜର ସଫଳତା ପାଇଁ ଭବିଷ୍ୟତ ପାଇଁ ପ୍ରସ୍ତୁତି କରିବା ସହ ଚତୁର ହେବା ନିହାତି ଆବଶ୍ୟକ।
ସେ ଆହୁରି କହିଛନ୍ତି ଯେ ଆମେ ଏଆଇ ଏବଂ ଅପରେଟିଂ ମଡେଲ ପରିବର୍ତ୍ତନ ଭଳି ନୂଆ ଟେକ୍ନୋଲୋଜି ଆଣୁଛୁ।" ତାଙ୍କ ଅନୁସାରେ, କମ୍ପାନୀ ଆଗକୁ ଆବଶ୍ୟକ ଦକ୍ଷତାର ନିକଟରୁ ମୂଲ୍ୟାଙ୍କନ କରି ସେହି ଅନୁସାରେ ଏଆଇକୁ ନିୟୋଜିତ କରାଯିବ। ଆମେ ସହଯୋଗୀମାନଙ୍କୁ କ୍ୟାରିଅର ଅଭିବୃଦ୍ଧି ଏବଂ ନିୟୋଜିତ ସୁଯୋଗ କିପରି ପ୍ରଦାନ କରିପାରିବୁ ସେଥିପାଇଁ ଆମେ ସେମାନଙ୍କ ଉପରେ ବହୁତ ବିନିଯୋଗ କରିଛୁ।
ଜୁନ୍ ୨୦୨୫ ସୁଦ୍ଧା, ଟିସିଏସ୍ରେ ସାରା ବିଶ୍ୱରେ ୬ ଲକ୍ଷ ୧୩ ହଜାର କର୍ମଚାରୀ ରହିଛନ୍ତି। ଏଥିରୁ ୨ ପ୍ରତିଶତ ହ୍ରାସ, ଅର୍ଥାତ୍ ପ୍ରାୟ ୧୨,୨୦୦ ଚାକିରି ସହିତ ସମାନ। ତେବେ ଏହି ଛଟେଇ ମଧ୍ୟମ ପରିଚାଳନା ଏବଂ ବରିଷ୍ଠ ସ୍ତର ହେବ। ଜୁନିୟର ସ୍ତରରେ ହେବ ନାହିଁ ବୋଲି ସିଇଓ କହିଛନ୍ତି। ତେବେ ଏଆଇ ପାଇଁ ଯେ ଏହି ନିଯୁକ୍ତି ଯାଉଛି ତାହା ନୁହେଁ,ଭବିଷ୍ୟତର ଦକ୍ଷତା ହାସଲ କରିବାକୁ କମ୍ପାନୀମାନେ ଏପରି କରୁଛନ୍ତି। ତେବେ ପ୍ରଭାବିତ କର୍ମଚାରୀଙ୍କ ପାଇଁ ଛୁଟି ପ୍ୟାକେଜ, ନୋଟିସ୍ ଅବଧି ପାଇଁ ଦରମା, ବର୍ଦ୍ଧିତ ସ୍ୱାସ୍ଥ୍ୟ ବୀମା ଏବଂ ସ୍ଥାନାନ୍ତର ସହାୟତା ପ୍ରଦାନ କରାଯିବ ବୋଲି ସିଇଓ ନିଶ୍ଚିତ କରିଛନ୍ତି।