ଆରାବଳୀରେ ଆଉ ହେବନି ଖଣି ଖନନ, ଲିଜ୍ ପାଇଁ ଦିଆଯିବନି ଲାଇସେନ୍ସ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

NEWS7
tara-sutaria-and-arunoday-singh-new-lovebirds

ନୂଆଦିଲ୍ଲୀ: ନାନା ବିରୋଧ...ହୋହଲ୍ଲା.. ବିକ୍ଷୋଭ ପରେ ଶେଷରେ ଜିଦ୍ରୁ ଓହରିଛନ୍ତି କେନ୍ଦ୍ର ସରକାର। ଏଥର ଆରାବଳୀରେ ହେବନି ଖଣୀ ଖନନ। ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ ଏହି ପର୍ବତମାଳା। ଆରାବଳୀକୁ ବଞ୍ଚାଇବା ପାଇଁ ସାରା ଦେଶରେ ତେଜିଥିଲା ବିରୋଧର ସ୍ୱର। ଜନତାଙ୍କ ବିରୋଧରେ ଶେଷରେ ସରକାରଙ୍କୁ ନଇଁବାକୁ ପଡ଼ିଛି। ସରକାର କହିଛନ୍ତି ଆମେ ସମ୍ପୂର୍ଣ୍ଣ ଆରାବଳୀକୁ ସୁରକ୍ଷା ଦେବୁ। କୌଣସି ମାଇନିଂ ହେବନି।

ଏବେ, ସମଗ୍ର ଆରାବଳୀ ଅଞ୍ଚଳରେ କୌଣସି ନୂଆ ଖଣି ଲାଇସେନ୍ସ କିମ୍ବା ଲିଜ୍ ପ୍ରଦାନ କରାଯିବ ନାହିଁ। ଅର୍ଥାତ୍ କୌଣସି ଖଣି ହେବ ନାହିଁ। ଏହି ନିଷେଧ ସମଗ୍ର ଆରାବଳୀ ରେଞ୍ଜ, ଗୁଜରାଟ, ରାଜସ୍ଥାନ, ହରିୟାଣା ଏବଂ ଦିଲ୍ଲୀରେ ସମାନ ଭାବରେ ପ୍ରଯୁଜ୍ୟ ହେବ। ଏହା ବେଆଇନ ଖଣି ଖନନକୁ ରୋକିବାରେ ସାହାଯ୍ୟ କରିବ ବୋଲି କେନ୍ଦ୍ର ସରକାର କହିଛନ୍ତି।

ଏହି ପଦକ୍ଷେପ ପଛରେ ସରକାରଙ୍କ ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ପର୍ବତମାଳାରେ ବେଆଇନ ଏବଂ ଅନିୟନ୍ତ୍ରିତ ଖଣି ଖନନକୁ ସମ୍ପୂର୍ଣ୍ଣ ବନ୍ଦ କରିବା। ସରକାର କହିଛନ୍ତି ଯେ ସଂରକ୍ଷିତ ଅଞ୍ଚଳକୁ ବିସ୍ତାର କରାଯିବ। ଆରାବଳୀ ପର୍ବତମାଳାକୁ ସୁରକ୍ଷା ଦେବାରେ କୌଣସି ସାଲିସ କରାଯିବ ନାହିଁ। ସରକାର ଏହା ମଧ୍ୟ କହିଛନ୍ତି ଯେ ପୂର୍ବରୁ ପ୍ରଦାନ କରାଯାଇଥିବା ଖଣି ଲିଜ୍ ନିୟନ୍ତ୍ରଣ କରୁଥିବା ନିୟମଗୁଡ଼ିକୁ ଆହୁରି କଡ଼ାକଡ଼ି କରାଯିବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କଡ଼ାକଡ଼ି କାର୍ଯ୍ୟକାରୀ କରାଯିବ।

ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଜାରି କରିଛି। ଏହା ବ୍ୟତୀତ, ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ (MoEF&CC) ଭାରତୀୟ ବନ ଗବେଷଣା ଏବଂ ଶିକ୍ଷା ପରିଷଦ (ICFRE) କୁ ଆରାବଳୀ ଅଞ୍ଚଳର ଅତିରିକ୍ତ ଅଞ୍ଚଳ କିମ୍ବା ଜୋନ୍ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛି, ଯାହାଦ୍ୱାରା ଏହିସବୁ ସ୍ଥାନଗୁଡ଼ିକରେ ବି ଖଣି ଖନନ ନିଷିଦ୍ଧ କରାଯାଇପାରିବ। କେନ୍ଦ୍ର ଦ୍ୱାରା ପୂର୍ବରୁ ନିଷିଦ୍ଧ କରଯାଇଥିବା ଖଣି କ୍ଷେତ୍ରଗୁଡ଼ିକ ବ୍ୟତୀତ ଆହୁରି ନୂଆ ଏରିଆ ଚିହ୍ନଟ ହେବ ଏବଂ ପରିବେଶଗତ, ଭୂତାତ୍ତ୍ୱିକ ଏବଂ ଭୂଦୃଶ୍ୟ-ସ୍ତରୀୟ ମାନଦଣ୍ଡ ଆଧାରରେ ଚିହ୍ନଟ କରାଯିବ।

କେନ୍ଦ୍ର ସରକାର ଆରାବଳୀ ଅଞ୍ଚଳରେ ସ୍ଥାୟୀ ଖଣି ପାଇଁ ଏକ ବୈଜ୍ଞାନିକ ଯୋଜନା (MPSM) ବିକଶିତ କରିବାକୁ ICFREକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଯୋଜନାରେ ପ୍ରକୃତି ଉପରେ ଖଣିର ପ୍ରତିକୂଳ ପ୍ରଭାବ ଏବଂ ଆରାବଳୀ ଅଞ୍ଚଳ କେତେ ଭାର ବହନ କରିପାରେ ତାହାର ମୂଲ୍ୟାଙ୍କନ କରାଯିବ। ଖଣିରୁ ସୁରକ୍ଷା ପାଇଁ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରାଯିବ।

ଖଣି ଖନନ ହୋଇଥିବା ଅଞ୍ଚଳଗୁଡ଼ିକରେ ସବୁଜିମା ପୁନରୁଦ୍ଧାର ପାଇଁ ପଦକ୍ଷେପ ନିଆଯିବ। ଏହି ଯୋଜନାକୁ ଜନସାଧାରଣ ଏବଂ ବିଶେଷଜ୍ଞଙ୍କ ମତାମତ ପାଇଁ ସାର୍ବଜନୀନ ଡୋମେନରେ ରଖାଯିବ। ଏହି ପଦକ୍ଷେପ ଦ୍ୱାରା ସମଗ୍ର ଆରାବଳୀ ଅଞ୍ଚଳରେ ଖଣି ଉପରେ ନିୟନ୍ତ୍ରଣ ବୃଦ୍ଧି ପାଇବ ଏବଂ ପରିବେଶ ସୁରକ୍ଷା ପାଇଁ "ନୋ-ମାଇନିଂ ଜୋନ୍"ର ପରିସର ବିସ୍ତାର ହେବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କଡ଼ାକଡ଼ି ଭାବରେ କାର୍ଯ୍ୟକାରୀ କରାଯିବ। ସମସ୍ତ ପରିବେଶଗତ ପରିସ୍ଥିତି କଡ଼ାକଡ଼ି ଭାବରେ ପାଳନ କରାଯିବ ବୋଲି ସରକାର କହିଛନ୍ତି।