କର୍ଣ୍ଣାଟକର ଲୋକପ୍ରିୟ ମହୀଶୂର ସାଣ୍ଡଲ୍ ସୋପ୍‌ର ବ୍ରାଣ୍ଡ୍ ଆମ୍ବାସାଡର ହେଲେ ତମନ୍ନା: ରାଜ୍ୟରେ ତେଜିଲା ବିରୋଧ

Published By : Prameya-News7 Bureau | May 22, 2025 IST

ବେଙ୍ଗାଲୁରୁକର୍ଣ୍ଣାଟକ ସରକାର ରାଜ୍ୟର ଲୋକପ୍ରିୟ ମହୀଶୂର ସାଣ୍ଡଲ୍ ସାବୁନ୍ ପାଇଁ ବ୍ରାଣ୍ଡ୍‌ ଆମ୍ବାସାଡର ଭାବରେ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ନିଯୁକ୍ତ ଦେଇଛନ୍ତି। ୬.୨୦ କୋଟି ଟାଙ୍କାରେ ଅଭିନେତ୍ରୀ ଓ ସରକାରଙ୍କ ମଧ୍ୟରେ ଚୁକ୍ତି ହୋଇଛି। ଘୋର ଆଞ୍ଚଳିକବାଦର ଶିକାର ହୋଇଥିବା କର୍ଣ୍ଣାଟକରେ ଏହାକୁ ବି ନେଇ ରାଜନୀତି ଆରମ୍ଭ ହୋଇଯାଇଛି। କର୍ଣ୍ଣାଟକର(କାନାଡ଼ିଗା) କୌଣସି ଅଭିନେତ୍ରୀଙ୍କୁ ନ ନେଇ କାହିଁକି ତମନ୍ନାଙ୍କୁ ବ୍ରାଣ୍ଡ୍ ଆମ୍ବାସାଡର କରାଗଲା ବୋଲି ସେ ନେଇ ଇଣ୍ଟରନେଟ୍‌ରେ ଏକ ଗୋଷ୍ଟୀ ଖୁବ୍‌ ହଙ୍ଗାମା ଜାରି ରଖିଛି। ଇଣ୍ଟରନେଟ୍‌ରେ ସମାଲୋଚିତ ହେବା ପରେ ବାଣିଜ୍ୟ ଏବଂ ଶିଳ୍ପ, ଭିତ୍ତିଭୂମି ମନ୍ତ୍ରୀ ଏମ୍‌ବି ପାଟିଲ୍ ନିଜ ନିଷ୍ପତ୍ତି ନେଇ ଯୁକ୍ତି ବାଢ଼ିଛନ୍ତି। ବାହାର ମାର୍କେଟ୍‌ରେ ଆମ ପ୍ରଡକ୍ଟ ପହଞ୍ଚାଇବାର ଏହା ଏକ ରାସ୍ତା ବୋଲି ମନ୍ତ୍ରୀ କହିଛନ୍ତି। 

୧୯୧୬ ମସିହାରୁ ମହୀଶୂର ଚନ୍ଦନ ସାବୁନ ତିଆରି ହୋଇଆସୁଛି। ଏହା ଏବେ ବି ଦକ୍ଷିଣ ଭାରତରେ ଖୁବ୍ ଲୋକପ୍ରିୟ ହୋଇ ରହିଛି। ମହୀଶୂରର ରାଜା କୃଷ୍ଣ ରାଜା ୱାଦିଆର ଚତୁର୍ଥ ୧୯୦୦ ଦଶକର ପ୍ରାରମ୍ଭରେ ବେଙ୍ଗାଲୁରୁରେ ସରକାରୀ ସାବୁନ କାରଖାନା ସ୍ଥାପନ କରିଥିଲେ। ତେଣୁ, କର୍ଣ୍ଣାଟକରେ ଏହି ବ୍ରାଣ୍ଡର ସାଂସ୍କୃତିକ ଗୁରୁତ୍ୱ ବି ରହିଛି। ତେଣୁ ତମନ୍ନା ଏକ ବ୍ରାଣ୍ଡରେ ସାମିଲ୍ ହେବା ପରେ ଦକ୍ଷିଣ ଭାରତରେ ଚର୍ଚ୍ଚା ଜୋର ଧରିଛି। 

କାହିଁକି ତମନ୍ନାଙ୍କୁ କରାଯାଉଛି ବିରୋଧ ?

ଅଭିନେତ୍ରୀ ତମନ୍ନା ଭାଟିଆଙ୍କର ଇନଷ୍ଟାଗ୍ରାମରେ ୨୮.୨ ନିୟୁତ ଏବଂ X ରେ ୫.୮ ନିୟୁତ ଫଲୋଅର୍ସ ଅଛନ୍ତି। ସମଗ୍ର ଭାରତରେ ଜଣେ ଲୋକପ୍ରିୟ ଅଭିନେତ୍ରୀ ଭାବରେ, ସେ ତାଙ୍କ କ୍ୟାରିଅରରେ ଅନେକ ବ୍ରାଣ୍ଡର ପ୍ରତିନିଧିତ୍ୱ କରିଛନ୍ତି। ଦେଶର ବିଭିନ୍ନ ସିନେମା ଇଣ୍ଡଷ୍ଟ୍ରୀରେ କାମ କରିଛନ୍ତି। ସମ୍ପ୍ରତି, ତାଙ୍କୁ କର୍ଣ୍ଣାଟକ ସାବୁନ୍ ଏବଂ ଡିଟରଜେଣ୍ଟସ୍ ଲିମିଟେଡ୍ (KSDL) ଦ୍ୱାରା ନିର୍ମିତ ମହୀଶୂର ସାଣ୍ଡଲ୍ ସାବୁନ୍ ଏବଂ ଅନ୍ୟାନ୍ୟ ଉତ୍ପାଦ ପାଇଁ ବ୍ରାଣ୍ଡ ଆମ୍ବାସାଡର ଭାବରେ ନିଯୁକ୍ତ କରାଯାଇଛି। ଦୁଇ ବର୍ଷ ପାଇଁ ସେ ଏହି ଦାୟିତ୍ୱରେ ରହିବେ। ଏଥିପାଇଁ ୬.୨ କୋଟି ଟଙ୍କାର ଡିଲ୍ ହୋଇଛି।

ତମନ୍ନା ବ୍ରାଣ୍ଡ୍‌ ଆମ୍ବାସାଡର ନିଯୁକ୍ତ ହେବା ପରେ କିଛି ଫ୍ୟାନ୍‌ ତାଙ୍କୁ ବଧେଇ ଜଣାଇଥିବା ବେଳେ ଆଉ କିଛି ଏହାକୁ ବିରୋଧ କରିଛନ୍ତି। ସ୍ଥାନୀୟ କାନାଡ଼ା ସିନେମାରୁ କୌଣସି ଅଭିନେତ୍ରୀଙ୍କୁ କାହିଁକି ଅଣଦେଖା କରି ହିନ୍ଦୀ ଭାଷୀ ତମନ୍ନାଙ୍କୁ ନିଆଗଲା ବୋଲି କର୍ଣ୍ଣାଟକ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଅଞ୍ଚଳବାଦର ଶିକାର ହୋଇଥିବା ସ୍ଥାନୀୟ ବାସିନ୍ଦା। ସାଣ୍ଡାଲଉଡ୍‌ରେ ପ୍ରତିଭାର ଅଭାବ ରହିଛିକି ବୋଲି ଜଣେ ନେଟିଜେନ୍ସ ପ୍ରଶ୍ନ କରିଛନ୍ତି। 

ତେବେ କିଛି ନେଟିଜେନ୍ସ ସରକାରଙ୍କର ନିଷ୍ପତ୍ତିକୁ ପ୍ରଶଂସା କରିଥିବା ବେଳେ ଆଉ କିଛି ସମାଲୋଚନା କରିଛନ୍ତି। ବିଗ୍ ବସ୍ କନ୍ନଡ ପ୍ରତିଯୋଗୀ ମଧ୍ୟ ତମନ୍ନାଙ୍କ ବ୍ରାଣ୍ଡ୍‌ ଆମ୍ବାସାଡର ନିଯୁକ୍ତିକୁ ବିରୋଧ କରିଥିଲେ। କନ୍ନଡ ସମର୍ଥକ କର୍ମୀମାନେ ମଧ୍ୟ ଏହାକୁ ବିରୋଧ କରି ସରକାରଙ୍କୁ ସମାଲୋଚନା କରିଥିଲେ।  

କ’ଣ ଜବାବ ରଖିଲେ ମନ୍ତ୍ରୀ ?
 
ବାଣିଜ୍ୟ ଏବଂ ଶିଳ୍ପ, ଭିତ୍ତିଭୂମି ମନ୍ତ୍ରୀ ଏମବି ପାଟିଲ କହିଛନ୍ତି ଯେ ମହୀଶୂର ସାଣ୍ଡଲ୍‌ର ରାଜ୍ୟ ଭିତରେ ଚାହିଦା ରହିଛି। ହେଲେ ରାଜ୍ୟ ବାହାର ମାର୍କେଟ୍‌କୁ ପହଞ୍ଚାଇବାକୁ ଏହା ବାଟ ବୋଲି ସେ କହିଛନ୍ତି। ତେବେ ମାର୍କେଟିଂ ବିଶେଷଜ୍ଞଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରୀ କହିଥିଲେ। ଏଥିସହିତ ବ୍ରାଣ୍ଡ ଆମ୍ବାସାଡର ବାଛିବା ପାଇଁ ପାରାମିଟରଗୁଡ଼ିକୁ ମଧ୍ୟ ସେ ତାଙ୍କ ପୋଷ୍ଟରେ ଲେଖିଥିଲେ। ମନ୍ତ୍ରୀ ଏମବି ପାଟିଲ କହିଛନ୍ତି ଯେ KSDLର ଦୃଷ୍ଟିକୋଣ ହେଉଛି ୨୦୨୮ ସୁଦ୍ଧା ବାର୍ଷିକ ରାଜସ୍ୱ ୫,୦୦୦ କୋଟି ବୃଦ୍ଧି କରିବା। ତେଣୁ ଏସବୁ ନିଷ୍ପତ୍ତି ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ତେବେ ତମନ୍ନା ଏପର୍ଯ୍ୟନ୍ତ ଏହି ବିବାଦ ଉପରେ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.