ନୂଆଦିଲ୍ଲୀ: ଭାରତ ପ୍ରତ୍ୟାର୍ପଣ କରିବ ମୁମ୍ବାଇ ହମଲାର ଷଡ଼ଯନ୍ତ୍ରକାରୀ ତହବ୍ବୁର ରାଣା । ଆତଙ୍କବାଦୀର ଭାରତ ଫେରିବା ରାସ୍ତା ସଫା ହୋଇଛି । କାରଣ ଆମେରିକା ସୁପ୍ରିମକୋର୍ଟ ତହବ୍ବୁର ରାଣାର ଜରୁରୀକାଳୀନ ସ୍ଥଗିତାଦେଶ ଆବଦେନକୁ ଖାରଜ୍ କରିଛନ୍ତି । ମାତ୍ର ତହବ୍ବୁର ରାଣାର ଆଇନଜୀବୀ ଆମେରିକା ମୁଖ୍ୟ ନ୍ୟାୟଧୀଶ ଜଷ୍ଟିସ୍ ଜନ୍ ରବର୍ଟସଙ୍କ ନିକଟରେ ଭାରତ ପ୍ରତ୍ୟାର୍ପଣ ଉପରେ ରୋକ୍ ଲଗାଇବାକୁ ଅପିଲ୍ କରିଛନ୍ତି ।
ସୂଚନା ଭାରତ ପ୍ରତ୍ୟାପର୍ଣ ନକରିବାକୁ ଆତଙ୍କୀ ତହବ୍ବୁର ରାଣା ଆମେରିକା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ସେ ନିଜ ଯାଚିକାରେ ଲେଖିଥିଲେ ଯେ, ତାଙ୍କର ଧାର୍ମିକ ପରିଚୟ ଓ ସାମାଜିକ ପୃଷ୍ଠଭୂମି କାରଣରୁ ଭାରତରେ ତାଙ୍କ ଜୀବନ ପ୍ରତି ବିପଦ ରହିଛି । ସେଠାରେ ତାଙ୍କୁ ଜୀବନରୁ ମାରିଦିଆଯିବ । ତେଣୁ ସେଠାକୁ ତାଙ୍କୁ ନପଠାଇବାକୁ ସେ କୋର୍ଟଙ୍କୁ କହିଥିଲେ । ମାତ୍ର ସର୍ବୋଚ୍ଚ ଅଦାଲତ ତହବ୍ବୁର ରାଣାଙ୍କ ଆବେଦନକୁ ଖାରଜ୍ କରିଛନ୍ତି । ଯାହା ଫଳରେ ମୁମ୍ବାଇ ହମଲା ଷଡ଼ଯନ୍ତ୍ରକାରୀ ଆତଙ୍କୀର ଭାରତ ପ୍ରତ୍ୟାପର୍ଣ କରିବା ରାସ୍ତା ସଫା ହୋଇଛି ।
ପୂର୍ବରୁ ଆତଙ୍କବାଦୀ ତହବ୍ବୁର ରାଣାଙ୍କୁ ଭାରତ ପ୍ରତ୍ୟାର୍ପଣ ପାଇଁ ଆମେରିକା ସରକାର ମଞ୍ଜୁରି ପ୍ରଦାନ କରିଥିଲେ । ଏହା ପୂର୍ବରୁ ଆମେରିକା ସୁପ୍ରିମକୋର୍ଟ ମଧ୍ୟ ଆତଙ୍କୀ ତହବ୍ବୁରକୁ ଭାରତ ପଠାଇବା ପାଇଁ ଗ୍ରୀନ୍ ସିଗନାଲ୍ ଦେଇଥିଲେ । ହେଲେ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ତହବ୍ବୁର ରାୟ ସମୀକ୍ଷା ଆବେଦନ କରିଥିଲା । ଏହାକୁ ଆମେରିକାର ସର୍ବୋଚ୍ଚ ଅଦାଲତ ଖାରଜ କରିଥିଲେ ।
୨୦୦୮ ମସିହା ନଭେମ୍ବର ୨୬ ତାରିଖରେ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏଥିରେ ୧୭୪ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୩୦୦ରୁ ଅଧିକ ଆହତ ହୋଇଥିଲେ । ମୃତକ ମାନଙ୍କ ମଧ୍ୟରେ କିଛି ଆମେରିକୀୟ ନାଗରିକ ମଧ୍ୟ ଥିଲେ । ୨୦୦୯ ମସିହାରେ ୫୮ ବର୍ଷ ବୟସ୍କ ତହବ୍ବୁର ରାଣାକୁ ଆମେରିକା ପୋଲିସ ଗିରଫ କରିଥିଲା । ସେ ମୁମ୍ବାଇ ଆକ୍ରମଣର ଷଡ଼ଯନ୍ତ୍ରକାରୀ ଥିଲା । ତାକୁ ଆମେରିକୀୟ ଅଦାଲତ ଦୋଷୀ ଘୋଷଣା କରିଥିଲେ । ଆତଙ୍କବାଦୀ ତହବ୍ବୁର ରାଣାକୁ ଫେରାଇବାକୁ ଭାରତ ସରକାର ବାରମ୍ବାର ଅପିଲ୍ କରୁଥିଲେ । ୨୦୨୪ରେ ଆମେରିକା କୋର୍ଟ, ଭାରତ-ଆମେରିକା ପ୍ରତ୍ୟାର୍ପଣ ଚୁକ୍ତି ଅନୁଯାୟୀ, ତହବ୍ବୁରକୁ ଇଣ୍ଡିଆ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ ।