ସ୍ୱପ୍ନେଶ୍ୱର ମହାଦେବ ମନ୍ଦିର ଜାତୀୟ ମହତ୍ତ୍ୱର ‘ସଂରକ୍ଷିତ ସ୍ମାରକୀ’, ଆଇନ ମନ୍ତ୍ରୀ କହିଲେ- ଦୀର୍ଘଦିନ ଅପେକ୍ଷାରେ ପୂର୍ଣ୍ଣଛେଦ ପଡ଼ିଲା

Published By : Prameya-News7 Bureau | July 05, 2025 IST

ଭୁବନେଶ୍ୱର: ଖୋର୍ଦ୍ଧା ପୁଞ୍ଜିଆମା ଗାଁରେ ଅବସ୍ଥିତ ଷଷ୍ଠ ଶତାବ୍ଦୀର ପ୍ରାଚୀନ ସ୍ୱପ୍ନେଶ୍ୱର ମହାଦେବ ମନ୍ଦିରକୁ ଜାତୀୟ ମହତ୍ତ୍ୱର ଏକ ‘ସଂରକ୍ଷିତ ସ୍ମାରକୀ’ ଘୋଷଣା କରାଯାଇଛି । ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଗେଜେଟ୍ ନୋଟିଫିକେସନ ଜାରି କରି ଏହି ଘୋଷଣା କରାଯାଇଛି । ଏହି ପ୍ରାଚୀନ ଶିବ ମନ୍ଦିର ବାଣପୁର ବ୍ଲକରେ ଅବସ୍ଥିତ ଏବଂ ଏହା ଶୈଳୋଦ୍ଭବ ରାଜବଂଶର ରାଜତ୍ୱ ସମୟରେ ପ୍ରତିଷ୍ଠିତ ହୋଇଥିବା ବିଶ୍ୱାସ କରାଯାଏ, ଯାହା ସେତେବେଳେ ଓଡ଼ିଶାର ଏକ ପ୍ରମୁଖ ରାଜବଂଶ ଥିଲା ।

ଏହି ଘୋଷଣା ପରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏକ୍ସରେ ସେ ଲେଖିଛନ୍ତି, ଏହି ଐତିହାସିକ ସ୍ବପ୍ନେଶ୍ବର ମନ୍ଦିରକୁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅନ୍ତର୍ଗତ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ (ଏଏସଆଇ) ପକ୍ଷରୁ "ସୁରକ୍ଷିତ ସ୍ମାରକ" ଭାବରେ ଘୋଷଣା କରାଯାଇଥିବାରୁ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିବା ସହ ଧନ୍ୟବାଦ୍ ଅର୍ପଣ କରୁଛି । ୨୦୨୪ରେ ଓଡିଶାରେ ଡବଲ ଇଞ୍ଜିନ ସରକାର ଗଠିତ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅହରହ ପ୍ରଚେଷ୍ଟାରେ ଏହି ପ୍ରକ୍ରିୟା ଦ୍ରୁତ ହୋଇ ବର୍ତ୍ତମାନ ଏହାକୁ ସରକାରୀ ଭାବେ ଏଏସଆଇ ଦ୍ୱାରା 'ସୁରକ୍ଷିତ ସ୍ମାରକ' ଘୋଷଣା କରାଯାଇଛି ।

ଭାରତ ସରକାରଙ୍କ ବିଜ୍ଞପ୍ତି ଅନୁସାରେ ଏହି ମନ୍ଦିରକୁ ୯ ମେ ୨୦୨୪ରେ ଏକ ‘ସଂରକ୍ଷିତ ସ୍ମାରକୀ’ ମାନ୍ୟତା ଦିଆଯାଇଥିଲା । ଏହାପରେ ଲୋକଙ୍କ ଅବଗତି ପାଇଁ ନୋଟିସ୍ ଜାରି କରାଯାଇଥିଲା । ଭାରତ ସରକାରଙ୍କ ନିଷ୍ପତ୍ତି ଉପରେ କୌଣସି ଆପତ୍ତି ମିଳିନଥିଲା । ଏହାପରେ କେନ୍ଦ୍ର ସରକାର ରାଷ୍ଟ୍ରୀୟ ମହତ୍ତ୍ୱର ‘ସୁରକ୍ଷିତ ସ୍ମାରକ" ଘୋଷଣା କରାଯାଇଛି ।

ବାଣପୁର ସହରଠାରୁ ୨୦ କିମଲୋମିଟର ଦୂରରେ ଥିବା ପୂରାତନ ବଙ୍କାଡ଼ଗଡ଼ର ଆରାଧ୍ୟ ଦେବ ଭାବେ ବାବା ସ୍ୱପ୍ନେଶ୍ୱର ପରିଚିତ । ଏହି ଶିବ ମନ୍ଦିରରେ ୫ଟି ମନ୍ଦିର ରହିଛି । ମଝିରେ ପୂଜା ପାଉଛନ୍ତି ବିଶାଳ ଆକୃତିର ଶିବ ଲିଙ୍ଗ । ବଙ୍କାଡ଼ଗଡ଼ର ପ୍ରଭୁ ଶ୍ରୀ ସ୍ଵପ୍ନେଶ୍ୱର ମହାଦେବ ମନ୍ଦିରର ଇତିହାସ ଅନେକ ପୁରୁଣା । ପ୍ରାୟ ଦେଢ଼ ହଜାର ବର୍ଷ ତଳର ମନ୍ଦିରର ପ୍ରତିଟି ଶିଳାରେ ସେତେବେଳର କାରୁ କାର୍ଯ୍ୟ ଶୋଭା ପାଉଛି । ମନ୍ଦିରଟି ଶୈଳୋଦ୍ଭିବ ରାଜାମାନଙ୍କ ଦ୍ୱାରା ଷଷ୍ଠ ଶତାବ୍ଦୀରେ ନିର୍ମାଣ କରାଯାଇଥିବା ବିଶ୍ୱାସ କରାଯାଏ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.