କୋଣାର୍କ ୧୪।୮: ପୁରୀ ଜିଲ୍ଲା ବଳଙ୍ଗାରେ ନାବାଳିକା ପୋଡ଼ି ଘଟଣା ପରେ ଏବେ ପୁଣି ନିମାପଡ଼ାରେ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ବୁଧବାର ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳରୁ ଏକ ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା ୧୦ମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ । ତେବେ ଖବର ପାଇବା ପରେ ନିମାପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀଙ୍କ ମୃତଦେହ ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଥିଲା । ଆଜି ଘଟଣାଟି ନୂଆ ମୋଡ଼ ନେଇଥିବା ଦେଖିବାକୁ ମିଳିଛି । ବୁଧବାର ନାବାଳିକାଙ୍କ ବାପା ନିମାପଡ଼ା ଥାନାରେ ଝିଅର ମୃତ୍ୟୁକୁ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ । ଅଭିଯୋଗ ଅନୁଯାୟୀ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ପୁଣି ନାବାଳିକାଙ୍କ ମା’ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ।
ସୂଚନାଯୋଗ୍ୟ ଯେ, ନାବାଳିକାଙ୍କ ବାପା ଦୁଇଟି ବିବାହ କରିଥିବା ବେଳେ ପ୍ରଥମ ସ୍ତ୍ରୀ କୋଣାର୍କରେ ରହୁଥିବା ବେଳେ ଦ୍ଵିତୀୟ ସ୍ତ୍ରୀଙ୍କୁ ପାଖରେ ରଖିଥିଲେ । ନାବାଳିକା ଜଣଙ୍କ ପ୍ରଥମ ସ୍ତ୍ରୀଙ୍କ ଝିଅ ହୋଇଥିବାରୁ ତାଙ୍କ ଅନୁପସ୍ଥିତିକୁ ନେଇ ବାପା, ସାବତ ମା’, ଶାଶୁଙ୍କ ସମେତ ଦେଢ଼ଶୁର ମିଶି ଏମିତି ଷଡ଼ଯନ୍ତ୍ର କରିବା ସହିତ ଝିଅକୁ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ଖୋଦ ନାବାଳିକାଙ୍କ ମା’ ।
ତେବେ ଝିଅର ମୃତ୍ୟୁ ଖବର ତାଙ୍କ ମା’ଙ୍କୁ ବାପା କିମ୍ବା ପରିବାର ଲୋକ ଜଣାଇ ନଥିବା ବେଳେ ଝିଅକୁ ମାନସିକ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ମା’ । ଏମିତିକି ବିଭିନ୍ନ ସମୟରେ ସାବତ ମା’ ଝିଅକୁ ଜୀବନରୁ ମାରିଦେବା ପାଇଁ ଧମକ ଚମକ ଦେଇ ଆସୁଥିବା କଥା ମଧ୍ୟ ଅଭିଯୋଗ କରିଛନ୍ତି ଛାତ୍ରୀଙ୍କ ମା’ । ପୋଲିସ କିପରି ସମ୍ପୂର୍ଣ୍ଣ ଘଟଣାର ତର୍ଜମା ନକରି ବାପାଙ୍କ ଅଭିଯୋଗ ଆଧାରରେ ତଦନ୍ତ ଚଳାଇଥିଲା ତାକୁ ନେଇ ଝିଅର ମା’ ପ୍ରଶ୍ନ କରିବା ସହିତ ସବୁ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ।
You Can Read:
ଯାତ୍ରା କମିଟିର ନୂଆ ଦାବି...ଟିକେଟ ମୂଲ୍ୟ କମ୍ କର, ପାର୍ଟି ଗ୍ରେଡ୍ ଅନୁଯାୟୀ ନେଉ ମୂଲ୍ୟ