LIVE TV

Asia Cup:ପାକିସ୍ତାନୀ କ୍ୟାପ୍ଟେନଙ୍କ ସହିତ ଫଟୋ ବି ଉଠାଇଲେନି ସୂର୍ଯ୍ୟକୁମାର, ଭାଙ୍ଗିଲା ପରମ୍ପରା

NEWS7
gfx

ଦୁବାଇ ୨୭।୯: ଏସିୟା କପ୍-୨୦୨୫କୁ ଆଗାମୀ ଅନେକ ବର୍ଷ ପର୍ଯ୍ୟନ୍ତ ଭାରତ ଓ ପାକିସ୍ତାନ ବିବାଦ କାରଣରୁ ସ୍ମରଣୀୟ ହୋଇ ରହିବ। ଏକ ଭୟାବହ ଆତଙ୍କବାଦୀ ଆକ୍ରମଣ ଓ ଏହାକୁ ନେଇ ଦୁଇ ଦେଶଙ୍କ ମଧ୍ୟରେ ଯୁଦ୍ଧ ପରେ ଖେଳାଯାଇଥିବା ଏହି ଟୁର୍ଣ୍ଣାମେଣ୍ଟ ପଡିଆରେ ମଧ୍ୟ ଭାରତ-ପାକିସ୍ତାନ ବିତୃଷ୍ଣା ଦେଖିବାକୁ ମିଳିଛି। ଏହି ଉତ୍ତେଜନାର ପ୍ରଭାବ ଦୁଇ ଟିମ୍ ମଧ୍ୟରେ ହେବାକୁ ଥିବା ଫାଇନାଲ ମ୍ୟାଚ୍ ପୂର୍ବରୁ ବି ଦେଖାଯାଇଛି। ଫଳରେ କ୍ରିକେଟରେ ପୁରୁଣା ପରମ୍ପରା ମଧ୍ୟ ଭାଙ୍ଗିଛି।

ପ୍ରତି ଥର ଭଳି ଏଥର ଏସିୟା କପ ଫାଇନାଲ ପୂର୍ବରୁ ଟ୍ରଫି ସହିତ ଦୁଇ ଦେଶ କ୍ୟାପ୍ଟେନଙ୍କ ଫଟୋସୁଟ୍ ହୋଇ ନାହିଁ। ସେପ୍ଚେମ୍ବର ୨୮ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏସିୟା କପ୍ ୨୦୨୫ର ଫାଇନାଲ ମ୍ୟାଚ୍ ଖେଳାଯିବାର ଅଛି। ଏହା ଏକ ବିଶେଷ ମ୍ୟାଚ୍ ହେବ। କାରଣ ଏହା ପୂର୍ବରୁ ଫାଇନାଲକୁ କେବେ ଭାରତ ଓ ପାକିସ୍ତାନ ପହଞ୍ଚି ନଥିଲେ। ଏଣୁ ଏହି ମ୍ୟାଚ୍ କୁ ଐତିହାସିକ ଓ ସ୍ମରଣୀୟ କରିବା ପାଇଁ ସବୁ ପ୍ରକାର ଉଦ୍ୟମ ହେଉଛି। ହେଲେ ଏଥିରେ ଏକ ଉଦ୍ୟମକୁ ଟିମ୍ ଇଣ୍ଡିଆ ଭଂଡୁର କରିଦେଇଛି।

ପାକ୍ କ୍ୟାପ୍ଟେନଙ୍କ ସହ ଫଟୋ ଉଠାଇବାକୁ ଅରାଜି
ଫାଇନାଲ ମ୍ୟାଚ୍ ର ଦିନକ ପୂର୍ବରୁ ଉଭୟ ଟିମ୍ ର କ୍ୟାପ୍ଟେନଙ୍କ ମଧ୍ୟରେ ଅଧିକାରୀକ ଫଟୋସୁଟ୍ ହେବାର ଥିଲା। ତେବେ ଟିମ୍‌ ଇଣ୍ଡିଆ ଏଥିରୁ ଓହରି ଯାଇଛି। ପାକିସ୍ତାନ ସହିତ କୌଣସି ପ୍ରକାରର ସମ୍ପର୍କ ନ କରିବା ପାଇଁ ଜିଦ୍ ରେ ଟିମ୍‌ ଇଣ୍ଡିଆ ସ୍ପଷ୍ଟ କରିଦେଇଛି ଯେ ଭାରତୀୟ କ୍ୟାପ୍ଟେନ ସୂର୍ଯ୍ୟ କୁମାର ଯାଦବ ପାକିସ୍ତାନୀ କ୍ୟାପ୍ଟେନ ସଲମାନ ଆଗାଙ୍କ ସହ ଫଟୋ ଉଠାଇବେ ନାହିଁ। କ୍ରିକେଟରେ ଫାଇନାଲ ମ୍ୟାଚ୍ ପୂର୍ବରୁ ଟ୍ରଫି ସହ ଦୁଇ ଟିମ୍‌ କ୍ୟାପ୍ଟେନଙ୍କ ଫଟୋଉଠା କାର୍ଯ୍ୟକ୍ରମର ଏକ ପରମ୍ପରା ରହି ଆସିଛି। ତେବେ ଭାରତୀୟ ଟିମ୍‌ ଏହି ପରମ୍ପରା ଭାଙ୍ଗିକୁ ନିଷ୍ପତ୍ତି ନେଇଛି।

ହାତ ମିଳାଇ ନଥିଲା ଟିମ୍‌ ଇଣ୍ଡିଆ
ଟିମ୍ ଇଣ୍ଡିଆର ଏହି ନିଷ୍ପତ୍ତି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନକୁ ବିରୋଧର ଏକ ଅଂଶବିଶେଷ। ଏହାର ପ୍ରାରମ୍ଭ ଦୁଇ ଟିମ୍ ଙ୍କ ପ୍ରଥମ ମ୍ୟାଚ୍ କାଳରେ ହୋଇଥିଲା, ଯେଉଁଥିରେ ଟସ୍ ପଡିବା କାଳରେ ଭାରତୀୟ ଟିମ୍ କ୍ୟାପ୍ଟେନ ପାକିସ୍ତାନ କ୍ୟାପ୍ଟେନଙ୍କ ସହ କରମର୍ଦ୍ଦନ କରିନଥିଲେ। ମ୍ୟାଚ୍ ସରିବା ପରେ ମଧ୍ୟ ଟିମ୍ ଇଣ୍ଡିଆ ପାକିସ୍ତାନୀ ଖେଳାଳିଙ୍କ ସହିତ ହାତ ମିଳାଇ ନଥିଲେ। ଏହାକୁ ନେଇ ଜୋରଦାର ବିବାଦ ହୋଇଥିଲା। ଦୁଇ ଟିମ୍‌ ମଧ୍ୟରେ ଖେଳା ଯାଇଥିବା ସୁପର-୪ କାଳରେ ମଧ୍ୟ ଏହି ଧାରା ବଳବତ୍ତର ଥିଲା।