ସୁପ୍ରିମକୋର୍ଟରେ ହ୍ୱାଟ୍ସଆପ୍‌ ସେବା ଆରମ୍ଭ କଲେ ସିଜେଆଇ, ସହଜରେ ମିଳିବ ମାମଲା ସମ୍ପର୍କିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

Published By : Prameya-News7 Bureau | April 25, 2024 IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ହ୍ୱାଟ୍ସଆପ୍‌ ସେବା ଆରମ୍ଭ କଲେ ସିଜେଆଇ। ଗୁରୁବାର, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ଼ ସୁପ୍ରିମକୋର୍ଟ ସ୍ଥାପନାର ୭୫ ତମ ବର୍ଷ ପୂର୍ତ୍ତି ଅବସରରେ ହ୍ବାଟ୍ସଆପ୍‌ ସେବା ଆରମ୍ଭ ନେଇ ଘୋଷଣା କରିଛନ୍ତି।

ଏହାଦ୍ବାରା ଓକିଲଙ୍କୁ ମାମଲା ଦାଖଲ କରିବାଠାରୁ ଅନେକ ସୂଚନା ମୋବାଇଲ ହ୍ବାଟ୍ସଆପ୍‌ ଦ୍ବାରା ହିଁ ମିଳିପାରିବ। ମାମଲା ସମ୍ପର୍କିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆଡଭୋକେଟ ଅନ୍‌ ରେକର୍ଡ ଏବଂ ମାମଲାରେ ସଂପୃକ୍ତ ପକ୍ଷ ସିଧା ହ୍ବାଟ୍ସଆପ୍ ମାଧ୍ୟମରେ ପାଇପାରିବେ । 

ନୂଆ ସେବା ଘୋଷଣା କରି ପ୍ରଧାନ ବିଚାରପତି କହିଛନ୍ତି ‘‘ସ୍ଥାପନାର ୭୫ ତମ ବର୍ଷରେ ସୁପ୍ରିମକୋର୍ଟ, ନ୍ୟାୟ ପର୍ଯ୍ୟନ୍ତ ପହଞ୍ଚକୁ ମଜଭୁତ କରିବା ପାଇଁ ଏକ ନୂଆ ପଦକ୍ଷେପ ଆରମ୍ଭ କରିଛନ୍ତି। ଏବେ ହ୍ବାଟ୍ସଆପ୍‌ ମେସେଜିଙ୍ଗକୁ ସୂଚନା ଏବଂ ପ୍ରଯୁକ୍ତି ସେବା ସହ ଏକୀକୃତ କରାଯାଉଛି। ଏହାଦ୍ବାରା ଓକିଲଙ୍କୁ ମାମଲା ଦାଖଲ ହେବାର ସୂଚନା ହ୍ବାଟ୍ସଆପ୍‌ରେ ମେସେଜରେ ହିଁ ମିଳିଯିବ। ଏହା ବ୍ୟତୀତ ବାର ଆସୋସିଏନର ସବୁ ସଦସ୍ୟଙ୍କୁ କଜ୍‌ଲିଷ୍ଟ ଜାରିର ମଧ୍ୟ ସୂଚନା ମିଳିବ।’’

ପ୍ରଧାନ ବିଚାରପତି ଆହୁରି କହିଛନ୍ତି ‘‘ଏହାଦ୍ବାରା ଆମର କାର୍ଯ୍ୟଶୈଳୀରେ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ହେବ। ଏହା ବ୍ୟତୀତ ଅଧିକରୁ ଅଧିକ ଓକିଲ ସୁପ୍ରିମକୋର୍ଟ ସହ ଯୋଡ଼ି ହୋଇପାରିବେ। ସିଜେଆଇ କହିଛନ୍ତି ସୂଚନା ଏବଂ ପ୍ରଯୁକ୍ତି ବ୍ୟବହାର ଦ୍ବାରା ସୁଦୂର ଅଞ୍ଚଳର ଲୋକେ ମଧ୍ୟ ଅଦାଲତରୁ ସୂଚନା ପାଇପାରିବେ। ସୁପ୍ରିମକୋର୍ଟ ଏହି ଅବସରରେ ଏକ ଅଫିସିଆଲ ହ୍ବାଟ୍ସଆପ୍ ନମ୍ବର ୮୭୬୭୬୮୭୬୭୬ ଜାରି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.