ନୂଆଦିଲ୍ଲୀ – ପଞ୍ଜାବ ସରକାରଙ୍କ ପକ୍ଷରୁ କରାଯାଇ ଥିବା ୧,୧୫୮ଟି ଆସିଷ୍ଟାଣ୍ଟ ପ୍ରଫେସର ଓ ଲାଇବ୍ରେରିଆନ ନିଯୁକ୍ତିକୁ ସୁପ୍ରିମକୋର୍ଟ ବାତିଲ କରି ଦେଇଛନ୍ତି। କୋର୍ଟଙ୍କ କହିବାନୁସାରେ , ଏହି ନିଯୁକ୍ତିରେ ସାମ୍ୱିଧାନିକ ନିୟମ ଓ ୟୁଜିସିର ଗାଇଡଲାଇନ୍ସର ଉଲ୍ଲଂଘନ ହୋଇଛି। ଏହି ନିଯୁକ୍ତି ରାଜ୍ୟର ସରକାରୀ କଲେଜ ଗୁଡ଼ିକରେ କରାଯାଇ ଥିଲା। ମନଦୀପ ସିଂହ ଓ ଅନ୍ୟମାନଙ୍କ ବନାମ ପଞ୍ଜାବ ସରକାର ମାମଲାରେ କୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି। ବିଚାରପତି ସୁଧାଂଶୁ ଧୂଲିଆ ଓ କେ.ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ପଞ୍ଜାବଓ ହରିଆଣା ହାଇକୋର୍ଟର ସେହି ନିଷ୍ପତ୍ତିକୁ ଖାରଜ କରି ଦେଇଛନ୍ତି,ଯେଉଁଥିରେ ପଞ୍ଜାବ ସରକାରଙ୍କ ଦ୍ୱାରା କରାଯାଇ ଥିବ ନିଯୁକ୍ତିକୁ ଯଥାର୍ଥ ବୋଲି କୁହାଯାଇ ଥିଲା।
କୋର୍ଟ କହିଛନ୍ତି , ଏହି ମାମଲାରେ ଅନେକ ତ୍ରୁଟି ରହିଛି। ଏହି ନିଯୁକ୍ତିରେ , ୟୁଜିସି ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରି , ବହୁ ବିକଳ୍ପ ପ୍ରଶ୍ନ ସହ କେବଳେ ଗୋଟିଏ ପତ୍ର ନିଆଯାଇ ଥିଲା। ଏହା ବ୍ୟତୀତ କୌଣସି ସାକ୍ଷାତକାର ନିଆଯାଇ ନଥିଲା। ଏହିପରି ଭାବେ ନିୟମ ଉଲ୍ଲଂଘନ କରାଯାଇ ଥିଲା ଏବଂ ଏହା ସମ୍ୱିଧାନର ଧାରା ୧୪ ର ବିରୁଦ୍ଧ। ଏହି କାରଣରୁ , ହାଇକୋର୍ଟର ଏକକ ଖଣ୍ଡପୀଠ ନିଯୁକ୍ତିକୁ ବାତିଲ କରିଥିଲେ , ଯାହା ସଠିକ୍ ନିଷ୍ପତ୍ତି ଥିଲା। ଉକ୍ତ ମାମଲାରେ ହାଇକୋର୍ଟର ଡିଭିଜନ ଖଣ୍ଡପୀଠ ଦେଇଥିବା ନିଷ୍ପତ୍ତି ଭୁଲ ଥିଲା। ପ୍ରକୃତରେ ଜାନୁୟାରୀ ୨୦୨୧ରେ , ପଞ୍ଜାବ ପବ୍ଲିକ୍ ସର୍ଭିସ କମିଶନ ଦ୍ୱାରା ୯୩୧ଟି ଆସିଷ୍ଟାଣ୍ଟ ପ୍ରଫେସର (ସହକାରୀ ପ୍ରଫେସର) ଏବଂ ୫୦ ଲାଇବ୍ରେରିଆନ ନିଯୁକ୍ତି ପାଇଁ ଏକ ବିଜ୍ଞାପନ ପ୍ରକାଶ ପାଇଥିଲା।
ଏହାପରେ ସରକାର ଆହୁରି ୧୬୦ଟି ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଯୋଡ଼ିଥିଲେ। ଏହା ବ୍ୟତୀତ ଏହି ନିଯୁକ୍ତିରେ ୧୭ଟି ଲାଇବ୍ରେରିଆନ ପଦବୀ ମଧ୍ୟ ଯୋଡ଼ା ଯାଇଥିଲା। କିନ୍ତୁ ପରେ ଏହି ନିଯୁକ୍ତି ପ୍ରକ୍ରିୟାରେ ଏକ ବଡ଼ ପରିବର୍ତ୍ତନ କରାଯାଇ ଥିଲା । ଏହି ନିଯୁକ୍ତି ଗୁଡ଼ିକୁ ଲୋକସେବା ଆୟୋଗରୁ ପ୍ରତ୍ୟାହାର କରି ନିଆଯାଇ ଥିଲା ଏବଂ ଦୁଇଟି ବିଭାଗୀୟ ଚୟନ କମିଟିକୁ ଦାୟିତ୍ୱ ଦିଆଯାଇ ଥିଲା। ସେମାନଙ୍କର ମୁଖ୍ୟ କମିଟି ଗୁଡ଼ିକୁ ରାଜ୍ୟ ବିଶ୍ୱବିଦ୍ୟାଳୟର ଭିସି କରାଯାଇ ଥିଲା। ଏହି ନିଯୁକ୍ତି କେବଳ ଗୋଟିଏ ପରୀକ୍ଷା ମାଧ୍ୟମରେ କରାଯାଇ ଥିଲା ଏଥିରେ ଶିକ୍ଷାଗତ ରେକର୍ଡ , ଗବେଷଣା ପ୍ରଦର୍ଶନ ଓ ସାକ୍ଷାତକାର ଆଦିକୁ ବିଚାରକୁ ନିଆଯାଇ ନଥିଲା। ଏହାକୁ ଆଧାର କରି କିଛି ଲୋକ କୋର୍ଟରେ ମାମଲା ଦାୟର କରିଥିଲେ।
ପଞ୍ଜାବ ଓ ହରିଆଣା ହାଇକୋର୍ଟର ଏକକ ବିଚାରପତିଙ୍କ ଖଣ୍ଡପୀଠ ଅଗଷ୍ଟ ୨୦୨୨ରେ ଏହି ନିଯୁକ୍ତିକୁ ବାତିଲ କରିଥିଲେ । କିନ୍ତୁ ଯେତେବେଳେ ମାମଲାଟି ଡିଭିଜନ ବେଞ୍ଚରେ ପହଞ୍ଚିଲା , ସେ ସେପ୍ଟେମ୍ୱର ୨୦୨୪ରେ ପୂର୍ବ ନିଷ୍ପତ୍ତିକୁ ପ୍ରତ୍ୟାହାର କରି ନିଯୁକ୍ତିକୁ ପୁନଃ ସ୍ଥାପିତ କଲେ। ଏହାପରେ ମାମଲାଟି ଯେତେବେଳେ ସୁପ୍ରିମକୋର୍ଟରେ ପହଞ୍ଚିଲା ,ସେ ଏବେ ପୁଣି ଥରେ ନିଯୁକ୍ତିକୁ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।