ଲକ୍ଷ୍ନୌ: ସମ୍ଭଲ ଜାମା ମସଜିଦ୍ ସର୍ଭେକୁ ନେଇ ‘ସୁପ୍ରିମ’ ନିର୍ଦ୍ଦେଶ ଆସିଛି । ହାଇକୋର୍ଟରେ ଶୁଣାଣି ନହେବାଯାଏ କୌଣସି ପ୍ରକାର ଆକ୍ସନ ନନେବାକୁ କହିଛନ୍ତି ସୁପ୍ରିମକୋର୍ଟ । ଏହି ବିବାଦର ପରବର୍ତ୍ତୀ ଶୁଣାଣି ଆସନ୍ତା ଜାନୁଆରୀ ୬ ତାରିଖରେ ହେବ ।
ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶରେ ଉତ୍ତର ପ୍ରଦେଶ ସମ୍ଭଲରେ ଥିବା ଜାମା ମସଜିଦର ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହାକୁ ଚ୍ୟାଲେଞ୍ଜ କରି ମସଜିଦ୍ କର୍ତ୍ତୃପକ୍ଷ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଶୁକ୍ରବାର ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ୍ ପି.ବି ସଞ୍ଜୟ ମାମଲାର ଶୁଣାଣି କରିଛନ୍ତି । ଶୁଣାଣି ବେଳେ ଖଣ୍ଡପୀଠ ନିମ୍ନ ଅଦାଲତଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ । ହାଇକୋର୍ଟଙ୍କ ବିନା ଆଦେଶରେ କୌଣସି ପ୍ରକାର ଆକ୍ସନ ନନେବାକୁ କୁହାଯାଇଛି । ଏହାଛଡ଼ା ଆବେଦନକାରୀ ପ୍ରଥମେ କାହିଁକି ହାଇକୋର୍ଟ ଗଲେ ନାହିଁ ବୋଲି ପ୍ରଶ୍ନ କରିଥିଲେ କୋର୍ଟ । ଏହା ସହିତ ଦଲିଲକୁ ଉଚିତ୍ ଖଣ୍ଡପୀଠଙ୍କ ନିକଟରେ ଦାୟର କରିବାକୁ ପରାମର୍ଶ ଦେଇଛନ୍ତି । ଏହାଛଡ଼ା ଜିଲ୍ଲା ପ୍ରଶାସନ ସମସ୍ତ ପକ୍ଷକୁ ଡାକି ଶାନ୍ତି ସମିତି ଗଠନ କରିବାକୁ ସର୍ବୋଚ୍ଚ ଅଦାଲତ କହିଛନ୍ତି । ସମ୍ଭଲ ଜାମା ମସଜିଦ୍ ବିବାଦର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୬ ତାରିଖରେ ହେବ ।
ସେପଟେ ଉତ୍ତର ପ୍ରଦେଶ ସମ୍ଭଲର ଜାମା ମସଜିଦ୍ ସର୍ଭେ ବେଳେ ଉତ୍ତେଜନା ଘଟଣାରେ ପ୍ରାଶସନ ସତର୍କ ହୋଇଛି । ଶୁକ୍ରବାର ଜୁମା ରହିଥିବାରୁ ନମାଜ ପଢ଼ିବା ନେଇ ବିଶେଷ ପ୍ରସ୍ତୁତି ହୋଇଛି । ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ପୋଲିସ୍ ଲୋକଙ୍କୁ ପରାମର୍ଶ ଦେଇଛି । ଆଇନ ଶୃଙ୍ଖଳା ବଜାୟ ରଖିବାକୁ ଛକ ଛକରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।