ସୁପ୍ରିମକୋର୍ଟ ଜଜ୍‌ଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ୟୁଟ୍ୟୁବରଙ୍କୁ ପଡ଼ିଲା ମହଙ୍ଗା, ଅବମାନନା ମାମଲା ରୁଜୁ ପାଇଁ ନିର୍ଦ୍ଦେଶ

Published By : Prameya-News7 Bureau | May 30, 2025 IST

News7

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବିଚାରପତିଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ୟୁଟ୍ୟୁବରଙ୍କୁ ମହଙ୍ଗା ପଡ଼ିଛି । ଚଣ୍ଡୀଗଡ଼ର ଜଣେ ୟୁଟ୍ୟୁବର ନିଜ ଭିଡିଓରେ ବିଚାରପିତଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ କରିଥିଲେ, ଯାହାପରେ ସର୍ବୋଚ୍ଚ ନ୍ୟାୟାଳୟ ସ୍ୱତଃ ସଜ୍ଞାନ ନେଇଛନ୍ତି । ଏହାସହ ୟୁଟ୍ୟୁବର ଅଜୟ ଶୁକ୍ଲାଙ୍କ ବିରୋଧରେ ଅବମାନନା ମାମଲା ଆରମ୍ଭ କରିଛନ୍ତି ।

ଅଜୟ ଶୁକ୍ଲା ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ୍ କରିଥିବା ଏକ ଭିଡିଓରେ ସୁପ୍ରିମକୋର୍ଟର କିଛି ଜଜଙ୍କ ବିରୋଧରେ ଆପମାନଜନକ ଓ ନିନ୍ଦନୀୟ ଟିପ୍ପଣୀ କରିଥିଲେ । ସିଜେଆଇ ଜଷ୍ଟିସ୍ ବିଆର ଗବାଇ, ନ୍ୟାୟମୂର୍ତ୍ତୀ ଅଗଷ୍ଟିନ ଜର୍ଜ ମସୀହ ଓ ଜଷ୍ଟିସ୍ ଏଏସ୍ ଚନ୍ଦୁରକରଙ୍କ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରିଛନ୍ତି । ଖଣ୍ଡପୀଠ ଆପତ୍ତିଜନକ ଭିଡିଓକୁ ତୁରନ୍ତ ହଟାଇବା ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଭବିଷ୍ୟତରେ ଚ୍ୟାନେଲରେ ଏହି ଭିଡିଓ କିମ୍ୱା ଏହିପରି କେଣ୍ଟେଣ୍ଟ ଅପଲୋଡ୍ ଉପରେ ରୋକ ଲଗାଇଛନ୍ତି ।

ସଲିସିଟର୍ ଜେନେରାଲ୍ ତୁଷାର ମେହେଟା ଟିପ୍ପଣୀକୁ ଅତ୍ୟନ୍ତ ଗମ୍ଭୀର ବୋଲି କହିଥିଲେ । ଏହି ପ୍ରସଙ୍ଗରେ ସ୍ୱତଃ ସଜ୍ଞାନ ନେଇଥିବାରୁ ଖଣ୍ଡପୀଠକୁ ସେ କୃତଜ୍ଞତା ଜଣାଇଛନ୍ତି । ସିଜେଆଇ କହିଛନ୍ତି, 'ଅଜୟ ଶୁକ୍ଲା ନିଜର ଭିଡିଓରେ ଏହି ନ୍ୟାୟାଳୟର କିଛି ବରିଷ୍ଠ ନ୍ୟାୟାଧୀଶଙ୍କ ବିଷୟରେ ଅପମାନଜନକ ଟିପ୍ପଣୀ କରିଛନ୍ତି । ୟୁଟ୍ୟୁବରେ ବ୍ୟାପକ ରୂପେ ପ୍ରକାଶିତ ଏପରି ଆପମାନଜନକ ଅଭିଯୋଗରେ ନ୍ୟାୟପାଳିକାର ଏହି ପ୍ରତିଷ୍ଠିତ ସଂସ୍ଥାର ମାନହାନୀ ହେବାର ଆଶଂକା ରହିଛି ।' ଖଣ୍ଡପୀଠ ଏହା ବି କହିଛନ୍ତି ଯେ ସମ୍ୱିଧାନ କହିବାର ସ୍ୱାଧୀନତା ଓ ବ୍ୟକ୍ତିର ବାକ୍ ସ୍ୱାଧୀନତାର ଗ୍ୟାରେଣ୍ଟି ଦେଉଛି, କିନ୍ତୁ ଏପରି ଅଧିକାର ବି ଉଚିତ ପ୍ରତିବନ୍ଧକ ଦ୍ୱାରା ପ୍ରତିବନ୍ଧିତ ଅଟେ ।

ଖଣ୍ଡପୀଠ କହିଛନ୍ତି, 'ନ୍ୟାୟାଳୟର ଜଜ୍‌ଙ୍କ ଉପରେ ଅପମାନଜନକ ଅଭିଯୋଗ କରିବା ପାଇଁ ଅନୁମତି ଦିଆଯାଇପାରିବ ନାହିଁ । ଏପରି ଟିପ୍ପଣୀ ଅବମାନନାର ପ୍ରକୃତିକୁ ଦର୍ଶାଉଛି ଓ ନ୍ୟାୟପାଳିକାକୁ ଅପମାନିତ କରୁଛି ।' ସୁପ୍ରିମକୋର୍ଟଙ୍କ ଅବକାଶ ଖଣ୍ଡପୀଠ ଏହି ମାମଲାକୁ ନେଇ ଆଟର୍ଣ୍ଣି ଜେନେରାଲ୍ ଆର୍.ଭେଙ୍କଟରମଣୀ ଓ ସିଲିସିଟର ଜେନେରାଲ୍ ତୁଷାର ମେହେଟାଙ୍କୁ କୋର୍ଟଙ୍କୁ ସହାୟତା କରିବା ପାଇଁ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.