ନୂଆଦିଲ୍ଲୀ ୨୪/୦୭: ଜଣେ ଆଇପିଏସ୍ ଅଧିକାରୀଙ୍କୁ ଦେଶର ସର୍ବୋଚ୍ଚ ଅଦାଲତଙ୍କ ସୁପ୍ରିମ ନିର୍ଦ୍ଦେଶ । ନିର୍ଦ୍ଦେଶ ଅନୁଯାୟୀ ପୂର୍ବତନ ସ୍ୱାମୀ ଓ ଶାଶୂ ଘର ଲୋକଙ୍କ ନିକଟରେ ନିଃସର୍ତ୍ତ କ୍ଷମା ମାଗ । ଜଣେ ମହିଳା ଆଇପିଏସ୍ ତାଙ୍କ ସ୍ୱାମୀ ଓ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଦାୟର କରିଥିବା ଫୌଜଦାରୀ ମାମଲା ସହିତ ଜଡିତ ଏକ ମାମଲାରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।
ସୁପ୍ରିମକୋର୍ଟ କହିଛନ୍ତି ଯେ ଆଇପିଏସ୍ ଦ୍ୱାରା ଦାୟର କରାଯାଇଥିବା ମାମଲା ଯୋଗୁଁ ତାଙ୍କ ସ୍ୱାମୀଙ୍କୁ ୧୦୯ ଦିନ ଓ ଶ୍ୱଶୁରଙ୍କୁ ୧୦୩ ଦିନ ଜେଲରେ ରହିବାକୁ ପଡିଛି। କୋର୍ଟ କହିଛନ୍ତି ଯେ ସେମାନେ ଯାହା କଷ୍ଟ ଭୋଗିଛନ୍ତି ତାହା କୌଣସି ପ୍ରକାରେ କ୍ଷତିପୂରଣ କରାଯାଇପାରିବ ନାହିଁ। ଏହି ନିର୍ଦ୍ଦେଶ ମୁଖ୍ୟ ବିଚାରପତି ବି.ଆର. ଗଭାଇ ଏବଂ ବିଚାରପତି ଏଜି ମସିହଙ୍କ ଖଣ୍ଡପୀଠ ଦେଇଛନ୍ତି।
ସୂଚନା ଥାଉକି, ଜଣେ ମହିଳା ଆଇପିଏସ ଅଧିକାରୀ ତାଙ୍କ ସ୍ୱାମୀଙ୍କଠାରୁ ଛାଡପତ୍ର ଓ ଭରଣପୋଷଣ ପାଇଁ ପରିବାର କୋର୍ଟରେ ଆବେଦନ କରିଥିଲେ । ଏହା ବ୍ୟତୀତ, ସେ ତାଙ୍କ ସ୍ୱାମୀ ଓ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ପୃଥକ ଫୌଜଦାରୀ ମାମଲା ମଧ୍ୟ ଦାୟର କରିଥିଲେ। ତାଙ୍କ ସ୍ୱାମୀ ମଧ୍ୟ କ୍ରସ୍ କେସ୍ ଦାୟର କରିଥିଲେ।
ମାମଲାକୁ ସେମାନଙ୍କ କ୍ଷେତ୍ରାଧିକାରକୁ ସ୍ଥାନାନ୍ତର କରିବା ପାଇଁ ଉଭୟ ପକ୍ଷ ଦ୍ୱାରା ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ସୁପ୍ରିମକୋର୍ଟ ଜାଣିପାରିଲେ ଯେ ବୈବାହିକ ବିବାଦ ପରେ ଆଇପିଏସ ତାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ମିଥ୍ୟା ମାମଲା ଦାୟର କରିଥିଲେ। ଏହା ପରେ, କୋର୍ଟ ଏକ ନିର୍ଦ୍ଦେଶ ଦେଇ ସମସ୍ତ ମାମଲାକୁ ବାତିଲ କରିଦେଇଥିଲେ।
୨୦୧୮ ମସିହାରୁ ଏହି ଦମ୍ପତି ଅଲଗା ରହୁଥିଲେ । ତେଣୁ ଖଣ୍ଡପୀଠ ବିବାହକୁ ଭାଙ୍ଗି ଝିଅର ଜିମା ଆଇପିଏସଙ୍କୁ ଦେଇଥିଲେ । ସ୍ୱାମୀ ଓ ଶ୍ୱଶୁର ଘର ଲୋକେ ତାଙ୍କୁ ଭେଟିପାରିବେ ବୋଲି କହିଥିଲେ। ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ଆଇପିଏସ ଓ ତାଙ୍କ ପିତାମାତା ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବେ । ଏହାକୁ ଇଂରାଜୀ ଓ ହିନ୍ଦୀ ଖବରକାଗଜର ଜାତୀୟ ସଂସ୍କରଣରେ ପ୍ରକାଶ କରାଯିବ ।
କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଅଦାଲତଙ୍କ ନିର୍ଦ୍ଦେଶର ତିନି ଦିନ ମଧ୍ୟରେ ଏହି କ୍ଷମା ପ୍ରାର୍ଥନା ଫେସବୁକ୍, ଇନଷ୍ଟାଗ୍ରାମ, ୟୁଟ୍ୟୁବ୍ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ପ୍ରସାରିତ ହେବ । ଏହା ବ୍ୟତୀତ, ସୁପ୍ରିମକୋର୍ଟ ସ୍ୱାମୀଙ୍କୁ ତାଙ୍କର କ୍ଷମା ପ୍ରାର୍ଥନାକୁ କୌଣସି ପ୍ରକାରେ ବ୍ୟବହାର ନକରିବାକୁ ଚେତାବନୀ ଦେଇଛନ୍ତି।
ସୁପ୍ରିମକୋର୍ଟ କହିଛନ୍ତି ଯେ ଆଇପିଏସ ତାଙ୍କ ପଦବୀ ଏବଂ କ୍ଷମତା ବ୍ୟବହାର କରି ତାଙ୍କ ସ୍ୱାମୀ କିମ୍ବା ଶ୍ୱଶୁର ଘର ଲୋକଙ୍କ ବିରୋଧରେ ନିଜେ କିମ୍ବା ତାଙ୍କର କୌଣସି ସହକର୍ମୀଙ୍କ ମାଧ୍ୟମରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ। କୋର୍ଟ କହିଛନ୍ତି ଯେ ଏହି କ୍ଷମା ପ୍ରାର୍ଥନା ଆଇନଗତ ଅଧିକାର, ଦାୟିତ୍ୱ କିମ୍ବା ପରିଣାମ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।