ନୂଆଦିଲ୍ଲୀ ୩୦/୦୭: ବିହାରରେ ନିର୍ବାଚନ କମିଶନଙ୍କ ସ୍ପେଶାଲ ଇନଟେନସିଭ୍ ରିଭିଜନ୍ ବା ଏସଆଇଆର ପ୍ରସଙ୍ଗରେ ଆଜି ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଶୁଣାଣି ବେଳେ କୋର୍ଟ କହିଛନ୍ତି, ଆମେ ପୁରା ପକ୍ରିୟା ଉପରେ ନଜର ରଖିଛୁ । ଯଦି ଅଧିକ ପରିମାଣରେ ନାଁ ବାଦ୍ ଦିଆଯାଏ ତେବେ ଆମେ ଏଥିରେ ହସ୍ତକ୍ଷେପ କରିବୁ । ଏହି ପ୍ରସଙ୍ଗରେ ୧୨ ଓ ୧୩ ଅଗଷ୍ଟରେ ପରବର୍ତ୍ତୀ ଶୁଣାଣି ହେବ।
ବିହାରରେ ଏସ୍ଆଇଆରକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଝଡ । ପ୍ରସଙ୍ଗରେ ସଂସଦରେ ବିରୋଧୀ ହଙ୍ଗାମା କରିଛନ୍ତି । ସେପଟେ ସର୍ବୋଚ୍ଚ ନ୍ୟାୟାଳୟରେ ଏହାକୁ ଚ୍ୟାଲେଞ୍ଜ କରି ହୋଇଛି ଆବେଦନ। ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଲ୍ୟା ବାଗଚିଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଛି । ଖଣ୍ଡପୀଠ କହିଛନ୍ତି, ଏହି ପକ୍ରିୟାରେ କୌଣସି ଅନିୟମିତତା କିମ୍ବା ସମସ୍ୟା ଦେଖିଲେ ହସ୍ତକ୍ଷେପ କରିବାକୁ ଆମେ ପଛାଇବୁ ନାହିଁ।
ଆସନ୍ତା ୧୨ ଓ ୧୩ ଅଗଷ୍ଟରେ ଏହି ପ୍ରସଙ୍ଗରେ ବିସ୍ତୃତ ଶୁଣାଣି ହେବ। ତା ପୂର୍ବରୁ ଆବେଦନକାରୀଙ୍କୁ ୮ ଅଗଷ୍ଟ ସୁଦ୍ଧା ଲିଖିତ ଦଲିଲ ଦାଖଲ କରିବାକୁ ହେବ। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ଓ ପ୍ରଶାନ୍ତ ଭୂଷଣ ବଡ଼ ଅଭିଯୋଗ ଆଣିଛନ୍ତି କି, ୧ ଅଗଷ୍ଟରେ ପ୍ରକାଶିତ ହେବାକୁ ଥିବା ଡ୍ରାଫ୍ଟ ଲିଷ୍ଟରେ କିଛି ଲୋକ ବାଦ ପଡିଛନ୍ତି । ଏହି କାରଣରୁ ସେମାନେ ମତଦାନ ଅଧିକାର ହରାଇବେ । ସୁପ୍ରିମକୋର୍ଟ କହିଛନ୍ତି ଲିଷ୍ଟରେ ନାଁ ଯୋଡିବା ଓ ସୁଧାର ପାଇଁ ୩୦ ଦିନର ପକ୍ରିୟା ଧାର୍ଯ୍ୟ କରାଯାଇଛି ।
ଜାନୁଆରୀ ୨୦୨୫ର ଭୋଟର ଲିଷ୍ଟ ହିଁ ସେହି ଆଧାରରେ ରହିଛି । ଯାହା ଉପରେ ଏସଆଇଆର ପକ୍ରିୟା ଚାଲିଛି । ନିର୍ବାଚନ କମିଶନ୍ ଏକ ସମ୍ବିଧାନିକ ସଂସ୍ଥା। ଏହାର ନିୟମକୁ ପାଳନ କରିବାକୁ ହେବ। ଯଦି କୌଣସି ଅସୁବିଧା ଦେଖାଯାଏ ତେବେ ଆବେଦନକାରୀ ଏହି ପ୍ରସଙ୍ଗକୁ କୋର୍ଟଙ୍କ ନଜରକୁ ଆଣିପାରିବେ। ସେହି ୧୫ ଜଣ ଲୋକଙ୍କୁ ସାମନାକୁ ଆଣନ୍ତୁ, ଯାହାଙ୍କୁ ମୃତ ଘୋଷିତ କରାଯାଇଛି ।