“ମୋତେ ସାମନା କର, ପ୍ରଧାନମନ୍ତ୍ରୀଙ୍କୁ କାହିଁକି ଡାକୁଛ...”, ରାଜ୍ୟସଭାରେ ବିରୋଧୀଙ୍କୁ ଘେରିଲେ ଅମିତ୍ ଶାହ

Published By : Prameya-News7 Bureau | July 30, 2025 IST

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରେ ଅପରେସନ ସିନ୍ଦୂର ଉପରେ ବିତର୍କ ଜାରି ରହିଛି । ବୁଧବାର ଗୃହମନ୍ତ୍ରୀ ଅମିତ୍ ଶାହ ରାଜ୍ୟସଭାରେ ସରକାରଙ୍କ ପକ୍ଷ ରଖିଛନ୍ତି । ଏହି ସମୟରେ ଗୃହରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି । ଅମିତ୍ ଶାହଙ୍କ ସମ୍ୱୋଧନ ବେଳେ ବିରୋଧୀ ବାରମ୍ୱାର ପ୍ରଧାନମନ୍ତ୍ରୀଙ୍କୁ ଡାକିବା ପାଇଁ ଦାବି କରୁଥିଲେ । ବିରୋଧୀଙ୍କ ହୋହଲ୍ଲା ଭିତରେ ଅମିତ୍ ଶାହ କହିଥିଲେ, ପ୍ରଧାନମନ୍ତ୍ରୀଙ୍କୁ ଶୁଣିବା ପାଇଁ ଅଧିକ ଇଚ୍ଛା କି ? ପ୍ରଥମେ ମୋତେ ସାମନା କର, ପ୍ରଧାନମନ୍ତ୍ରୀଙ୍କୁ କାହିଁକି ଡାକୁଛ ।

ଏହା ଉପରେ ବିରୋଧୀ ସଦସ୍ୟ ରାଗି ଯାଇଥିଲେ । ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦୀ ଏଠାକୁ ନଆସି ଗୃହର ଅପମାନ କରିଛନ୍ତି । ଶାହଙ୍କ ସମ୍ୱୋଧନ ଭିତରେ ବିରୋଧୀ କକ୍ଷ ତ୍ୟାଗ କରି ଚାଲି ଯାଇଥିଲେ । ବିରୋଧୀଙ୍କ ଦ୍ୱାରା ପିଏମ୍‌ଙ୍କ ଉତ୍ତର ଦାବି କରାଯିବା ପରେ ଅମିତ୍ ଶାହ ଗୃହକୁ ସୂଚନା ଦେଇଥିଲେ ଯେ, ପ୍ରଧାନମନ୍ତ୍ରୀ ତାଙ୍କ ଅଫିସରେ ଅଛନ୍ତି । ଏହା ଉପରେ ଖଡଗେ କହିଥିଲେ ବିରୋଧୀଙ୍କ ଦାବି ଥିଲା ଯେ ପ୍ରଧାନମନ୍ତ୍ରୀ ଜବାବ ଦିଅନ୍ତୁ । ପ୍ରଧାନମନ୍ତ୍ରୀ ସଂସଦ ପରିସରରେ ଥିବା ସତ୍ତ୍ୱେ ଗୃହକୁ ନଆସିବା, ଏହି ଗୃହର ଅପମାନ ଅଟେ ।  

ବିରୋଧୀ ଦଳଗୁଡ଼ିକ ଅପରେସନ ମହାଦେବର ନାମକରଣ ଉପରେ ପ୍ରଶ୍ନ ଉଠାଇଥିଲେ । ଯାହା ଉପରେ ଅମିତ ଶାହ କହିଥିଲେ 'ହର-ହର ମହାଦେବ କେବଳ ଏକ ଧାର୍ମିକ ସ୍ଲୋଗାନ ନୁହେଁ । ହର-ହର ମହାଦେବ ଶିବାଜୀ ମହାରାଜଙ୍କ ସେନାର ଯୁଦ୍ଧ ନାରା ଥିଲା । ଏହା ଭାରତର ସାର୍ବଭୌମତ୍ୱ ଉପରେ ଆକ୍ରମଣର ଜବାବ ଦେବାର ପ୍ରତୀକ । ଆପଣମାନେ କେଉଁ ନାମ ରଖିବାକୁ ଚାହାଁନ୍ତି ? ଆମ ସେନାର ଅନେକ ରେଜିମେଣ୍ଟର ସମାନ ସ୍ଲୋଗାନ ଅଛି । ଏହା ବିଜେପି ଦ୍ୱାରା ନାମିତ ହୋଇନାହିଁ । ଏହାକୁ ହିନ୍ଦୁ-ମୁସଲିମ ଦୃଷ୍ଟିକୋଣରୁ ଦେଖନ୍ତୁ ନାହିଁ ।

ବିରୋଧୀଙ୍କ କକ୍ଷତ୍ୟାଗ ଉପରେ ଶାହ କହିଥିଲେ, "ମୁଁ ଜାଣିଛି ଏମାନେ (ବିରୋଧୀ) କାହିଁକି ପଳାୟନ କରୁଛନ୍ତି । ଏମାନଙ୍କ ପଳାୟନର କାରଣ ହେଉଛି ଏତେ ବର୍ଷ ଧରି ନିଜ ଭୋଟ ବ୍ୟାଙ୍କ ପାଇଁ ଆତଙ୍କବାଦକୁ ରୋକିବା ପାଇଁ କିଛି କରି ନାହାନ୍ତି । ସେଥିପାଇଁ ଏମାନେ ଏହି ବିତର୍କ ଶୁଣି ପାରିବେ ନାହିଁ।" 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.