ଭୁବନେଶ୍ବର ୩୦।୭: ସଂସଦରେ ଅପରେସନ ସିନ୍ଦୂର ଉପରେ ମହା ବିତର୍କ ଆଉ ଓଡ଼ିଶାରେ ଏହାକୁ ନେଇ ରାଜନୈତିକ ବାଦ ବିବାଦ ।ରାଜ୍ୟସଭାରେ ଅପରେସନ ସିନ୍ଦୂର ଆଲୋଚନା ବେଳେ ବିଜେଡିର ଷ୍ଟାଣ୍ଡକୁ ନେଇ ରାଜ୍ୟ ରାଜନୀତିରେ ହଲଚଲ ଦେଖିବାକୁ ମିଳିଛି । ଅପରେସନ ସିନ୍ଦୂରକୁ ବିଜେଡିର ସମର୍ଥନ ଉପରେ କଂଗ୍ରେସ ଉଠାଇଛି ପ୍ରଶ୍ନ । ପିସିସି ସଭାପତି ଭକ୍ତ ଦାସ କହିଛନ୍ତି, ଏଥିରୁ ସ୍ପଷ୍ଟ ବିଜେଡି ବିଜେପିକୁ ଡରିଯାଇଛି । ବିଜେଡି ଯଦି ଅପରାଧୀ ନୁହେଁ ତେବେ ବିଜେପିକୁ କାହିଁକି ସମର୍ଥନ ଦେଉଛି ବୋଲି ଭକ୍ତ ପ୍ରଶ୍ନ କରିଛନ୍ତି । ଭକ୍ତ କହିଛନ୍ତି ଇଡି, ସିବିଆଇ ବିଜେଡି ନେତାଙ୍କ ବେକରେ ଝୁଲିଛି । ତେଣୁ ବିଜେଡି ଆଉ ମୁଖ୍ୟ ବିରୋଧିର ଦାୟିତ୍ୱ ନିର୍ବାହ କରିପାରିବ ନାହିଁ । ଯଦି ବିଜେଡି ସତରେ ନାରୀଙ୍କ ନ୍ୟାୟ ପାଇଁ ଲଢେଇ କରୁଛି ତେବେ ଆସନ୍ତା ବିଧାନସଭା ଅଧିବେଶନରେ ମୁଖ୍ୟ ବିରୋଧୀ ଦଳ ଭାବରେ କାର୍ଯ୍ୟକରି ଦେଖାଉ ବୋଲି ଭକ୍ତ କହିଛନ୍ତି ।
ବିଜେଡି କିନ୍ତୁ କଂଗ୍ରେସ କଥାକୁ ଗୁରୁତ୍ବ ଦେଇନି । ବିଜେଡି ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ସେନାକୁ ନେଇ ରାଜନୀତି ହେବା କଥା ନୁହଁ । ଦେଶର ସୁରକ୍ଷା ରାଜନୀତିରୁ ଉର୍ଦ୍ଧ୍ବରେ । ସବୁବେଳେ ସୈନିକର ମନୋବଳ ବୃଦ୍ଧି କରିବା ଦରକାର । ଯୁଦ୍ଧ କ୍ଷେତ୍ରରେ ସୈନିକ ମାନେ କିଭଳି ଦେଶର ସୁରକ୍ଷା କରନ୍ତି ଏହାକୁ ଦୃଷ୍ଟିରେ ରଖି ବିଜେଡି ଅପରେସନ ସିନ୍ଦୁରକୁ ସମର୍ଥନ ଜଣାଇଛି ବୋଲି କହିଛି ବିଜେଡି ।
ସେପଟେ ବିଜେପି କିନ୍ତୁ ବିଜେଡ଼ିର ଭୂମିକାକୁ ପ୍ରଶଂସା କରିଛି । ବିଜେପି ବିଧାୟକ ସରୋଜ ପାଢୀ କହିଛନ୍ତି, ଦେଶର ସୁରକ୍ଷାକୁ ନେଇ ରାଜନୀତି କରିବା କଥା ନୁହେଁ । ସାରା ବିଶ୍ଵ ଅପରେସନ ସିନ୍ଦୂରକୁ ନେଇ ମୋଦିଙ୍କୁ ପ୍ରଶଂସା କରିଛି । ଭାରତର ସ୍ଥାନ ବହୁ ଉଚ୍ଚକୁ ଯାଇଛି । କଂଗ୍ରେସର ବର୍ତ୍ତମାନ ରାଜ୍ୟରେ ସ୍ଥିତି ଠିକ୍ ନାହିଁ । ବିଜେଡ଼ି ପାଇଁ ଓଡ଼ିଶାରେ କଂଗ୍ରେସ ଧ୍ଵଂସ ହୋଇଯାଇଛି । ସେଥିପାଇଁ ବିଜେଡ଼ି ଉପରେ କଂଗ୍ରେସର ରାଗ ବୋଲି ସେ କହିଛନ୍ତି ।
You Can Read:
କୁମ୍ଭୀର ଆକ୍ରମଣକୁ ରୋକିବା ପାଇଁ ଜଙ୍ଗଲ ବିଭାଗର ମାଷ୍ଟର ପ୍ଲାନ୍, ନଦୀ ପଠାରେ ଚିହ୍ନଟ ହେବ ବ୍ଲାକ୍ ସ୍ପଟ୍