ଟ୍ରମ୍ପ ଚାହୁଁଛନ୍ତି କ’ଣ ? ଏୟାର ଷ୍ଟ୍ରାଇକ୍ ମାମଲାରେ ସବୁ ରେକର୍ଡ ଭାଙ୍ଗିଲେ ଆମେରିକା ରାଷ୍ଟ୍ରପତି

NEWS7
sundergarh-congress-mla-may-join-bjd

ନୂଆଦିଲ୍ଲୀ: ଦୁନିଆକୁ ଚିନ୍ତାରେ ପକାଇ ଦେଲେଣି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ନୋବେଲ ଶାନ୍ତି ପୁରସ୍କାର ପାଇଁ ଦାବି କରିଆସିଥିବା ଟ୍ରମ୍ପ ଅଶାନ୍ତିର ମୂଳ କାରଣ କହିଲେ ଭୁଲ ହେବନି । ନିଜକୁ ଶାନ୍ତିର ଦୂତ ବୋଲି ପ୍ରଦର୍ଶନ କରୁଥିବା ଟ୍ରମ୍ପଙ୍କ ଡବଲ ଷ୍ଟାଣ୍ଡାର୍ଡ ନୀତି, କାହାକୁ ଅଛପା ନାହିଁ । ଆମେରିକା ଇତିହାସରେ, ହୁଏତ ଟ୍ରମ୍ପ ଏଭଳି ଜଣେ ରାଷ୍ଟ୍ରପତି, ଯିଏକି ସର୍ବାଧିକ ଆକ୍ରମଣ ପଛର ଖଳନାୟକ । ସେଥିମଧ୍ୟରୁ ଇରାନ, ନାଇଜେରିଆ ଏବଂ ଭେନେଜୁଏଲା ଏମିତି ଦେଶ, ଯେଉଁଠି ଆମେରିକା କେବେ ବି ଆକ୍ରମଣ କରିନଥିଲା । ପୂର୍ବତନ ରାଷ୍ଟ୍ରପତି ବାଇଡେନ୍ ୪ ବର୍ଷରେ ଯେତିକି ଆକ୍ରମଣ ଲାଗି ଅନୁମତି ଦେଇଥିଲେ, ଟ୍ରମ୍ପ ୨୦୨୫ରେ ହିଁ ତାଠୁ ଅଧିକ ଏୟାର ଷ୍ଟ୍ରାଇକ କରାଇଛନ୍ତି ।

ନିର୍ବାଚନ ପୂର୍ବରୁ ନିଜକୁ ଯୁଦ୍ଧର ବିରୋଧୀ ବୋଲି କହି ଭଲେଇ ହୋଇଥିଲେ ଟ୍ରମ୍ପ । କିନ୍ତୁ ଦ୍ବିତୀୟ ଥର ହ୍ବାଇଟ୍ ହାଉସ୍କୁ ଆସିବା ପରେ ତାଙ୍କର ନୀତି ନୈତିକତା ସବୁ କିଛି ବଦଳିଯାଇଛି । ଏବେ ବି ହ୍ବାଇଟ୍ ହାଉସ୍ ଦାବି କରୁଛି, ଟ୍ରମ୍ପ ଆଲୋଚନା ଏବଂ କୂଟନୀତିକୁ ପ୍ରାଥମିକତା ଦିଅନ୍ତି । ଯେତେବେଳେ ସବୁ ରାସ୍ତା ବନ୍ଦ ହୋଇଯାଏ, ସେତେବେଳେ ଟ୍ରମ୍ପ ଯୁଦ୍ଧର ରାସ୍ତା ବାଛନ୍ତି । କୁଆଡେ ଟ୍ରମ୍ପ ଭାବନ୍ତି, ଶକ୍ତି ପର୍ଦର୍ଶନ ହିଁ, ସ୍ଥାୟୀ ଶାନ୍ତିର ରାସ୍ତା ।

ଇସ୍ରାଏଲ ସହ ମିଳିତ ଭାବାରେ ଇରାନ୍ ଉପରେ ଆକ୍ରମଣ କରିଛି ଆମେରିକା । ଇରାନ୍ର ପ୍ରତିଜବାବରେ ଆମେରିକୀୟ ସୈନିକଙ୍କ ମୃତ୍ୟୁ ବି ହେଉଛି । ଏପରିକି ମୃତ୍ୟୁସଂଖ୍ୟା ଆହୁରି ବଢ଼ିବ ବୋଲି କହିସାରିଛନ୍ତି ଟ୍ରମ୍ପ । କ୍ଷତିକୁ ରୋକିବା ପାଇଁ ଯଥାସମ୍ଭବ ଚେଷ୍ଟା କରିବେ ଏବଂ ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କର ପ୍ରତିଶୋଧ ନିଆଯିବ ବୋଲି ଟ୍ରମ୍ପ କହିଛନ୍ତି । ଟ୍ରମ୍ପଙ୍କ ସାମରିକ ଆକ୍ରମଣ କେବଳ ସଂଖ୍ୟାରେ ନୁହେଁ ବରଂ ପଦ୍ଧତିରେ ମଧ୍ୟ ଭିନ୍ନ । 9/11 ଆକ୍ରମଣ ପରେ, ଜର୍ଜ ଡବ୍ଲୁ. ବୁଶ ବଡ଼ ଧରଣର ଅଭିଯାନ ଆରମ୍ଭ କରିଥିଲେ। ପରେ, ବାରାକ ଓବାମା ଡ୍ରୋନ ଆକ୍ରମଣ ଆରମ୍ଭ କରିଥିଲେ। କିନ୍ତୁ ଏହି ଅଭିଯାନଗୁଡ଼ିକ ପୂର୍ବ-ଅନୁମୋଦିତ କିମ୍ବା ଚାଲୁଥିବା ଯୁଦ୍ଧ କ୍ଷେତ୍ର ପର୍ଯ୍ୟନ୍ତ ସୀମିତ ଥିଲା।

ଏହାର ବିପରୀତ ଟ୍ରମ୍ପ ନୂଆ ମୋର୍ଚ୍ଚା ଖୋଲିଛନ୍ତି। ସେ ନାଇଜେରିଆରେ ଖ୍ରୀଷ୍ଟମାସ ଦିନ ଆକ୍ରମଣ କରିଥିଲେ । କାରାକାସରେ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ବନ୍ଦୀ କରିଥିଲେ। ଟ୍ରମ୍ପ ଇରାକ, ସିରିୟା, ୟେମେନ, ସୋମାଲିଆ, ନାଇଜେରିଆ, ଲାଟିନ ଆମେରିକା,ଭେନେଜୁଏଲା ଏବଂ ଇରାନ୍ ବିରୋଧରେ ସୈନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଛନ୍ତି । ଟ୍ରମ୍ପଙ୍କ ରଣନୀତି ସ୍ପଷ୍ଟ । ଅଳ୍ପ ସମୟ ମଧ୍ୟରେ ବିଶାଳ ସାମରିକ ଶକ୍ତି ବ୍ୟବହାର କରିବା ହିଁ ଟ୍ରମ୍ପଙ୍କ ରଣନୀତି । ଆମେରିକୀୟଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ଏହା ଆବଶ୍ୟକ ବୋଲି ସେ ଦାବି କରନ୍ତି।

ଇରାନ ବିରୁଦ୍ଧରେ ବର୍ତ୍ତମାନର ଅଭିଯାନକୁ ଟ୍ରମ୍ପଙ୍କ ସବୁଠାରୁ ଆକ୍ରମଣାତ୍ମକ ଏବଂ ବିପଦପୂର୍ଣ୍ଣ କାର୍ଯ୍ୟ ବୋଲି କୁହାଯାଉଛି । ସେ ଇସ୍ରାଏଲ ସହ ମିଳିତ ଅଭିଯାନ ଅପରେସନ ଏପିକ୍ ଫ୍ୟୁରି ଆରମ୍ଭ କରିଛନ୍ତି । ଆମେରିକୀୟ କଂଗ୍ରେସର ଅନୁମୋଦନ ବିନା ଏହି ନିଷ୍ପତ୍ତି ନେଇଥିଲେ ଟ୍ରମ୍ପ । ୨୦୦୩ ଇରାକ ଯୁଦ୍ଧ ପରେ ମଧ୍ୟପ୍ରାଚ୍ୟରେ ଆମେରିକାର ଏହା ସବୁଠାରୁ ବଡ଼ ସାମରିକ ଅଭିଯାନ । ଟ୍ରମ୍ପ କହିଛନ୍ତି ଯେ ଏହି ଅଭିଯାନ ଚାରି ସପ୍ତାହ ପର୍ଯ୍ୟନ୍ତ ଚାଲିପାରେ। ଇରାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର, ଏହାର କ୍ଷେପଣାସ୍ତ୍ର ଶିଳ୍ପ ଏବଂ ଏହାର ନୌସେନାକୁ ଧ୍ୱଂସ କରିବା ହିଁ ଟ୍ରମ୍ପଙ୍କ ଲକ୍ଷ୍ୟ ।

ପ୍ରଥମ ୨୪ ଘଣ୍ଟାରେ ଇସ୍ରାଏଲ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଅଲି ଖାମେନି ଏବଂ ଅନେକ ବରିଷ୍ଠ ଅଧିକାରୀ ପ୍ରାଣ ହରାଇଥିଲେ । ଆମେରିକା ଏବଂ ଇସ୍ରାଏଲ ପକ୍ଷରୁ ଆକ୍ରମଣ ଜାରି ରହିଛି । ସେପଟେ ଇରାନ ଆରବ ଦେଶଗୁଡ଼ିକ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ମାଡ଼ କରୁଛି । ଅନ୍ୟପଟେ ଇରାନ ଯୁଦ୍ଧକୁ ନେଇ ଆମେରିକା ଭିତରେ ମଧ୍ୟ ମତଭେଦ ରହିଛି। ବହୁ ସର୍ଭେରୁ ଜଣାପଡ଼ିଛି, ପ୍ରାୟ ୭୦ ପ୍ରତିଶତ ଆମେରିକୀୟ ଯୁଦ୍ଧ ସପକ୍ଷରେ ନାହାନ୍ତି କିମ୍ବା ଏନେଇ ସେମାନଙ୍କ ମନରେ କୌଣସି ଧାରଣା ନାହିଁ । ସେପଟେ ଟ୍ରମ୍ପ ପ୍ରଶାସନର ଗୋଟିଏ କଥା, ଇରାନ ପରମାଣୁ ଯୁଦ୍ଧାସ୍ତ୍ର ହାସଲ କଲେ ଆମେରିକାକୁ ବିପଦ । ଏନେଇ ଆମେରିକା ଏବଂ ଇରାନ୍ ମଧ୍ୟରେ ବହୁ ବାର ଆଲୋଚନା ବି ହୋଇଛି । କିନ୍ତୁ ହଠାତ ଇରାନ ଉପରେ ଇସ୍ରାଏଲ ସହ ଆମେରିକାର ମିଳିତ ଆକ୍ରମଣ ସମଗ୍ର ବିଶ୍ବକୁ ଚକିତ କରିଛି ।