LIVE TV

ରାଜ୍ୟପାଳଙ୍କୁ ଭେଟିଲେ ନିତିଶ କୁମାର, ଇସ୍ତଫା ଦେଲେନି, ଜାଣନ୍ତୁ କାହିଁକି?

NEWS7
suicide-or-honor-killing-anugol

ପାଟନା ୧୭।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣାର ୩ ଦିନ ପରେ ୧୭ ନଭେମ୍ବର ସୋମବାର ଜେଡି(ୟୁ) ନେତା ନିତିଶ କୁମାର ରାଜ୍ୟପାଳ ଆରିଫ ମହମଦ ଖାନଙ୍କୁ ଭେଟିଛନ୍ତି। ତେବେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ନାହାନ୍ତି। ରାଜଭବନ ଯିବା ପୂର୍ବରୁ ନିତିଶ କୁମାର ତାଙ୍କ କ୍ୟାବିନେଟର ଶେଷ ବୈଠକ କରିଥିଲେ। ଏହି ବୈଠକରେ ବିଧାନସଭା ଭଙ୍ଗ କରିବାକୁ ପ୍ରସ୍ତାବ ଗୃହୀତ କରାଯାଇଥିଲା। କ୍ୟାବିନେଟ ବୈଠକ ଶେଷ ହେବା ପରେ ନିତିଶ ରାଜଭବନ ଯାଇଥିଲେ ହେଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ନାହାନ୍ତି।

ଜେଡି(ୟୁ) ନେତା ବିଜୟ କୁମାର ଚୌଧୁରୀ ଗଣମାଧ୍ୟମକୁ କହିଛନ୍ତି ଯେ ଆଜି କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। କ୍ୟାବିନେଟ ୧୯ ନଭେମ୍ବରରୁ ପ୍ରଭାବୀ ବର୍ତ୍ତମାନର ବିଧାନସଭା ଭଙ୍ଗ କରିବାକୁ ସୁପାରିଶ କରିଛି। ମୁଖ୍ୟମନ୍ତ୍ରୀଙ୍କ ମାଧ୍ୟମରେ ରାଜ୍ୟପାଳଙ୍କୁ ଏହି ସୂଚନା ଦିଆଯାଇଛି। ନଭେମ୍ବର ୧୪ ତାରିଖରେ ଘୋଷିତ ବିଧାନସଭା ନିର୍ବାଚନ ଫଳାଫଳରେ ବିଜେପି ନେତୃତ୍ୱାଧୀନ ଏନଡିଏ ପ୍ରଚଣ୍ଡ ବହୁମତରେ ବିଜୟୀ ହୋଇଛି।

ଏବେ ଏହା ପ୍ରଶ୍ନ ଉଠୁଛି ଯେ ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବେ? ସୂତ୍ର ଅନୁସାରେ ବିଜେପି ସଂଖ୍ୟାଗରିଷ୍ଠତା ପାଇଥିଲେ ହେଁ ନିତିଶ କୁମାର ବିହାରର ଆଗାମୀ ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବେ। ତାଙ୍କ ୩୧ ଜଣ ମନ୍ତ୍ରୀ ମଧ୍ୟ ପଦ ଓ ଗୋପନୀୟତାର ଶପଥ ପାଠ କରିବେ। ଶପଥ ଗ୍ରହଣ ସମାରୋହ ରାଜଧାନୀ ପାଟନାର ଗାନ୍ଧି ମୈଦାନରେ ଅନୁଷ୍ଠିତ ହେବ ଓ ଏଥିରେ ଏନଡିଏ ଶାସିତ ରାଜ୍ୟମାନଙ୍କ ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଭାବେ ନିତିଶ କୁମାର ୨୦୦୦ ମସିହାରେ ପ୍ରଥମ ଥର ଶପଥ ପାଠ କରିଥିଲେ। ଏହା ପରେ ସେ ୨୦୦୫-୧୦ ଓ ୨୦୧୦-୧୪ ପର୍ଯ୍ୟନ୍ତ ବିଜେପି ସମର୍ଥନରେ ଲଗାତାର ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ ୨୦୧୪ ଲୋକସଭା ନିର୍ବାଚନ ପରେ ନିତିଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ସ୍ଥାନରେ ସେ ଜିତେନରାମ ମାଁଝୀଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ। ଏହା ପରେ ୨୦୧୫ ମସିହାରେ ସେ ଆରଜେଡି, ହିନ୍ଦୁସ୍ତାନୀ ଆବାମୀ ମୋର୍ଚ୍ଚା ଓ କଂଗ୍ରେସ ସମର୍ଥନରେ ସେ ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୫ ନିର୍ବାଚନରେ ନିତିଶ ବିଜେପି ଓ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଜୋରଦାର ପ୍ରଚାର କରିଥିଲେ। ଏହାର ପରିଣାମ ହୋଇଥିଲା ଆରଜେଡି ୭୧ ଓ ଜେଡିୟୁ ୮୦ଟି ଆସନରେ ଜିତିଥିଲା।

ନିତିଶଙ୍କ ଏହି ସରକାରରେ ତେଜସ୍ୱୀ ଯାଦବ ପ୍ରଥମଥର ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୭ ମସିହାରେ ତେଜସ୍ୱୀଙ୍କ ଉପରେ ଭ୍ରଷ୍ଟାଚାରର ଆରୋପ ଲାଗିବାରୁ ନିତିଶ ତାଙ୍କୁ ଇସ୍ତଫା ଦେବାକୁ କହିଥିଲେ। ହେଲେ ଆରଜେଡି ଏହାକୁ ଅସ୍ୱୀକାର କରିଦେଇଥିଲା। ଏଣୁ ନିତିଶ ନିଜେ ପଦରୁ ଇସ୍ତଫା ଦେଇ ମାତ୍ର କିଛି ଘଣ୍ଟା ପରେ ବିଜେପି ସମର୍ଥନରେ ପୁଣି ରାଜ୍ୟରେ ଏନଡିଏ ସରକାର ଗଢିଥିଲେ। ୨୦୨୦ ନିର୍ବାଚନରେ ନିତିଶ ପୁଣି ଏନଡିଏ ସମର୍ଥନରେ ମୁଖ୍ୟମନ୍ତ୍ରୀ ହୋଇଥିଲେ।ତେବେ ୨୦୨୨ରେ ଇସ୍ତଫା ଦେଇ ଆରଜେଡି ସହିତ ମେଣ୍ଟ କରି ପୁଣି ସରକାର କରିଥିଲେ। ଏହି ସରକାର ୨୦୨୪ ପର୍ଯ୍ୟନ୍ତ ଚାଲିଥିଲା।

ଜାନୁୟାରୀ ୨୦୨୪ରେ ନିତିଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସେହି ଦିନ ସେ ଏନଡିଏ ସହ ପୁଣି ସାମିଲ ହୋଇଥିଲେ ଓ ରାଜ୍ୟର ନବମବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରିଥିଲେ। ତେବେ ମୁଖ୍ୟମନ୍ତ୍ରୀ ରୂପେ ନିତିଶ ୧୦ମବାର ପୁଣି ଶପଥ ଗ୍ରହଣ କରିବେ ନା ତାଙ୍କ ସ୍ଥାନରେ ନୂଆ ମୁହଁଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉଛି ଏହା ଦେଖିବାକୁ ଏବେ ଅପେକ୍ଷା।