ଘରୋଇ ମେସ୍‌ରେ ଘଟିଲା ଅଘଟଣ, ବାଥ୍‌ରୁମ୍‌ରେ ମିଳିଲା ମୃତଦେହ

Published By : Prameya-News7 Bureau | August 12, 2025 IST

ଭଦ୍ରକ ୧୨।୦୮ : ଓଢଣୀରେ ଝୁଲିପଡିଲେ ଛାତ୍ରୀ । ସୋମବାର ଘରୁ ଫେରିଥିଲେ। ଏହାପରେ ମଙ୍ଗଳବାର କ୍ଲାସକୁ ଯାଇଥିଲେ । ହେଲେ କ୍ଲାସରୁ ଫେରି ଏମିତି କଣ ଘଟିଲା ? ଯାହାକି ଶେଷରେ ଛାତ୍ରୀଙ୍କୁ ଜୀବନ ହାରିବାକୁ ବାଧ୍ୟ କରିଥିଲା । ଭଦ୍ରକ ସ୍ୱଂୟ ଶାସିତ ମହାବିଦ୍ୟାଳୟ ଗେଟ୍ ନିକଟରେ ଥିବା ଏକ ଘରୋଇ ମେସ୍‌ରେ ଘଟିଛି ଅଘଟଣ। 

ଖବର ଅନୁଯାୟୀ, ମୃତ ଛାତ୍ରୀ ଜଣଙ୍କ ବାସୁଦେବପୁର ଥାନା ଲୁଙ୍ଗା ଅଞ୍ଚଳର ପୁଷ୍ପାରାଣୀ ମଲ୍ଲିକ । ସେ ଭଦ୍ରକ କଲେଜରେ ଯୁକ୍ତ ୩ରେ ପ୍ରଥମ ବର୍ଷର ଛାତ୍ରୀ ଥିଲେ । ସୋମବାର ଦିନ ଗାଁରୁ ଫେରିଥିଲେ । ମଙ୍ଗଳବାର ସକାଳୁ କ୍ଲାସକୁ ଯାଇଥିଲେ । କ୍ଲାସରୁ ଫେରି ରୁମ୍‌ରେ ଥିଲେ। ଏହାପରେ ରୁମ୍‌ ପାଖରେ ଥିବା ଛାତ୍ରୀଙ୍କ ମତରେ, ଦୁଇ ଜଣ ସାଥୀ ତାଙ୍କୁ ଭେଟିବା ପାଇଁ ଆସିଥିଲେ। ପୁଷ୍ପା ବାଥ୍‌ ରୁମ୍‌ ଯାଇଥିଲେ। ଭିତର ପଟୁ କବାଟ ବନ୍ଦନଥିଲା । ବହୁ ସମୟ ଧରି ନଆସିବାରୁ ବାଧ୍ୟ ହୋଇ କବାଟ ଖୋଲିଥିଲେ। ହେଲେ ସେତେବେଳକୁ ପୁଷ୍ପାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।    

ଅନ୍ୟପଟେ ଘଟଣାର ଛାନ୍‌ଭିନ୍‌ କରିବାକୁ ଆସିଥିବା ଭଦ୍ରକ ଏସ୍‌ପି ମନୋଜ ରାଉତ କହିଛନ୍ତି ଯେ, ଖବର ପାଇବା ପରେ ଆମେ ଘଟଣାସ୍ଥଳରେ ପହଞ୍ଚିଥିଲୁ । ପ୍ରାଥମିକ ଭାବେ ଘଟଣାର କାରଣ ଅସ୍ପଷ୍ଟ ରହିଛି । ବାପା-ମା ଓ ରୁମ୍‌ ମେଟ୍‌ଙ୍କୁ ପଚରାଉଚରା ଚାଲିଛି । ସ୍ପଷ୍ଟ ଚିତ୍ର ଆସିବା ପାଇଁ କିଛି ସମୟ ଲାଗିବ । ଛାତ୍ରୀଙ୍କ ପକେଟରେ ଥିବା ମୋବାଇଲ୍‌କୁ ସିଜ୍‌ କରାଯାଇଛି । ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ତଦନ୍ତ ହେଉଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.