ମୋହନା ୦୧/୦୭: ଅଧା ଓଡ଼ିଶାରେ ଏବେ ବନ୍ୟା ସ୍ଥିତି । ଯୁାଡେ ଚାହିଁଲେ ଖାଲି ପାଣି ଆଉ ପାଣି । ଜଳବନ୍ଦୀ ଘେରରେ ଅନେକ ଗାଁ । କେଉଁଠି ଘରେ ପଶିଛି ପାଣି ତ ଆଉ କେଉଁଠି ଉଜୁଡ଼ିଛି ଚାଷ ଜମି । ଅନେକ ବାସହରା । ଏଭଳି ସ୍ଥିତିରେ ପାଠପଢା ପାଇଁ ବାଜିରେ ଲାଗିଛି କୁନି ଜୀବନ । ଦୁଇ ଅକ୍ଷର ପଢିବାକୁ ଭରା ନଈ ପାର୍ ହେଉଛନ୍ତି ଛାତ୍ରଛାତ୍ରୀ । ବିପଦ ସଂକୁଳ ଯାତ୍ରା କରି ପହଞ୍ଚୁଛନ୍ତି ଗନ୍ତବ୍ୟସ୍ଥଳ । ଗଜପତି ଜିଲ୍ଲା ଗରଡ଼ମା ପଞ୍ଚାୟତ ରାଜଖମା ଗାଁରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ ।
ପାଦେ ପାଦେ ଏଠି ବିପଦ । କେତେବେଳେ ଗୋଡ ଖସିଯିବାର ଭୟ । ଆଉ କେତେବେଳେ ଭାସିଯିବାର । ଏମିତିକି ଶରୀର ଅସୁସ୍ଥ ବି ହୋଇପାରେ । ଧୀରେ ଧୀରେ ବଢୁଛି ଜଳସ୍ତର ତଥାପି ବ୍ୟାକୁଳ ଏଇ କୁନି ମନ । ମୁଣ୍ଡରେ ବସ୍ତାନୀ ମୁଣ୍ଡାଇ ପାଠ ପଢିବାକୁ ଯିବାର ଝୁଙ୍କ୍ । କାରଣ ଭବିଷ୍ୟତ କଥା ଭାବିବାକୁ ପଡିବ । ଏକଥା ପାଲଟିଗଲାଣି ନିତି ଦିନିଆ । ପ୍ରତିବର୍ଷ ବର୍ଷା ହେଲେ ଦେଖିବାକୁ ମିଳେ ଏମିତି ଦୃଶ୍ୟ । ପୋଲ ନାହିଁ ବୋଲି କେବଳ ପିଲା ନୁହେଁ ବୟସ୍କ ବି ଭୋଗନ୍ତି ଯମ ଜନ୍ତ୍ରଣା । ଯଦି କେହି ରୋଗୀ ହେଲେ ତେବେ କଥା ସରିଲା । ପିଲାଙ୍କ ସହ ଶିକ୍ଷକ ବି କରନ୍ତି ଏମିତି ବିପଦପୂର୍ଣ୍ଣ ଯାତ୍ରା କରନ୍ତି ୧୧ ଖଣ୍ଡ ଗ୍ରାମବାସୀ ।
ବର୍ଷା ଅଧିକ ହେଲେ ଅନେକ ପିଲା ଯାଇପାରନ୍ତିନି ସ୍କୁଲ । ଯାତାୟତର ମାଧ୍ୟମ ନଥିବାରୁ ଅସମ୍ଭବ ହୁଏ ପାଠପଢା । ନଦୀରେ ପୋଲ ନିର୍ମାଣ ପାଇଁ ବହୁବାର ପ୍ରଶାସନକୁ ଜଣାଇଛନ୍ତି ଗ୍ରାମବାସୀ । ତଥାପି ହୋଇପାରୁନି କାର୍ଯ୍ୟକାରୀ । ବର୍ଷା ଦିନରେ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରଛାତ୍ରୀ ଓ ଗ୍ରାମବାସୀ l ଆଗକୁ ସ୍ଥିତି ଉପରେ ନଜର ରଖିବାକୁ ଦାବି ହୋଇଛି ।
ବାଲେଶ୍ବର ଓ ମୟୂରଭଞ୍ଜରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ସୁବର୍ଣ୍ଣରେଖା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ଜଳକା ବିପଦ ସଙ୍କେତଠାରୁ ସାମାନ୍ୟ ତଳେ ରହିଛି । ସୁବର୍ଣ୍ଣଖୋ ନଦୀର ଜଳସ୍ତର କମୁଥିଲେ ବି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବନ୍ୟା ଆଶଙ୍କାକୁ ଦେଖି ସତର୍କ ରହିବା ପାଇଁ ବାଲେଶ୍ବର ଏବଂ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ଜଳ ସମ୍ପଦ ବିଭାଗ। ଏପରି ସ୍ଥିତିରେ ପିଲାଙ୍କ ବିପଦପୂର୍ଣ୍ଣ ପାଠପଢା ବଢାଇଛି ଆଶଙ୍କା ।