ରାଜ୍ୟସଭା କସରତ, ଚତୁର୍ଥ ଆସନ ହାତେଇବ କିଏ ? ଅଙ୍କ କଷୁଛନ୍ତି ବିଜେପି-ବିଜେଡି

NEWS7
student-disappoint-after-result

ଭୁବନେଶ୍ଵର: ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ | ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ | ଓଡ଼ିଶାର ୪ ଆସନ ପାଇଁ ହେବ ଭୋଟ୍ | ଏପ୍ରିଲ ୨ରେ ସରୁଛି ଓଡ଼ିଶାର ୪ ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୁନ୍ନା ଖାଁ, ସୁଜିତ୍ କୁମାର, ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ । ତେବେ ନିର୍ବାଚନ ଘୋଷଣା ପରେ କେଉଁ ଦଳରୁ କିଏ ଯିବେ ରାଜ୍ୟସଭା ଏବଂ ଚତୁର୍ଥ ଆସନ ପାଇଁ କିଏ ଦେବେ ପ୍ରାର୍ଥୀ ତାକୁ ନେଇ ଜୋର୍ ଧରିଛି ଚର୍ଚ୍ଚା ।

ରାଜ୍ୟସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ | ମାର୍ଚ୍ଚ ୧୬ରେ ହେବ ରାଜ୍ୟସଭା ନିର୍ବାଚନ | ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ଓଡ଼ିଶାର ୪ ଆସନ ପାଇଁ ହେବ ଭୋଟ୍ | ମାର୍ଚ୍ଚ ୫ ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ । ୬ ତାରିଖରେ ନାମାଙ୍କନ ଯାଞ୍ଚ | ମାର୍ଚ୍ଚ ୯ ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ତାରିଖ | ମାର୍ଚ୍ଚ ୧୬ ତାରିଖ ସକାଳ ୯ଟାରୁ ଅପରାହ୍ଣ ୪ ଯାଏଁ ଭୋଟ୍ ଗ୍ରହଣ ଓ ଅପରାହ୍ଣରେ ହେବ ଭୋଟ୍ ଗଣତି | ଗୋଟିଏ ରାଜ୍ୟସଭା ସିଟ ପାଇଁ ୩୦ ବିଧାନସଭା ଆସନ ଆବଶ୍ୟକ ।

ବର୍ତ୍ତମାନ ବିଧାନସଭାରେ ବିଜେପି ବିଧାୟକଙ୍କ ସଂଖ୍ୟା ୭୯ । ବିଜେପି ସମର୍ଥନରେ ଅଛନ୍ତି ୩ ସ୍ବାଧୀନ ବିଧାୟକ । ସମସ୍ତଙ୍କୁ ମିଶାଇଲେ ବିଜେପି ପାଖରେ ସଂଖ୍ୟା ୮୨ ରହିଛି | ଜଣେ ରାଜ୍ୟସଭା ସାଂସଦ ପ୍ରାର୍ଥୀଙ୍କ ଲାଗି ୩୦ ବିଧାୟକଙ୍କ ସମର୍ଥନ ଦରକାର ପଡ଼ୁଥିବାରୁ ବିଜେପି ୨ଜଣ ପ୍ରାର୍ଥୀ ଦେବା ଏକ ପ୍ରକାର ନିଶ୍ଚିତ । ଦୁଇ ପ୍ରାର୍ଥୀ ଦେବା ପରେ ବିଜେପିର ଆହୁରି ୨୨ ବିଧାୟକ ସିଟ ବଳକା ପଡ଼ିବ | ସେପଟେ ବିଜେଡିର ୨ ବିଧାୟକଙ୍କ ନିଲମ୍ବନ ପରେ ବିଜେଡି ବିଧାୟକଙ୍କ ସଂଖ୍ୟା ଏବେ ୪୮ | ବିଜେଡି ଜଣେ ପ୍ରାର୍ଥୀ ଦେବା ପରେ ଦଳର ଆଉ ୧୭ ବିଧାୟକ ବଳକା ରହିବେ | କଂଗ୍ରେସର ୧୪ ଆସନ ଏବଂ ଗୋଟେ CPIM ସଦସ୍ୟ ମିଶାଇ ୧୫ ଜଣ ସଦସ୍ୟ ଥିବାରୁ ରାଜ୍ୟସଭା ପାଇଁ ପ୍ରାର୍ଥୀ ଦେବାକୁ ଦଳର ପାଖରେ ନାହିଁ ଆବଶ୍ୟକ ସମର୍ଥନ ।

ରାଜ୍ୟସଭା ବିଗୁଲ ବାଜିବା ପରେ ଜୋର ଧରିଛି କଳ୍ପନା ଜଳ୍ପନା । କେଉଁ ଦଳରୁ କିଏ ଯିବେ ରାଜ୍ୟସଭା ? ବିଜେପିରୁ ରାଜ୍ୟ ସଭାପତି ମନମୋହନ ସାମଲ ରାଜ୍ୟସଭା ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି | ଖାଲି ସେତିକି ନୁହେଁ, ପୂର୍ବତନ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସମୀର ମହାନ୍ତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ସୁଜିତ କୁମାର ନିଜେ ମଧ୍ୟ ରାଜ୍ୟସଭା ଯିବାକୁ ରେସରେ ଅଛନ୍ତି | ଏହାସହ ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମରଙ୍କୁ ମଧ୍ୟ ଦଳ ପ୍ରାର୍ଥୀ କରିପାରେ |

ସେହିପରି ବିଜେଡିରୁ ଚର୍ଚ୍ଚା ଭିତରେ ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର, ବରିଷ୍ଠ ଉପ ସଭାପତି ଦେବୀ ମିଶ୍ର, ପୂର୍ବତନ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି | ଏପଟେ ପିସିସି ସଭାପତି ଭକ୍ତ ଦାସ ସଂଖ୍ୟା ନ ଥାଇ ମଧ୍ୟ ପ୍ରାର୍ଥୀ ଦେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ରାଜ୍ୟସଭା ୪ ସିଟ ଭିତରୁ ବିଜେପି ହାତକୁ ଯିବ ଦୁଇଟି ସିଟ, ବିଜେଡିକୁ ଗୋଟିଏ | କିନ୍ତୁ ଚତୁର୍ଥ ଆସନ ପାଇଁ କିଏ ପ୍ରାର୍ଥୀ ହେବେ ତାହାରି ଭିତରେ ଶିଳ୍ପପତି ଦିଲ୍ଲୀପ ରାୟଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି । ତେବେ ଚତୁର୍ଥ ଆସନ ଲାଗି କିଏ ପ୍ରାର୍ଥୀ ଦେବ ଏବଂ କିଏ କାହାକୁ ସମର୍ଥନ କରିବେ ତାହା ଉପରେ ରହିବ ସମସ୍ତଙ୍କ ନଜର ।