କଟକ/ଭୁବନେଶ୍ବର: ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ଲକ୍ଷ୍ୟରେ ପରିବହନ ବିଭାଗ ଦ୍ବାରା ଶୂନ ମୃତାହତ ପକ୍ଷ ପାଳନ କରାଯାଉଛି। ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ କରୁଥିବା ବେପରୁଆ ଗାଡ଼ି ଚାଳକଙ୍କୁ ନିୟନ୍ତ୍ରଣ କରିବାକୁ ରାଜ୍ୟବ୍ୟାପି ଯାଞ୍ଚ ଜୋରଦାର କରାଯାଇଛି। ନଭେମ୍ବର ୧୬ରୁ ଆରମ୍ଭ ହୋଇଥିବା ଏହି ପକ୍ଷରେ ପ୍ରଥମ ଚାରି ଦିନରେ କେବଳ ପରିବହନ ବିଭାଗ ଦ୍ବାରା ୧୨, ୧୫୫ ଇ-ଚାଲାଣରେ ଦୁଇ କୋଟିରୁ ଅଧିକ ଟଙ୍କାର ଜରିମାନା ଜାରି କରାଯାଇଛି।

ସଡ଼କ ବ୍ୟବହାରକାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଉଭୟ ପରିବହନ ବିଭାଗ ଓ ପୋଲିସ ପ୍ରଶାସନ ଦ୍ବାରା କଡ଼ାକଡ଼ି ଯାଞ୍ଚକୁ ପ୍ରାଧାନ୍ୟ ଦିଆଯାଇଛି। ଦ୍ରୁତଗତି ଯୋଗୁ ଦୁର୍ଘଟଣା ଅଧିକ ଘଟୁଥିବାରୁ ଏହା ଉପରେ ବିଶେଷ ନଜର ରଖାଯାଇଛି। କେବଳ ପରିବହନ ବିଭାଗ ଦ୍ବାରା ଦ୍ରୁତଗତି ବିରୋଧରେ ଶୂନ ମୃତାହତ ପକ୍ଷର ପ୍ରଥମ ଚାରି ଦିନରେ ୩,୮୫୮ ଇ-ଚାଲାଣ ଜାରି କରାଯାଇଛି। ସେହିଭଳି ବିନା ହେଲମେଟରେ ଦୁଇଚକିଆରେ ଯାଉଥିବାରୁ ୩୨୧୩ ଇ-ଚାଲାଣ ଜାରି କରାଯାଇଛି। ବିନା ସିଟବେଲ୍ଟରେ ୨୯୨୧, ଗାଡ଼ି ଚଳାଇବାବେଳେ ମୋବାଇଲ ଫୋନ ବ୍ୟବହାରରେ ୪୯୮, ନିଶା ସେବନ କରି ଗାଡ଼ି ଚଳାଉଥିବାରୁ ୧୩୫, ଦୁଇ ଚକିଆରେ ଦୁଇରୁ ଅଧିକ ଯାଉଥିବାରୁ ୬୨୮, ବିପରୀତ ଦିଗରେ ଗାଡ଼ି ଚଳାଉଥିବାରୁ ୨୩୬, ବେଆଇନ ପାର୍କିଂ ଯୋଗୁ ୬୬୬ ଚାଲାଣ ଜାରି କରାଯାଇଛି।

ସୁନ୍ଦରଗଡ଼ ଆରଟିଓ ଅଧୀନରେ ମୋଟ ଉପରେ ୧୧୮୦ ଚାଲାଣ ଜାରି ହୋଇଥିବାବେଳେ ଭୁବନେଶ୍ବର-୧ ଅଧୀନରେ ୮୪୦, କଟକ ଆରଟିଓରେ ୭୯୧, ତାଳଚେର ଆରଟିଓରେ ୭୪୧, ଭଦ୍ରକ ୭୧୯, ଜଗତସିଂହପୁର ୬୩୨, ରାୟଗଡ଼ାରେ ୫୫୫, ଅନୁଗୁଳରେ ୫୨୦, କଳାହାଣ୍ଡିରେ ୪୬୨, ଯାଜପୁରରେ ୩୯୭, ଗଞ୍ଜାମ ୩୩୯ ଓ ବଡ଼ବିଲ ଏଆରଟିଓ ଅଧୀନରେ ୨୭୫ ଚାଲାଣ ଜାରି ହୋଇଛି।

ତେବେ କେବଳ ଏନଫୋର୍ସମେଣ୍ଟ ନୁହେଁ, ସମସ୍ତ ଆରଟିଓଙ୍କ ଦ୍ବାରା ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଗ୍ରହଣ କରାଯାଇଛି।ସଡ଼କ ଦୁର୍ଘଟଣା ହ୍ରାସର ଏହି ମହତ ଅଭିଯାନରେ ସାମିଲ ହୋଇ ସର୍ବଦା ସଡ଼କ ସୁରକ୍ଷା ନିୟମ ପାଳନ କରିବାକୁ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ବାରା ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।