ଭୁବନେଶ୍ୱର: ପୁରୀ ଶରଧାବାଲି ଅଘଟଣକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ । କାହିଁକି ଏବଂ କେଉଁ ପରିସ୍ଥିତିରେ ଏତେ ବଡ଼ ଅଘଟଣ ଘଟିଲା ତା’ ଉପରେ ପୁରୀ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଜବାବ ତଲବ କରିଛନ୍ତି ମାନବାଧିକାର କମିଶନଙ୍କ ୨ ଜଣିଆ ବେଞ୍ଚ । ଦଳଚକଟାରେ ଆହତ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦେଶ ହୋଇଛି । ଏବଂ ଆଗକୁ ଯେପରି କୌଣସି ଅଘଟଣ ନଘଟିବ, ସେଥିଲାଗି ସଜାଗ ରହିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ହୋଇଛି ।
ଉଲ୍ଲେଖଯୋଗ୍ୟ ଯେ ରବିବାର ଭୋରୁ ଶରଧାବାଲିରେ ଏକ ବଡ଼ ଅଘଟଣ ଘଟିଥିଲା । ଶରଧାବାଲିରେ ଦଳାଚକଟା ହେବା କାରଣରୁ ୩ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିଲା । ଏହାସହ ଏକାଧିକ ଲୋକ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପ୍ରଶାସନିକ ଅବ୍ୟବସ୍ଥା ଯୋଗୁ ଏତେ ବଡ ଅଘଟଣ ଘଟିଲା ବୋଲି ଅଭିଯୋଗ କରି ଆଇନଜୀବୀ ନିଶିକାନ୍ତ ମିଶ୍ର ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ମାମଲା ଦାୟର କରିଛନ୍ତି ।