ଭୁବନେଶ୍ଵର: ଅନେକ ମାସର ଅପେକ୍ଷା ପରେ କାଲିଠୁ ରାଜ୍ୟ ବିଜେପି ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଉଛି। ରାଷ୍ଟ୍ରୀୟ ପରିଷଦ ସଦସ୍ୟଙ୍କ ନିର୍ବାଚନ ପ୍ରକ୍ରିୟା ବି ଆରମ୍ଭ। ୩ ଦିନ ଧରି ଚାଲିବ ନିର୍ବାଚନ ପ୍ରକ୍ରିୟା। ସାଂସଦ ସଞ୍ଜୟ ଜୟସ୍ବାଲଙ୍କୁ ଏ ନେଇ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଏ ନେଇ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ଏହାର ସୂଚନା ଦେଇଛନ୍ତି।
ରାଜ୍ୟ ବିଜେପି ସଭାପତି ନିଯୁକ୍ତି ବିଳମ୍ବ ପ୍ରସଙ୍ଗ ରାଜ୍ୟ ରାଜନୀତି ସରଗରମ କରି ଆସିଛି। ମେ ୫ ତାରିଖ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ବିଜେପିରେ ସଭାପତି ଚୟନ ସର୍ବସମ୍ମତି ନିଷ୍ପତ୍ତି କ୍ରମେ ହୋଇଥାଏ। ବିଜେପି ହେଉଛି ଏକମାତ୍ର ଦଳ ଯେଉଁଠି ଦଳର ଜଣେ ସାଧାରଣ କାର୍ଯ୍ୟକର୍ତ୍ତା ଜିଲ୍ଲା ସଭାପତି, ରାଜ୍ୟ ସଭାପତି କିମ୍ବା ଜାତୀୟସ୍ତରରେ ସଭାପତି ହୋଇଥାନ୍ତି। ଅତୀତରେ ଅନେକ ବ୍ୟକ୍ତି ଛୋଟ କାର୍ଯ୍ୟକର୍ତ୍ତାରୁ ଜାତୀୟସ୍ତରରେ ଦଳର ବଡ଼ ବଡ଼ ଦାୟିତ୍ଵ ସମ୍ଭାଳିଛନ୍ତି।
Also read: ପୁରୀରେ ଗୌତମ ଆଦାନୀ, ରଥଯାତ୍ରାରେ ସାମିଲ ହେଲେ, ଶ୍ରଦ୍ଧାଳୁଙ୍କୁ ଖାଦ୍ୟ ବାଣ୍ଟିଲେ
ସେ କହିଥିଲେ, ରାଜ୍ୟ ସଭାପତି ଚୟନ ଶେଷ ସୋପାନରେ ଅଛି। ଯେ କୌଣସି ମୂହୁର୍ତ୍ତରେ ଘୋଷଣା ହୋଇ ପାରେ। ଦେଶର ଅନେକ ଆଞ୍ଚଳିକ ଦଳରେ ଜଣେ ବ୍ୟକ୍ତି ସଭାପତି ରହି ଆସିଛନ୍ତି। କିନ୍ତୁ ଆମେ ଜାତୀୟ ଦଳ ହୋଇଥିବାରୁ ଆମ ପ୍ରକ୍ରିୟା ବିଳମ୍ବ ହୁଏ। ଅନ୍ୟ ଦଳର ସଭାପତି ଚୟନ ପୂର୍ବ ନିର୍ଦ୍ଧାରିତ। ତେଣୁ ଦଳର ଆଭ୍ୟନ୍ତରୀଣ ବ୍ୟାପାରକୁ ନେଇ ଆମେ କହିବାଟା ଭୁଲ୍ ହେବ।
ସୂଚନାଯୋଗ୍ୟ, ଓଡ଼ିଶାର ରାଜ୍ୟ ବିଜେପି ସଭାପତିକୁ ନେଇ ମାନସ ମନ୍ଥନ ଜାରି ରହିଛି। କିଏ ରାଜ୍ୟ ବିଜେପିର ମଙ୍ଗ ସମ୍ଭାଳିବ ତାକୁ ନେଇ ଚର୍ଚ୍ଚା ଜାରି ରହିଛି। ବର୍ତ୍ତମାନ ମନମୋହନ ସାମଲ ରାଜ୍ୟ ବିଜେପି ସଭାପତି ଅଛନ୍ତି। ତାଙ୍କ ସଭାପତିତ୍ଵରେ ପ୍ରଥମ ଥର ଓଡ଼ିଶାରେ ନିର୍ବାଚନ ଜିତି ସରକାର ଗଠନ କରିଛି ବିଜେପି। ତେବେ କିଏ ହେବ ରାଜ୍ୟ ବିଜେପିର ସଭାପତି ତାକୁ ନେଇ ସସପେନ୍ସ ଲାଗି ରହିଛି।