ହରିଦ୍ୱାର ମନସା ମନ୍ଦିରରେ ଅଘଟଣ, ଦଳାଚକଟାରେ ୬ ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | July 27, 2025 IST

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ହରିଦ୍ୱାରର ପ୍ରସିଦ୍ଧ ମନସା ଦେବୀ ମନ୍ଦିରରେ ଭିଡ଼ ଯୋଗୁଁ ଦଳାଚକଟା ହୋଇଥିବା ସୂଚନା ମିଳିଛି। ରବିବାର ସକାଳେ ହୋଇଥିବା ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ଅନେକ ଲୋକ ଆହତ ହୋଇଥିବା ଆଶଙ୍କା କରାଯାଉଛି। ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ସ୍ଥାନୀୟ ପୋଲିସ ଏବଂ ପ୍ରଶାସନିକ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।

ପ୍ରଶାସନ କହିଛି ଯେ ମନ୍ଦିରରେ ପ୍ରବଳ ଭିଡ଼ ଜମା ହୋଇଥିଲା। ଯାହା ଫଳରେ ଦଳାଚକଟା ହୋଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସ୍ଥାନୀୟ ପୋଲିସ ଏବଂ ପ୍ରଶାସନିକ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ସେହି ସମୟରେ, ମୁଖ୍ୟମନ୍ତ୍ରୀ ଧାମି ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି।

ଗଡ଼ୱାଲ ଡିଭିଜନାଲ କମିଶନର ବିନୟ ଶଙ୍କର ପାଣ୍ଡେ କହିଛନ୍ତି ଯେ ହରିଦ୍ୱାରର ମନସା ଦେବୀ ମନ୍ଦିରରେ ପ୍ରବଳ ଭିଡ଼ ହେବା ପରେ ଦଳାଚକଟା ହୋଇଥିଲା। ଏହି ଦଳାଚକଟାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ଏହି ଘଟଣା ସିଡ଼ି ରାସ୍ତାରେ ଘଟିଥିଲା। ସନ୍ଦେହ କରାଯାଉଛି ଯେ ସିଡ଼ିରେ ବିଦ୍ୟୁତ୍ କରେଣ୍ଟ ଥିଲା, ଯାହା ପରେ ଭକ୍ତମାନଙ୍କ ମଧ୍ୟରେ ଦଳାଚକଟା ହୋଇଥିଲା। ଦୁର୍ଘଟଣାର କାରଣ ତଦନ୍ତ କରାଯାଉଛି। ଦୁର୍ଘଟଣାରେ ପ୍ରାୟ ୧୫ ଜଣ ଆହତ ହୋଇଥିବା ସୂଚନା ମିଳୁଛି।

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଦୁର୍ଘଟଣା ଉପରେ ଦୁଃଖ ପ୍ରକାଶ କରିଛନ୍ତି। ସେ xରେ ଲେଖିଛନ୍ତି, 'ହରିଦ୍ୱାରରେ ଅବସ୍ଥିତ ମନସା ଦେବୀ ମନ୍ଦିରରେ ଦଳାଚକଟା ସମ୍ପର୍କରେ ଅତ୍ୟନ୍ତ ଦୁଃଖଦ ଖବର ମିଳିଛି। ସ୍ଥାନୀୟ ପୋଲିସ ଏବଂ ଅନ୍ୟାନ୍ୟ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ମୁଁ ଏହି ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ସହିତ ନିରନ୍ତର ଯୋଗାଯୋଗରେ ଅଛି ଏବଂ ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଛି। ମୁଁ ସମସ୍ତ ଭକ୍ତଙ୍କ ସୁରକ୍ଷା ପାଇଁ ମାତା ରାଣୀଙ୍କ ନିକଟରେ ପ୍ରାର୍ଥନା କରୁଛି। '

ମୃତାହତଙ୍କ ସଠିକ୍ ସଂଖ୍ୟା ଏପର୍ଯ୍ୟନ୍ତ ସରକାରୀ ଭାବରେ ନିଶ୍ଚିତ କରାଯାଇ ନାହିଁ, କିନ୍ତୁ ସ୍ଥାନୀୟ ଅଧିକାରୀମାନେ କହିଛନ୍ତି ଯେ ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଅତିରିକ୍ତ ବାହିନୀ ମୁତୟନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.