ଏ ବର୍ଷ ଅଧିକ ଖରା, ମାର୍ଚ୍ଚରୁ ମେ' ମାସ ଭିତରେ ୧୫ ଦିନ ହିଟ୍‌ଓ୍ବେଭ ଆକଳନ

NEWS7
sri-lanka-crisis-eam-s-jaishankar-india-always-stood-by-sri-lanka-no-refugee-crisis

ଭୁବନେଶ୍ୱର ୦୧।୦୩ : ଚଳିତ ବର୍ଷ ରାଜ୍ୟରେ ଗ୍ରୀଷ୍ମଲହରି ଅବଧି ଅଧିକ ରହିବ। ମାର୍ଚ୍ଚରୁ ମେ ମାସ ଭିତରେ ଅଧିକ ଦିନ ହିଟ୍ୱେଭ ରହିବ । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଅଧିକ ଦିନ ରହିପାରେ। ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାରେ ୧୨ରୁ ୧୫ ଦିନ ଯାଏ ଗ୍ରୀଷ୍ମ ପ୍ରବାହ ଅଧିକ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି ) ପୂର୍ବାନୁମାନ କରିଛି।

ଆଇଏମ୍ଡି ଜାରି କରିଥିବା ଆକଳନ ଅନୁସାରେ, ମାର୍ଚ୍ଚରୁ ମେ ମାସ ଯାଏ ସ୍ୱାଭାବିକଠାରୁ ଅଧିକ ତାତି ରହିବ । କିନ୍ତୁ ଦେଶର ଉତ୍ତର ପଶ୍ଚିମ ଭାଗ ଓ କେନ୍ଦ୍ରୀୟ ଭାଗରେ ତାପମାତ୍ରା ସ୍ୱାଭାବିକ ବା ସ୍ୱାଭାବିକଠାରୁ କମ୍ ରହିବ । ସେହିଭଳି ମାର୍ଚ୍ଚ ମାସରେ ଦେଶର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ବା ସ୍ୱାଭାବିକଠାରୁ କମ୍ ରହିବ ବୋଲି ଜାରି ହୋଇଥିବା ବିସ୍ତାରିତ ଆକଳନରେ କୁହାଯାଇଛି ।

ରାଜ୍ୟରେ ଏବେ ଗରମ ବଢ଼ିବ । ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ । ଏବେଠାରୁ ତାପମାତ୍ରା ବଢ଼ିବା ସହ ପ୍ରବଳ ଗରମ ଅନୁଭୂତ ହେଉଛି । ଆଗକୁ ଦିନବେଳା ଅସହ୍ୟ ଗରମ ହେବ । ପାଣିପାଗ ବିଭାଗ ଏହି ଆକଳନ କରିଛି । ଶନିବାର ସମ୍ବଲପୁରରେ ଦିନ ତାପମାତ୍ରା ସର୍ବାଧିକ ୩୬.୬ ଡିଗ୍ରୀ ଥିଲା । ସୋନପୁରରେ ୩୫.୯ ଡିଗ୍ରୀ, ସୁନ୍ଦରଗଡ଼ରେ ୩୫.୮, ଭୁବନେଶ୍ୱର ଓ ଅନଗୁଳରେ ୩୫.୭, ତାଳଚେର ଓ ରାଉରକେଲାରେ ୩୫.୪ ଡିଗ୍ରୀ ରହିଥିଲା ।

ରବିବାର ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୨୦ରୁ ୨୨ ଡିଗ୍ରୀ ରହିବ । ଉତ୍ତର, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା କମ୍ ରହିବ । ସୋମବାର(୨ ତାରିଖ) ଉପକୂଳ ଓଡ଼ିଶାକୁ ଛାଡ଼ି ଆଉ ସବୁଠି ତାପମାତ୍ରା କମ୍ ରହିବ । ୩ ତାରିଖରେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୨୨ରୁ ୨୫ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।