ଭାରତ ଉପରେ ୫୦୦% ଟାରିଫ୍ ଲଗାଇପାରେ ଆମେରିକା, ଏହି ବିଲ୍‌କୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି ଟ୍ରମ୍ପ

NEWS7
spinner-varun-chakravarthy-added-to-indias-odi-squad-for-series-vs-england-said-bcci

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ବିରୁଦ୍ଧରେ କଠୋର କଟକଣା ଲଗାଇବା ପାଇଁ ଏକ ବିଲକୁ ମଞ୍ଜୁରୀ ଦେଇଛନ୍ତି। ଇକୋନୋମିକ୍ ଟାଇମ୍ସ ଅନୁଯାୟୀ, ବିଲରେ ରୁଷରୁ ତେଲ କିଣୁଥିବା ଦେଶ, ବିଶେଷକରି ଭାରତ, ଚୀନ୍ ଏବଂ ବ୍ରାଜିଲ ଉପରେ ୫୦୦% ପର୍ଯ୍ୟନ୍ତ ଶୁଳ୍କ ଲଗାଇବାର ବ୍ୟବସ୍ଥା ରହିଛି।

ରିପବ୍ଲିକାନ୍ ସିନେଟର ଲିଣ୍ଡସେ ଗ୍ରାହାମ କହିଛନ୍ତି ଯେ, ସେ ବୁଧବାର ହ୍ୱାଇଟ୍ ହାଉସରେ ରାଷ୍ଟ୍ରପତିଙ୍କ ସହ କଥା ହୋଇଥିଲେ । ଟ୍ରମ୍ପ କଂଗ୍ରେସରେ ବିଲ୍ ଉପସ୍ଥାପନ କରିବାକୁ ସବୁଜ ସଙ୍କେତ ଦେଇଛନ୍ତି। ଦୀର୍ଘ ମାସ ଧରି ବିକଶିତ ହେଉଥିବା ଏହି ବିଲ୍ ଆସନ୍ତା ସପ୍ତାହରେ ଭୋଟ୍ ପାଇଁ କଂଗ୍ରେସରେ ଅଣାଯାଇପାରେ।

ୟୁକ୍ରେନ ଯୁଦ୍ଧ ମଧ୍ୟରେ ରୁଷଠାରୁ ଶସ୍ତା ଅଶୋଧିତ ତୈଳ କିଣୁଥିବା ଦେଶଗୁଡ଼ିକୁ ଚାପ ପକାଇବାକୁ ସାଙ୍କସନିଙ୍ଗ୍ ରୁଷ ଆକ୍ଟ ବା ରୁଷ ପ୍ରତିବନ୍ଧକ ଆଇନ (ଏଆରଏ-୨୦୨୫) ବିଲ୍ର ଲକ୍ଷ୍ୟ । ଏହି ଆଇନ ମାଧ୍ୟମରେ ରୁଷିଆର ଶକ୍ତି, ବ୍ୟାଙ୍କିଙ୍ଗ ଏବଂ ପ୍ରତିରକ୍ଷା କ୍ଷେତ୍ରକୁ ଟାର୍ଗେଟ କରିବ ଆମେରିକା। ଏଥିରେ ରୁଷିଆର ତୈଳ ଏବଂ ଗ୍ୟାସ କମ୍ପାନୀ, ପ୍ରମୁଖ ବ୍ୟାଙ୍କ, ପ୍ରତିରକ୍ଷା ଶିଳ୍ପ ଏବଂ ସେମାନଙ୍କର ବିଶ୍ୱ ନେଟୱାର୍କ ଉପରେ କଠୋର କଟକଣା ପ୍ରସ୍ତାବ ଦିଆଯାଇଛି।

ଏହା ସହିତ, ରୁଷକୁ ପ୍ରତିବନ୍ଧକରୁ ରକ୍ଷା କରିବାରେ ସାହାଯ୍ୟ କରୁଥିବା ତୃତୀୟ ଦେଶ, କମ୍ପାନୀ କିମ୍ବା ବ୍ୟାଙ୍କଗୁଡ଼ିକ ଉପରେ ଦ୍ୱିତୀୟ ପ୍ରତିବନ୍ଧକ ଲଗାଇବାର ବ୍ୟବସ୍ଥା ରହିଛି। ଏହାର ଅର୍ଥ ହେଉଛି ଯେ, ଯଦି କୌଣସି ଦେଶ ରୁଷ ସହିତ ବାଣିଜ୍ୟ କରେ, ତେବେ ଆମେରିକାର କାର୍ଯ୍ୟାନୁଷ୍ଠାନର ଶିକାର ହୋଇପାରେ।

ଏହି ବିଲ୍ ଆମେରିକା ଏବଂ ଏହାର ସହଯୋଗୀ ରାଷ୍ଟ୍ରଗୁଡ଼ିକରେ ଥିବା ରୁଷର ଫ୍ରିଜ୍ ହୋଇଥିବା ସମ୍ପତ୍ତିକୁ ୟୁକ୍ରେନକୁ ପୁନଃନିର୍ମାଣ ଏବଂ କ୍ଷତିପୂରଣ ପାଇଁ ବ୍ୟବହାର କରିବାକୁ ଏକ ଆଇନଗତ ପଥ ସୃଷ୍ଟି କରିବାକୁ ଚେଷ୍ଟା କରୁଛି।ରୁଷ ବିରୁଦ୍ଧରେ କଟକଣା ଲାଗୁ କରିବା ପାଇଁ ଏହି ବିଲ୍ ହେଉଛି ଏକ ଦ୍ୱିଦଳୀୟ ବିଲ୍ । ଏହାକୁ ରିପବ୍ଲିକାନ୍ ସିନେଟର ଲିଣ୍ଡସେ ଗ୍ରାହାମ ଏବଂ ଡେମୋକ୍ରାଟିକ୍ ସିନେଟର ରିଚାର୍ଡ ବ୍ଲୁମେନ୍ଥଲ ମିଳିତ ଭାବରେ ଆଗତ କରିଛନ୍ତି। ୮୦ ପ୍ରତିଶତରୁ ଅଧିକ ସାଂସଦ ବିଲକୁ ସମର୍ଥନ ଦେଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ରୁଷରୁ ତୈଳ କ୍ରୟ କରୁଥିବାରୁ ଭାରତ ଉପରେ ଆମେରିକା ଅତିରିକ୍ତ ୨୫ ପ୍ରତିଶତ ଟାରିଫ ଲଗାଇଛି । ଏବେ ଯଦି ଏହି ବିଲ୍ ପାସ ହୋଇଯାଏ, ତେବେ ଦିଲ୍ଲୀର ଚିନ୍ତା ବହୁଗୁଣିତ ହୋଇପାରେ । ଏବେ ସୁଦ୍ଧା ଭାରତ ଉପରେ ମୋଟ ୫୦ ପ୍ରତିଶତ ଟାରିଫ ଲଗାଇସାରିଛି ଆମେରିକା ।

ଅନ୍ୟପକ୍ଷରେ ଆମେରିକା ଟାରିଫର ସମ୍ମୁଖୀନ ହେଉଥିବା ଭାରତ ରୁଷ ପାଖରୁ ତୈଳ ଆମଦାନୀ କମ୍ କରିଛି । ୨୦୨୧ ପରେ ଭାରତ ପ୍ରଥମ ଥର ପାଇଁ ରୁଷରୁ ଅଶୋଧିତ ତୈଳ ଆମଦାନୀ ହ୍ରାସ କରିଛି। ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ, ନଭେମ୍ବରରେ ଭାରତର ରୁଷୀୟ ତୈଳ ଆମଦାନୀ ପ୍ରତିଦିନ ପ୍ରାୟ ୧.୭୭ ନିୟୁତ ବ୍ୟାରେଲରୁ ଡିସେମ୍ବରରେ ପ୍ରାୟ ୧୨ ନିୟୁତ ବ୍ୟାରେଲକୁ ହ୍ରାସ ପାଇଛି। ଭବିଷ୍ୟତରେ, ଏହା ପ୍ରତିଦିନ ୧୦ ନିୟୁତ ବ୍ୟାରେଲ ତଳକୁ ମଧ୍ୟ ଖସିପାରେ।