ଶ୍ରୀମନ୍ଦିର ପରିସରରେ ହେବ ସ୍ବତନ୍ତ୍ର ସ୍ତନ୍ୟପାନ ଗୃହ, ରହିବେ ସ୍ୱତନ୍ତ୍ର ମହିଳା ସହାୟିକା

Published By : Prameya-News7 Bureau | August 23, 2025 IST

ପୁରୀ ୨୩।୮: ଶ୍ରୀମନ୍ଦିର ପରିସରରେ ଶିଶୁ ତଥା ମା' ମାନଙ୍କ ପାଇଁ ହେବ ସ୍ତନ୍ୟପାନ ଗୃହ । ଶ୍ରୀମନ୍ଦିରକୁ ପ୍ରତିଦିନ ବହୁ ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ଆସୁଥିବା ବେଳେ ଅନେକ ମା' ନିଜ ଛୋଟ ଶିଶୁଙ୍କୁ ନେଇ ଆସିଥାନ୍ତି । ବିଶେଷ କରି ସ୍ତନ୍ୟପାନ ଉପରେ ନିର୍ଭରଶୀଳ ଶିଶୁ ଏବଂ ମା' ମାନଙ୍କ ଆବଶ୍ୟକତାକୁ ନଜରରେ ରଖି ଶ୍ରୀମନ୍ଦିର ପରିସରରେ ଏକ ସ୍ବତନ୍ତ୍ର ସ୍ତନ୍ୟପାନ ଗୃହ କରାଯିବାକୁ ଯୋଜନା ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ବିଦାୟୀ ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର, ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ, ବରିଷ୍ଠ ସୁପରଭାଇଜର ବକ୍ସି ପ୍ରତିହାରୀ, ସହକାରୀ ପ୍ରଶାସିକା ଶୁଭଶ୍ରୀ ସୁଚିସ୍ମିତା ଏବଂ ଅନ୍ୟ ଅଧିକାରୀ ଏ ସମ୍ବନ୍ଧରେ ଆଲୋଚନା କରି ଏହି ସ୍ବତନ୍ତ୍ର ଗୃହ ସ୍ଥାପନା ପାଇଁ ସ୍ଥାନ ନିରୂପଣ କରିଛନ୍ତି । 

ଶ୍ରୀମନ୍ଦିର ପରିସରରେ ପ୍ରଶାସନର ଶାଖା କାର୍ଯ୍ୟାଳୟ ନିକଟରେ ଏହା କାର୍ଯ୍ୟକ୍ଷମ ହେବାକୁ ନିଷ୍ପତ୍ତି ହୋଇଛି । ସମ୍ପୃକ୍ତ ଗୃହରେ ଗୋପନୀୟତା, ପରିମଳ ଏବଂ ମା' ତଥା ଶିଶୁଙ୍କ ସ୍ବାଛନ୍ଦ୍ୟ ଉପରେ ଦୃଷ୍ଟି ଦିଆଯିବ । ଏହି ଗୃହ ସକାଶେ ଜଣେ ସ୍ୱତନ୍ତ୍ର ମହିଳା ସହାୟିକା ମଧ୍ୟ ରହିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଦୀର୍ଘ ଦିନ ଧରି ଏନେଇ ଦାବି ହୋଇ ଆସୁଥିବା ବେଳେ ଭକ୍ତ ଶ୍ରଦ୍ଧାଳୁ ତଥା ବିଶେଷ କରି ମହିଳାଙ୍କ ପ୍ରତି ଉତ୍ତରଦାୟିତ୍ବ ନିର୍ବାହ ପାଇଁ ଏହି ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

You Can Read:

ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ୪ଟି ଗେଟ୍

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.