ଭୋଗରାଇ: ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି। ଘଟଣା ସମସ୍ତଙ୍କୁ ଚକିତ କରିଛି। ସେପଟେ ମୃତକ ସୌମ୍ୟାଶ୍ରୀଙ୍କ ପରିବାର ଲୋକ ନିଜ ଝିଅକୁ ହରାଇ ଭାଙ୍ଗିପଡ଼ିଛନ୍ତି। ଏହାରି ମଧ୍ୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ଛାତ୍ରୀଙ୍କୁ ନେଇ କିଛି ବ୍ୟକ୍ତି ସୋସିଆଲ ମିଡିଆରେ ପରିବାର ଲୋକଙ୍କୁ ଆକ୍ଷେପ କରି ବିଭିନ୍ନ ପୋଷ୍ଟ କରିଛନ୍ତି। ଯାହାକୁ ନେଇ ମୃତ ଛାତ୍ରୀଙ୍କ ଭାଇ ଭୋଗରାଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ସୂଚନା ଅନୁସାରେ, ମୃତ ଛାତ୍ରୀଙ୍କ ଭାଇ ସୋସିଆଲ ମିଡିଆରେ ତାଙ୍କ ପରିବାର ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଭୋଗରାଇ ଥାନାରେ ୪ରୁ ଉର୍ଦ୍ଧ୍ବ ଲୋକଙ୍କ ନାଁରେ ଏତଲା ଦେଇଛନ୍ତି। ଯାହା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ଉଲ୍ଲେଯୋଗ୍ୟ, ଗତ ଶନିବାର ବାଲେଶ୍ବର ଏଫଏମ୍ କଲେଜ ପରିସରରେ ପ୍ରିନ୍ସିପାଲଙ୍କ ଚାମ୍ବର ସାମ୍ନାରେ ସୌମ୍ୟାଶ୍ରୀ ଆତ୍ମାହୁତି ଉଦ୍ୟମ କରିଥିଲେ। ସେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ। ଯେଉଁଥିରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କ ଶରୀର ପ୍ରାୟ ୯୦ ପ୍ରତିଶତ ପୋଡ଼ିଯାଇଥିଲା। ଏମିତିରେ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର କରାଯାଇଥିଲା। ହେଲେ ସୋମବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି।
ତେବେ ମଙ୍ଗଳବାର ବାଲେଶ୍ବର ଭୋଗରାଇ ବ୍ଲକରେ ଥିବା ପଳାସିଆ ମଶାଣିରେ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଏହି ସମୟରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ସୌମ୍ୟାଶ୍ରୀଙ୍କ ଅନ୍ତିମ ସଂସ୍କାର ସମୟରେ ହଜାର ହଜାର ଲୋକେ ଉପସ୍ଥିତ ଥିଲେ।
ଏପର୍ଯ୍ୟନ୍ତ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ କଲେଜ ପ୍ରିନ୍ସିପାଲ ଏବଂ ସଂପୃକ୍ତ ଏଚଓଡିଙ୍କୁ ଗିରଫ କରାଯାଇଥିଲେବି ନ୍ୟାୟ ଦାବିରେ ବୁଧବାର ବିଜେଡି ବାଲେଶ୍ବର ବନ୍ଦ ଡାକରା ଦେଇଥିଲା। ଗୁରୁବାର ମଧ୍ୟ କଂଗ୍ରେସ ତରଫରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି।