LIVE TV

ବ୍ୟବସାୟରେ ବି ଖୁବ୍ ପରାକାଷ୍ଠା ଦେଖାଇଥିଲେ ଧର୍ମେନ୍ଦ୍ର, ପ୍ରତିଷ୍ଠା କରିଥିଲେ ‘ଗରମ ଧରମ’ ଢାବା

NEWS7
son-of-prabhakar-is-suffering-unknown-disease

ନୂଆଦିଲ୍ଲୀ: ୮୯ ବର୍ଷ ବୟସରେ ବଲିଉଡକୁ ଅଲବିଦା କହିଛନ୍ତି ସୁପରଷ୍ଟାର ଧର୍ମେନ୍ଦ୍ର। ସୋମବାର ମୁମ୍ବାଇସ୍ଥିତ ନିଜ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ବଲିଉଡର ହି-ମ୍ୟାନ। ବଲିଉଡ ଜଗତ ସହ ଧର୍ମେନ୍ଦ୍ରଙ୍କ କୋଟି କୋଟି ଫ୍ୟାନ ତାଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି। ୬ ଦଶନ୍ଧିରୁ ସିନେ ଜଗତରେ ସକ୍ରିୟ ରହିଥିବା ଧର୍ମେନ୍ଦ୍ର ଅନେକ ଫିଲ୍ମରେ କାମ କରିଥିଲେ।

ତେବେ ଧର୍ମେନ୍ଦ୍ର କେବଳ ଜଣେ ଅଭିନେତା ନଥିଲେ। ଜଣେ ବ୍ୟବସାୟୀ ଭାବରେ ମଧ୍ୟ ସେ ବେଶ୍ ପରିଚିତ ଥିଲେ। ଫିଲ୍ମରେ ନିଜର ଦମଦାର ଅଭିନୟ ଏବଂ ଡାଇଲଗରେ ଦର୍ଶକଙ୍କ ହୃଦୟ ଜିତିଥିବା ଧର୍ମେନ୍ଦ୍ର ନିଜର ଏକ ରେଷ୍ଟୁରାଣ୍ଟ ଚେନ୍ ପ୍ରତିଷ୍ଠା କରିଥିଲେ। ଯାହାର ନାଁ ଥିଲା ‘ଗରମ ଧରମ’। ତେବେ ଆସନ୍ତୁ ଜାଣିବା ତାଙ୍କ କେମିତି ଥିଲା ଧର୍ମେନ୍ଦ୍ରଙ୍କ ସିନେ ଜଗତରୁ ବ୍ୟବସାୟୀ ହେବାର ଯାତ୍ରା।

୨୦୧୫ରେ ଆରମ୍ଭ କରିଥିଲେ ‘ଗରମ ଧରମ’ ରେଷ୍ଟୁରାଣ୍ଟ

ଧର୍ମେନ୍ଦ୍ର, ୨୦୧୫ରେ ହୋଟେଲ ଶିଳ୍ପରେ ପାଦ ଥାପିଥିଲେ। ଆରମ୍ଭ କରିଥିଲେ ‘ଗରମ ଧରମ’ ନାଁରେ ରେଷ୍ଟୁରାଣ୍ଟ। ଅନେକ ସମୟରେ ଦେଖିବାକୁ ମିଳିଛି ସିନେ ଷ୍ଟାରମାନେ ନିଜ ଲୋକପ୍ରିୟତା ବଳରେ ଭିନ୍ନ ଭିନ୍ନ କ୍ଷେତ୍ରରେ ନିବେଶ କରିଥାନ୍ତି । ହେଲେ ଧର୍ମେନ୍ଦ୍ରଙ୍କ ଏହି ପଦକ୍ଷେପ ସମସ୍ତଙ୍କ ଠାରୁ ଭିନ୍ନ ଥିଲା ବୋଲି କୁହଯାଇଥିଲା।

ତେବେ ସେ ଏକୁଟିଆ ‘ଗରମ ଧରମ’ ଆରମ୍ଭ କରିନଥିଲେ। ଏହି ରେଷ୍ଟୁରାଣ୍ଟ ଚେନ ପାଇଁ ଧର୍ମେନ୍ଦ୍ର, ରେଷ୍ଟୁରାଣ୍ଟ ବ୍ୟବସାୟ ସହ ଓତଃପ୍ରୋତ ଭାବେ ଜଡ଼ିତ ଉମଙ୍ଗ ତିଓ୍ବାରୀ ଏବଂ ମିକି ମେହତାଙ୍କ ସହ ହାତ ମିଳାଇଥିଲେ। ପ୍ରକୃତରେ ଏହା ଏକ ସୁଚିନ୍ତିତ ବ୍ୟବସାୟ ଥିଲା। ଉମଙ୍ଗ ଏବଂ ମିକିଙ୍କ ପାଖରେ ରେଷ୍ଟୁରାଣ୍ଟ ଚଳାଇବାର ଅଭିଜ୍ଞତା ଥିବାବେଳେ, ଧର୍ମେନ୍ଦ୍ରଙ୍କ ପାଖରେ ଲୋକପ୍ରିୟତା। ଆଉ ଏହିଭଳି ଭାବରେ ଆରମ୍ଭ ହୋଇଥିଲା ‘ଗରମ ଧରମ’ ରେଷ୍ଟୁରାଣ୍ଟ।

ରେଷ୍ଟୁରାଣ୍ଟର ଉଦ୍ଦେଶ୍ୟ ‘ଲୋକଙ୍କୁ ଧର୍ମେନ୍ଦ୍ରଙ୍କ ଫିଲ୍ମ ଏବଂ ତାଙ୍କର ବ୍ୟକ୍ତିତ୍ବ ସହ ଯୋଡ଼ିବା’

‘ଗରମ ଧରମ’ ପଛରେ କିଛି କାହାଣୀ ମଧ୍ୟ ରହିଛି। କେବଳ ଖାଦ୍ୟ ପରସିବା ନଥିଲା ବରଂ ଲୋକଙ୍କୁ ଧର୍ମେନ୍ଦ୍ରଙ୍କ ଫିଲ୍ମ ଏବଂ ତାଙ୍କର ବ୍ୟକ୍ତିତ୍ବ ସହ ଯୋଡ଼ିବା ଏହାର ଉଦ୍ଦେଶ୍ୟ ଥିଲା । ବ୍ୟବସାୟିକ ଦୃଷ୍ଟିକୋଣରୁ ଦେଖିଲେ ଏହାର କନସେପ୍ଟ (ଧାରଣା) ଥିଲା ଏକ ଆଧୁନିକ ‘ଢାବା’। ଯାହା ଲୋକଙ୍କୁ ସହର ମଝିରେ ଢାବାର ଅନୁଭବ କରାଇବ କିନ୍ତୁ ସବୁ ସୁବିଧା ସହ।

ଏହି ରେଷ୍ଟୁରାଣ୍ଟର ବିଶେଷତ୍ବ ଏହାର ଇଣ୍ଟିରିୟର। ଯାହା ସଂପୂର୍ଣ୍ଣ ଭାବରେ ପୁରୁଣା ସିନେମା ଏବଂ ଧର୍ମେନ୍ଦ୍ରଙ୍କ ଲୋକପ୍ରିୟ ଡାଇଲଗରେ ପ୍ରେରିତ। ରେଷ୍ଟୁରାଣ୍ଟ କାନ୍ଥରେ ‘ଶୋଲେ’ ଭଳି ଫିଲ୍ମର ପୋଷ୍ଟର, ପୁରୁଣା କାନ୍ଥ ଷ୍ଟାଇଲ, ବାଇକ ଆଦି ଲୁକ୍ ଏହାକୁ ସ୍ବତନ୍ତ୍ର କରୁଛି। ଏହା ଧର୍ମେନ୍ଦ୍ରଙ୍କ ଫ୍ୟାନ୍ସଙ୍କ ପାଇଁ କୌଣସି ସ୍ବର୍ଗ ଠାରୁ କମ୍ ନୁହେଁ। ଏଠିକାର ମାହୋଲ ସଂପୂର୍ଣ୍ଣ ଭାବରେ ବଲିଉଡ ଥିମରେ ଆଧାରିତ। ଯାହା ଗ୍ରାହକଙ୍କୁ ପୁରୁଣାଦିନର ମନେପକାଇବ।

ଆରମ୍ଭରେ, ଏହାର ପ୍ରଥମ ଆଉଟଲେଟ୍ ଦେଶର ରାଜଧାନୀ ଦିଲ୍ଲୀର ହାର୍ଟ କୁହାଯାଉଥିବା କନଟ୍ ପ୍ଲେସରେ ଖୋଲାଯାଇଥିଲା। ବିପୁଳ ସଫଳତା ପରେ ଏହି ଚେନ୍କୁ ବିସ୍ତାର କରାଯାଇଥିଲା। ବର୍ତ୍ତମାନ ‘ଗରମ ଧରମ’ ଆଉଟଲେଟ୍ ଦିଲ୍ଲୀ- ଏନସିଆରରେ, ନୋଏଡା, ଗାଜିଆବାଦ ଏବଂ ଚଣ୍ଡିଗଡ଼ ଭଳି ସହରରେ ରହିଛି। ଏହି ରେଷ୍ଟୁରାଣ୍ଟ ଚେନକୁ ‘ବିରୁ ଫୁଡ୍ସ ପ୍ରାଇଭେଟ୍ ଲିମିଟେଡ୍’ ନାମରେ ଜଣାଶୁଣା । କମ୍ପାନି ଲଣ୍ଡନ ଏବଂ କାନାଡା ଭଳି ସ୍ଥାନରେ ରେଷ୍ଟୁରାଣ୍ଟ ଖୋଲିବାକୁ ଯୋଜନା କରିଥିଲା।